ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୨୪ରେ ବିଶ୍ଵର ହାରାହାରି ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ୍ ବଢ଼ିବାର ସମ୍ଭାବନା।

ଆଜି ସରିବାକୁ ଯାଉଛି ବର୍ଷ ୨୦୨୪। ଏହା ସବୁଠାରୁ ଉତ୍ତପ୍ତ ବର୍ଷ ହେବା ପଥରେ ରହିଛି। ୟୁରୋପୀୟ ଜଳବାୟୁ ଏଜେନ୍ସି ‘କୋପରନିକାସ୍’ ଅନୁଯାୟୀ, ପ୍ରଥମ ଥର ପାଇଁ ୨୦୨୪ରେ ବିଶ୍ୱର ହାରାହାରି ତାପମାତ୍ରା ପ୍ରଚଳିତ ସ୍ତରଠାରୁ ୧.୫ ଡିଗ୍ରୀ ସେଲସିୟସ୍ ସୀମା ଅତିକ୍ରମ କରିବାର ସମ୍ଭବନା ରହିଛି। ଏହା ଜଳବାୟୁ ପରିବର୍ତ୍ତନକୁ ଇସାରା କରୁଛି ବୋଲି କୁହାଯାଉଛି।

ନଭେମ୍ବର ୨୦୨୪: ରେକର୍ଡର ଏକ ମାସ

ନଭେମ୍ବର ୨୦୨୪ ଗ୍ଲୋବାଲ ୱାର୍ମିଂରେ ଆଉ ଏକ ମାଇଲଖୁଣ୍ଟ ସାଜିଛି। ଭୂପୃଷ୍ଠ ବାୟୁର ହାରାହାରି ତାପମାତ୍ରା ୧୪.୧୦ ଡିଗ୍ରୀ ସେଲସିୟସରେ ପହଞ୍ଚିଛି, ଯାହା କି ଗତ ନଭେମ୍ବର ୨୦୨୩ ପରେ ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ନଭେମ୍ବରରେ ପରିଣତ ହୋଇଛି।

ଏହି ମାସରେ ବିଶ୍ୱର ତାପମାତ୍ରା ନିର୍ଦ୍ଧାରିତ ସ୍ତର ଠାରୁ ୧.୬୨ ଡିଗ୍ରି ସେଲସିୟସ ଅଧିକ ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି।

ଏହି ସମୟରେ ଭାରତରେ ମଧ୍ୟ ଅସ୍ୱାଭାବିକ ଉଷ୍ମ ଅନୁଭୂତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଭାରତରେ ମଧ୍ୟ ୧୯୦୧ ପରେ ନଭେମ୍ବର ୨୦୨୪ ହେଉଛି ଦ୍ୱିତୀୟ ସର୍ବାଧିକ ଗରମ ମାସ। ଏହି ମାସରେ ହାରାହାରି ସର୍ବୋଚ୍ଚ ତାପମାତ୍ରା ୨୯.୩୭ ଡିଗ୍ରୀ ସେଲସିୟସ ରହିଥିଲା, ଯାହା ସ୍ୱାଭାବିକଠାରୁ ୦.୬୨ ଡିଗ୍ରୀ ଅଧିକ।

ଚିନ୍ତାଜନକ ରେକର୍ଡର ବର୍ଷ

୨୦୨୪ ଜାନୁଆରିରୁ ନଭେମ୍ବର ମଧ୍ୟରେ ବିଶ୍ୱର ହାରାହାରି ତାପମାତ୍ରା ୦.୭୨ ଡିଗ୍ରୀ ସେଲସିୟସ ଅଧିକ ଥିଲା। ଏହା ୨୦୨୪କୁ ଏହି ସମୟ ପାଇଁ ରେକର୍ଡର ସବୁଠାରୁ ଉଷ୍ମ ବର୍ଷ ଭାବେ ପରିଗଣିତ କରିଛି।

ସମୁଦ୍ର ପୃଷ୍ଠର ତାପମାତ୍ରା (ଏସ୍ ଏସ୍ ଟି) ଏହି ସମୟ ମଧ୍ୟ‌ରେ ମଧ୍ୟ ଅତ୍ୟନ୍ତ ଅଧିକ ରହିଛି। ନଭେମ୍ବର ୨୦୨୪ରେ ହାରାହାରି ୨୦.୫୮ ଡିଗ୍ରି ସେଲସିୟସ ଏସଏସଟି ରେକର୍ଡ କରାଯାଇଛି। ଏହା ମାସର ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା।

ପୂର୍ବ ଓ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ‘ଲା ନିନା’ ସ୍ଥିତି ଆଡ଼କୁ ଗତି କରୁଥିବା ବେଳେ ଅନେକ ସମୁଦ୍ର ତଟ ଅଞ୍ଚଳରେ ଅସ୍ୱାଭାବିକ ଭାବେ ଗରମ ଅନୁଭୂତ ହୋଇଥିଲା।

