ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵର କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀର ମୋହନ ବିଶ୍ଵବିଦ୍ୟାଳୟ ପରିସରରେ ଫକୀର ମୋହନ ସାହିତ୍ୟଘର ଓ ଶ୍ରୀଧରସ୍ଵାମୀ ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ‘ଶ୍ରୀଧରସ୍ଵାମୀ ଜୀବନ ଓ ସୃଜନ’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ଵରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ନିଜ ଅଭିଭାଷଣରେ ଶ୍ରୀଧରସ୍ଵାମୀଙ୍କ ଜୀବନୀ ସାମ୍ପ୍ରତିକ ସମାଜରେ ସମସ୍ତଙ୍କ ପାଇଁ ପ୍ରେରଣାପ୍ରଦ ହେବା ଆବଶ୍ୟକ ବୋଲି କୁଳପତି ମତ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଡକ୍ଟର ଭାଗବତ ପ୍ରସାଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରୀଧରସ୍ଵାମୀ ଭାରତୀୟ ତଥା ଉତ୍କଳୀୟ ସଂସ୍କୃତିକୁ ବିଶ୍ୱ ଦରବାରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ପ୍ରକାଶ କରିଥିଲେ।

ଅନ୍ୟତମ ଅତିଥି ଭାବେ ବିଜୟ କୁମାର ମହାକୁଡ଼ ଓ ମୁକ୍ତିଲତା ଆଇଚ ଯୋଗଦେଇ ଶ୍ରୀଧର ସ୍ଵାମୀଙ୍କର ଜନ୍ମଭୂମୀ ମୟୂରଗ୍ରାମର ଗୁରୁତ୍ଵ ଓ ତାଙ୍କ ଜୀବନର ଗୁରୁତ୍ଵପୂର୍ଣ୍ଣ ଘଟଣାବଳୀ ସମ୍ପର୍କରେ ଆଲୋଚନା କରିଥିଲେ।

ସଂସ୍କୃତ ବିଭାଗର ପ୍ରଫେସର ସୁବାସ ଚନ୍ଦ୍ର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀଧର ସ୍ଵାମୀ ମାଘ ସପ୍ତମୀ ତିଥିରେ ଜନ୍ମଗ୍ରହଣ କରି ଧରାପୃଷ୍ଠରୁ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନ ରୂପକ ଆଲୋକ ବିକିରଣ କରିବା ସଦୃଶ ମହତ୍ କାର୍ଯ୍ୟ କରି ଭାରତ ତଥା ଓଡ଼ିଶା ଓ ରେମୁଣା ମାଟିକୁ ଧନ୍ୟ କରିଛନ୍ତି ବୋଲି କହିଥିଲେ।

ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ପ୍ରଫେସର ଦେବାଶିଷ ପାତ୍ର ଆଲୋଚନାଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ କହିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଏହି ଅବସରରେ ଶ୍ରୀଧରସ୍ୱାମୀ ସ୍ମୃତି ପରିଷଦ ତରଫରୁ ଅଶୋକ କୁମାର ପୁରୀଙ୍କୁ ‘ଶ୍ରୀଧରସ୍ଵାମୀ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏହାସହ ମୁକ୍ତିଲତା ଆଇଚଙ୍କ ରଚିତ ପୁସ୍ତକ ‘ବିଶ୍ଵବନ୍ଦିତ ଟୀକାକର ଜଗଦଗୁରୁ ଶ୍ରୀଧରସ୍ଵାମୀ’ ଉନ୍ମୋଚିତ ହୋଇଥିଲା। ଶେଷରେ ଅଧ୍ୟାପକ ଡକ୍ଟର ପ୍ରହ୍ଲାଦ ଖିଲ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #StateLevelSeminar #Sridharswami #FMUniversity #Balasore #Odisha

Comment