ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ ବର୍ଷ ବିଶ୍ୱର ବିଭିନ୍ନ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଲାଗି ଏକ ମହଙ୍ଗା ବର୍ଷ ରୂପେ ସାବ୍ୟସ୍ତ ହୋଇଛି। ଅନ୍ତର୍ଜାତୀୟ ବୀମା କମ୍ପାନି ସୁଇସ୍‌ ଦ୍ଵାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ସବୁ ପ୍ରାକୃତିକ ବିପର୍ଯ୍ୟୟ ଘଟଣା ଯୋଗୁଁ ସମଗ୍ର ବିଶ୍ୱରେ ଗତବର୍ଷ ୩୧୦ ବିଲିୟନ ଡଲାରର ଅର୍ଥନୈତିକ କ୍ଷତି ହୋଇଛି। ୨୦୨୩ ତୁଳନାରେ ଏହି ପରିମାଣ ୬ ପ୍ରତିଶତ ବୃଦ୍ଧି ପାଇଛି।

ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବୀମା କ୍ଷତି ପରିମାଣ ମଧ୍ୟ ଆହୁରି ବୃଦ୍ଧି ପାଇଛି। ୨୦୨୪ରେ ବୀମା କ୍ଷତି ପରିମାଣ ୧୭ ପ୍ରତିଶତ ବୃଦ୍ଧି ପାଇ ୧୩୫ ବିଲିୟନ ଡଲାରରେ ପହଞ୍ଚିଛି। ଜଳବାୟୁ ପରିବର୍ତ୍ତନର ତୀବ୍ର ପ୍ରଭାବ ଏବଂ ବଢୁଥିବା ସହରୀକରଣ ପାଇଁ କ୍ଷୟକ୍ଷତି ବୃଦ୍ଧି ହେଉଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଜଳବାୟୁ ପରିବର୍ତ୍ତନ ଯୋଗୁଁ ରେକର୍ଡ କ୍ଷୟକ୍ଷତି

୨୦୨୪ରେ ବିପର୍ଯ୍ୟୟ ସଂଖ୍ୟାରେ ଜଳବାୟୁ ପରିବର୍ତ୍ତନର ବଡ଼ ଭୂମିକା ଉପରେ ସୁଇସ୍ ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି। ଜଳବାୟୁ ପରିବର୍ତ୍ତନ ପାଣିପାଗ ପ୍ରଣାଳୀକୁ ପ୍ରଭାବିତ କରୁଛି, ଯାହା ଅଧିକ ବିନାଶର କାରଣ ପାଲଟିଛି। 

ଗତ ବର୍ଷର କ୍ଷୟକ୍ଷତିର ମୁଖ୍ୟ କାରଣ ଥିଲା ବନ୍ୟା ଓ ବାତ୍ୟା। ସାମୁଦ୍ରିକ ଝଡ଼ ହେଲେନ୍ ଓ ମିଲ୍ଟନ୍ ସମଗ୍ର ଆମେରିକାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏହାସହ ୟୁରୋପ ଓ ଆରବ ଦେଶର କିଛି ଅଞ୍ଚଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

୨୦୨୪ ସବୁଠାରୁ ଉତ୍ତପ୍ତ ବର୍ଷ ରହିଥିଲା ବୋଲି ସୁଇସ୍ ରିପୋର୍ଟରେ କୁହାଯାଇଛି। ବିଶ୍ୱର ହାରାହାରି ତାପମାତ୍ରା ୧.୫୫ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ଏହି ପରିସ୍ଥିତି ବଢ଼ୁଥିବା ଜଳବାୟୁ ସଙ୍କଟକୁ ଆହୁରି ଆଲୋକପାତ କରୁଛି।

ବନ୍ୟା ଭୟଙ୍କର କ୍ଷୟକ୍ଷତି ଘଟାଇଛି

ଚଳିତ ବର୍ଷ ବନ୍ୟା ସବୁଠାରୁ ବ୍ୟୟବହୁଳ ବିପର୍ଯ୍ୟୟ ଥିଲା। କେବଳ ୟୁରୋପ ଏବଂ ଆରବ ଦେଶ ଗୁଡିକରେ ଭୟଙ୍କର ବନ୍ୟା ଯୋଗୁଁ ୧୩ ବିଲିୟନ ଡଲାର କ୍ଷତି ହୋଇଛି। 

