(ଓଡ଼ିଶାଲାଇଭ୍‍ ବ୍ୟୁରୋ)

ଆପଣ ବଞ୍ଚିବାକୁ ଚାହୁଁଛନ୍ତି କି ? ଆଉ ଏକ ପୃଥିବୀର ସନ୍ଧାନ କରନ୍ତୁ। କାରଣ ଏହି ପୃଥିବୀରେ ଆଉ ମଣିଷର ସତ୍ତା ରହିବ ନାହିଁ।

ପୃଥିବୀ କକ୍ଷଚ୍ୟୁତ ହେବ ନାହିଁ କି କୌଣସ ପ୍ରଳୟ ଆସିବାର ନାହିଁ। ଆଣବିକ ଯୁଦ୍ଧ ବି ପୃଥିବୀକୁ ଧ୍ୱଂସ କରିବନି। ପ୍ରକୃତିକୁ ଧ୍ୱଂସ କରିଚାଲିଥିବା ମଣିଷ ଜାତି ନିଜ ହାତରେ ନିଜେ ଧ୍ୱଂସ ପାଇଯିବ।

ମଣିଷକୁ ଲୋପ କରିଦେବ ମଣିଷର ହାତ ତିଆରି ମେସିନ। ଏହି ଗ୍ରହରେ ବୁଲିବେ ମେସିନ ମଣିଷ। ପୃଥିବୀରେ ମଣିଷର ଏହା ହେବ ନୂଆ ରୂପ। ଏହି ସମୟ ଖୁବ୍ ନିକଟତର ହେଉଛି। ମଣିଷ ଯେମିତି କମ୍ପ୍ୟୁଟର ଭାଇରସ୍ ତିଆରି କରୁଛି, ସେମିତି କେହି ଜଣେ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ ବା ‘କୃତ୍ରିମ ମଣିଷ’ ତିଆରି କରିବ। ଏହି କୃତ୍ରିମ ମଣିଷ ମଣିଷ ସଭ୍ୟତାକୁ ଧ୍ଵଂସ କରି ପୃଥିବୀକୁ ନିଜ ଅକ୍ତିଆରକୁ ନେବ। ଏଭଳି ଭୟାନକ ଭବିଷ୍ୟବାଣୀ କରିଛନ୍ତି ପ୍ରଖ୍ୟାତ ପଦାର୍ଥ ବିଜ୍ଞାନୀ ଷ୍ଟିଫେନ୍ ହକିଙ୍ଗ।

ମଣିଷ ସଭ୍ୟତା ଏବେ ଧ୍ୱଂସ ଆଡକୁ ମୁହାଁଇଛି। ମଣିଷ ଏବେ ୱାନ ୱେ ଟ୍ରାଫିକରେ ଯାତ୍ରା କରୁଛି। ମଣିଷ ଯେଉଁ ଜାଗାରେ ପହଞ୍ଚି ସାରିଛି ସେଠାରୁ ଆଉ ଫେରିବା ସମ୍ଭବ ନୁହେଁ। କେହି ନା କେହି କୃତ୍ରିମ ମଣିଷ ତିଆରି କରିବ, ଯିଏ ମଣିଷ ସଭ୍ୟତାକୁ ପୃଥିବୀ ପୃଷ୍ଠରୁ ନିଶ୍ଚିହ୍ନ କରିଦେବ। ଏହା ହେବ ମଣିଷର ଶେଷ ଉଦ୍ଭାବନ।

ଏହି ସବୁଠାରୁ ଖରାପ କିମ୍ବା ସବୁଠାରୁ ଭଲ ଉଦ୍ଭାବନ ହୋଇପାରେ। ସୃଷ୍ଟିର ସବୁ ଜୀବଙ୍କ ଉପରେ ଭାରି ପଡିଥିବା ଏହି ବୁଦ୍ଧିଆ ଜୀବ ଉପରେ ଭାରି ପଡିବ ତାର କୃତ୍ରିମ ବୁଦ୍ଧି। ତେଣୁ ଏହି ପୃଥିବୀରେ ଆଉ ମଣିଷ ଜାତି ତିଷ୍ଠି ରହିପାରିବ ନାହିଁ।

ବଞ୍ଚିବା ନିଶ୍ଚିତ କରିବାକୁ ହେଲେ ଆଉ ଏକ ପୃଥିବୀର ସନ୍ଧାନ କରିବାକୁ ପଡିବ। ଏହା ଉପରେ ପ୍ରାଥମିକତା ଦିଆନଗଲେ ପରିଣତି ଭୟାବହ ହେବ ବୋଲି ସତର୍କବାଣୀ ଶୁଣାଇଛନ୍ତି ଷ୍ଟିଫେନ୍ ହକିଙ୍ଗ।

Comment