ସତର୍କ କରାଇଲେ ଜଳବାୟୁ ବିଶେଷଜ୍ଞ

କୋପରନିକାସ୍ ଜଳବାୟୁ ପରିବର୍ତ୍ତନ ସେବାର (ସି୩ଏସ୍) ଉପନିର୍ଦେଶକ ସାମନ୍ଥା ବର୍ଗେସ୍ କହିଛନ୍ତି ଯେ, “ବର୍ଷର ଶେଷ ମାସର କୋପରନିକାସ୍ ତଥ୍ୟ ସହିତ ଆମେ ନିଶ୍ଚିତ କରିପାରିବା ଯେ ୨୦୨୪ ସବୁଠାରୁ ଉଷ୍ମ ବର୍ଷ ରେକର୍ଡ ହେବ।”

ଯଦିଓ ଏହା ପ୍ୟାରିସ୍ ଚୁକ୍ତିର ଲକ୍ଷ୍ୟକୁ ଉଲ୍ଲଂଘନକୁ ସୂଚିତ କରେ ନାହିଁ। କିନ୍ତୁ ଏହା ଦୃଢ଼ ଜଳବାୟୁ କାର୍ଯ୍ୟାନୁଷ୍ଠାନର ଜରୁରୀ ଆବଶ୍ୟକତା ଉପରେ ଆଲୋକପାତ କରେ। ୨୦୧୫ ମସିହାରେ ଗୃହୀତ ହୋଇଥିବା ପ୍ୟାରିସ ଚୁକ୍ତିରେ ଜଳବାୟୁର ଗମ୍ଭୀର ପ୍ରଭାବକୁ ରୋକିବା ପାଇଁ ଗ୍ଲୋବାଲ ୱାର୍ମିଂକୁ ନିର୍ଦ୍ଧାରିତ ସ୍ତରଠାରୁ ୧.୫ ଡିଗ୍ରି ସେଲସିୟସରେ ସୀମିତ ରଖିବାକୁ ଲକ୍ଷ୍ୟ ରଖାଯାଇଛି। 

ପୃଥିବୀ ପୃଷ୍ଠର ତାପମାତ୍ରା ହାରାହାରି ତୁଳନାରେ ପ୍ରାୟ ୧.୩ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇଛି। କାର୍ବନ ଡାଇଅକ୍ସାଇଡ୍ ଏବଂ ମିଥେନ୍ ଭଳି ଗ୍ରୀନହାଉସ୍ ଗ୍ୟାସର ମାତ୍ରା ବୃଦ୍ଧି ଯୋଗୁଁ ଏହି ଉଷ୍ମତା ସୃଷ୍ଟି ହୋଇଛି।

ତାପମାତ୍ରା ବୃଦ୍ଧି ଯୋଗୁଁ ମରୁଡ଼ି, ଜଙ୍ଗଲ ନିଆଁ ଏବଂ ବନ୍ୟା ସମଗ୍ର ବିଶ୍ୱରେ ଅଧିକ ବାରମ୍ବାର ଏବଂ ଅଧିକ ଭୟଙ୍କର ରୂପ ଧାରଣ କରିଛି। ଏହି ଅତ୍ୟଧିକ ପାଣିପାଗ ଘଟଣା ସମଗ୍ର ବିଶ୍ବ ପାଇଁ ଏକ ଭୟଙ୍କର ପରିଣାମ ସୃଷ୍ଟି କରିବାର ସମ୍ଭାବନା ରହିଛି।  

ଏହି ପରିପ୍ରେକ୍ଷୀରେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହ୍ରାସ କରିବା ପାଇଁ ଉଚ୍ଚାକାଂକ୍ଷୀ ଜଳବାୟୁ ପଦକ୍ଷେପର ଆବଶ୍ୟକତା ଉପରେ ଏହି ତଥ୍ୟ ଗୁରୁତ୍ୱାରୋପ କରିଛି। ତ୍ଵରିତ ଓ ନିର୍ଣ୍ଣାୟକ ପଦକ୍ଷେପ ନିଆ ନଗଲେ ବିଶ୍ୱ ପ୍ୟାରିସ୍ ଚୁକ୍ତିର ଲକ୍ଷ୍ୟକୁ ସ୍ଥାୟୀ ଭାବେ ଉଲ୍ଲଂଘନ କରିବାର ଆଶଙ୍କା ରହିଛି, ଯାହା ଫଳରେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ସତର୍କ କରାଇ ଦିଆଯାଇଛି।

Tags: #2024 #HottestYear #TempretureRise #GlobalWarming

LEAVE A REPLY

Please enter your comment!
Please enter your name here