ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତାରୁ ଓଡ଼ିଶା ଆସୁଥିବା ଏକ ବସରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ନାଁ ପୁଷ୍ପାଞ୍ଜଳି ଦାସ ଏବଂ ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଅଙ୍ଗୁଳି ପଞ୍ଚାୟତ ନୋଳିଆ ଗାଁର ଥିବା ସୂଚନା ମିଳିଛି।  

ବସଟି ଶୁକ୍ରବାର ରାତିରେ କୋଲକାତାରୁ ପାରାଦୀପ ଆସୁଥିଲା। ଏଥିରେ ମୋଟ ୩୮ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଶାର ୩୧ ଜଣ ଯାତ୍ରୀ ଥିଲେ। ବସଟି ୧୬ ନମ୍ବର ଜାତୀୟ ରାଜପଥରେ ଯାତ୍ରା କରୁଥିବାବେଳେ ରାତି ୯ଟା ବେଳେ ଖଡ଼ଗପୁର ଗ୍ରାମୀଣ ଥାନା ଅନ୍ତର୍ଗତ ମାଦପୁର ନିକଟରେ ଏଥିରେ ନିଆଁ ଲାଗିଥିଲା।

ଅଗ୍ନିକାଣ୍ଡ ସମୟରେ କିଛି ଯାତ୍ରୀ ବସରେ ଝରକା କାଚ ଭାଙ୍ଗି ବାହାରକୁ ଡେଇଁପଡ଼ିଥିଲେ। ହେଲେ ବସର ଜରୁରୀକାଳୀନ ଗେଟ ଖୋଲିନଥିବାରୁ ଯାତ୍ରୀଙ୍କୁ ବାହାରକୁ ଆସିବାକୁ ଅସୁବିଧା ହୋଇଥିଲା। ଏହି ସମୟରେ ଅନେକ ଯାତ୍ରୀ ନିଆଁ ଯୋଗୁଁ ଆହତ ହୋଇଥିଲେ।   

ବସରେ ନିଆଁଲାଗିଥିବା ଜାଣି ପ୍ରଥମେ ପୁଷ୍ପାଞ୍ଜଳି ତାଙ୍କ ସ୍ଵାମୀ ରାଜେନ୍ଦ୍ର ଦାସଙ୍କୁ ବାହାରକୁ ଚାଲିଯିବା ଲାଗି କହିଥିଲେ। ଏହାପରେ ସେ ଝିଅକୁ ଧରି ବସ୍ ବାହାରକୁ ଚାଲିଆସିଥିଲେ। ଏହାପରେ ପୁଷ୍ପାଞ୍ଜଳି ନିଜର ୭ ବର୍ଷର ପୁଅକୁ ଝରକା ବାଟେ ବାହାର କରିଥିଲେ। ତାପରେ ସେ ବୃଦ୍ଧ ଦମ୍ପତିଙ୍କୁ ବସ୍ ବାହାରକୁ ଆଣିବା ଲାଗି ପ୍ରଚେଷ୍ଟା ଚଳାଇଥିଲେ। ବୃଦ୍ଧ ଦମ୍ପତି ବାହାରକୁ ଚାଳିଆସିଥିଲେ ହେଲେ ସେତେବେଳକୁ ପୁଷ୍ପାଞ୍ଜଳିଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ସେ ଅନ୍ୟକୁ ଉଦ୍ଧାର କରିବାକୁ ଯାଇ ନିଜ ଜୀବନ ହାରିଥିଲେ।

ଅନ୍ୟପଟେ ଆହତମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଦିନୀପୁର ମେଡିକାଲ୍ କଲେଜ ହସ୍ପିଟାଲକୁ ପଠାଯାଇଥିଲା। ଏହାପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ହେଲେ ସେତେବେଳକୁ ବସଟି ସମ୍ପୂର୍ଣ୍ଣ ଜଳିଯାଇଥିଲା।

ତେବେ ବିସ୍ଫୋରକ ସାମଗ୍ରୀ ଯୋଗୁଁ ବସରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସେ ବିଷୟରେ ଏବେ କିଛି ତଥ୍ୟ ମିଳି ନାହିଁ। ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆହତ ଯାତ୍ରୀମାନଙ୍କ ଦେଖାଶୁଣା କରାଯାଉଛି। ସେହିପରି ଅନ୍ୟ ଯାତ୍ରୀମାନଙ୍କୁ ଆଉ ଏକ ବସ ଯୋଗେ ଓଡ଼ିଶା ପଠାଯାଇଛି।   

Tags: #BusFire #Passengers #Kolkata #Odisha

Comment