୨୦୨୪ ସେପ୍ଟେମ୍ବର ମାସରେ ସାମୁଦ୍ରିକ ଝଡ଼ ବୋରିସ ଯୋଗୁଁ କେନ୍ଦ୍ରୀୟ ୟୁରୋପ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲା। ଗତ ଅକ୍ଟୋବର ମାସରେ ସ୍ପେନରେ ପ୍ରଳୟଙ୍କରୀ ବନ୍ୟାରେ ଅତି କମରେ ୨୩୦ ଜଣଙ୍କ ମୃତ୍ୟୁ ହୋଇଥିଲା। 

ଆମେରିକାକୁ ମାଡ଼ ମାରିଲା ବାତ୍ୟା

୨୦୨୪ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବଡ଼ ଧରଣର କ୍ଷତିର ସମ୍ମୁଖୀନ ହୋଇଥିଲା ଯୁକ୍ତରାଷ୍ଟ୍ର ଆମେରିକା। ମୁଖ୍ୟତଃ ଦୁଇଟି ଶକ୍ତିଶାଳୀ ବାତ୍ୟା ଯୋଗୁଁ ସମଗ୍ର ବିଶ୍ୱର ବୀମା କ୍ଷତିର ଦୁଇ ତୃତୀୟାଂଶ ଏହି ଦେଶରେ ହୋଇଛି।

ସାମୁଦ୍ରିକ ଝଡ଼ ହେଲେନ୍ ଓ ମିଲ୍ଟନ୍ ପ୍ରାୟ ଆମେରିକାବାସୀ ୫୦ ବିଲିୟନ ଡଲାର କ୍ଷତି ସହିଛନ୍ତି। ଏହି ଝଡ଼ ଏକାଧିକ ରାଜ୍ୟରେ ଘର, ଭିତ୍ତିଭୂମି ଏବଂ ସମ୍ପ୍ରଦାୟକୁ ପ୍ରଭାବିତ କରିଛି।

ସହରୀକରଣର କୁପ୍ରଭାବ

ସୁଇସ୍‌ ରିପୋର୍ଟରେ ସହରୀକରଣକୁ ପ୍ରାକୃତିକ ବିପର୍ଯ୍ୟର ଜନିତ କ୍ଷତିର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଭାବରେ ଦର୍ଶା ଯାଇଛି। ସହରାଞ୍ଚଳରେ ଅର୍ଥନୈତିକ ମୂଲ୍ୟ କେନ୍ଦ୍ରୀଭୂତ ହେବା ଦ୍ୱାରା ବିପର୍ଯ୍ୟୟର ଆର୍ଥିକ ପ୍ରଭାବ ବୃଦ୍ଧି ପାଇଛି ବୋଲି ରିପୋର୍ଟ କହିଛି।

ଭବିଷ୍ୟତ ପାଇଁ ସତର୍କ ସୂଚନା

ଏହି ରିପୋର୍ଟ ଭବିଷ୍ୟତ ପାଇଁ ଏକ କଡ଼ା ଚେତାବନୀ ଭାବେ କାର୍ଯ୍ୟ କରୁଛି। ଜଳବାୟୁ ପରିବର୍ତ୍ତନ ଅଧିକ ଗମ୍ଭୀର ପାଣିପାଗ ପରିସ୍ଥିତି ସୃଷ୍ଟି କରୁ ଥିବାରୁ ବୀମା କ୍ଷତି ବୃଦ୍ଧି ପାଇବ ବୋଲି ଏଥିରେ ପୂର୍ବାନୁମାନ କରାଯାଇଛି। ଅଧିକ ବିପଦପୂର୍ଣ୍ଣ ଅଞ୍ଚଳରେ ସହରାଞ୍ଚଳ ବିସ୍ତାର କ୍ଷତିକୁ ଆହୁରି ବଢ଼ାଇବାର ସମ୍ଭାବନା ରହିଛି।

ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସୁଇସ୍ ରିପୋର୍ଟରେ ଆହ୍ୱାନ ଦିଆଯାଇଛି। ପଦକ୍ଷେପ ନିଆ ନଗଲେ ଭବିଷ୍ୟତର ବିପର୍ଯ୍ୟୟ ଉଭୟ ମାନବିକ ଓ ଆର୍ଥିକ ଦୃଷ୍ଟିରୁ ଆହୁରି ଭୟଙ୍କର ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଇଛି।

Tags: #NaturalDisaster #ClimateChange #GlobalWarming #Insurance

LEAVE A REPLY

Please enter your comment!
Please enter your name here