ଓଡ଼ିଶାଲାଇଭ୍ ବ୍ୟୁରୋ

ସୁଭଦ୍ରା ଯୋଜନାକୁ ନେଇ ଆସିଲା ଆଉ ଏକ ନୂଆ ଅପଡେଟ୍। ଆସନ୍ତାକାଲି, ଶନିବାର ଦିନ ୧୮ ଲକ୍ଷରୁ ଊର୍ଦ୍ଧ୍ଵ ଦିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଯାଜପୁର ଜିଲ୍ଲାଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରିବେ। ଏ ନେଇ ଶୁକ୍ରବାର ଦିନ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ସମସ୍ୟା ଯୋଗୁଁ ୩ ଲକ୍ଷ ୩୮ ହଜାର ହିତାଧିକାରୀଙ୍କ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ଅଟକିଥିଲା। ଯେଉଁ ହିତାଧିକାରୀମାନଙ୍କର ଫେବ୍ରୁଆରି ୮ ତାରିଖ ପୂର୍ବରୁ ଇ-କେଓ୍ଵାଇସି ଏବଂ ଏନପିସିଆଇ କ୍ଲିୟର ହୋଇଥିବ ସେମାନଙ୍କୁ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ।
ଯେଉଁ ହିତାଧିକାରୀମାନେ ଫେବ୍ରୁଆରି ୮ ତାରିଖ ପରେ ଏବଂ ମାର୍ଚ୍ଚ ୮ ତାରିଖ ପୂର୍ବରୁ ଇ-କେଓ୍ଵାଇସି ଏବଂ ଏନପିସିଆଇ ଅପଡେଟ କରିବେ, ସେମାନଙ୍କୁ ମାର୍ଚ୍ଚ ମାସରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଏବଂ ଦ୍ଵିତୀୟ ପର୍ଯ୍ୟାୟ ମୋଟ ଦୁଇଟି କିସ୍ତିର ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
୨୦୨୪ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫,୦୦୦ ଟଙ୍କା ଲେଖାଏଁ ଯାଇଥିଲା। ଏହାପରେ ଅକ୍ଟୋବର ୯ ତାରିଖରେ ଦ୍ଵିତୀୟ ପର୍ଯ୍ୟାୟରେ ୪୦ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ସେହିପରି ନଭେମ୍ବର ୨୪ ତାରିଖରେ ତୃତୀୟ ପର୍ଯ୍ୟାୟ ଟଙ୍କା ପାଇଥିଲେ ହିତାଧିକାରୀ।
ଆସନ୍ତା ୨୦୨୫ ମାର୍ଚ୍ଚ ମାସ ପୂର୍ବରୁ ପ୍ରଥମ କିସ୍ତି ଟଙ୍କା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପଠାଇବା ଲାଗି ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି। ସୁଭଦ୍ରା ଯୋଜନାରୁ ଯେପରି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ବାଦ ନପଡ଼ିବେ ସେଥିପ୍ରତି ଗୁରୁତ୍ଵ ଦିଆଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
Tags: #SubhadraYojana #KYC #PravatiParida #NPCY #EKYC #Odisha















