ଓଡ଼ିଶାଲାଇଭ୍ ବ୍ୟୁରୋ

ଏଫଆଇଏଚ୍ ପ୍ରୋ-ଲିଗ ହକି ୨୦୨୪-୨୫ରେ ଶନିବାରଠାରୁ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ଭାରତୀୟ ପୁରୁଷ ଓ ମହିଳା ହକି ଦଳ। ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଉଭୟ ଚଳିତ ସିଜିନରେ ନିଜର ପ୍ରଥମ ମ୍ୟାଚ ଖେଳିବେ। ଶନିବାର ପୁରୁଷ ହକି ଦଳ ସ୍ପେନ ବିପକ୍ଷରେ ଓ ମହିଳା ଦଳ ଇଂଲଣ୍ଡ ଦଳ ସହ ପ୍ରତିଦ୍ଵନ୍ଦ୍ଵିତା କରିବେ।
କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ପ୍ରୋ-ଲିଗ ପୁରୁଷ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ୫ଟି ଦଳ ଆସିଛନ୍ତି। ଏଥିରେ ଭାରତ ସମେତ ସ୍ପେନ, ଜର୍ମାନୀ, ଇଂଲଣ୍ଡ ଓ ଆର୍ୟଲାଣ୍ଡ ଦଳ ସାମିଲ ଅଛନ୍ତି। ସେହିପରି ଭାରତ ସହ ଇଂଲଣ୍ଡ, ସ୍ପେନ, ଜର୍ମାନୀ ଓ ନେଦରଲାଣ୍ଡର ମହିଳା ଦଳ ମଧ୍ୟ ଟୁର୍ଣ୍ଣାମେଣ୍ଟ ଖେଳିବେ।
କଳିଙ୍ଗ ଷ୍ଟାଡିୟମରେ ଭାରତ ପୁରୁଷ ଦଳ ଶନିବାର ଓ ରବିବାର ସ୍ପେନ ବିପକ୍ଷରେ ମ୍ୟାଚ ଖେଳିବ। ସେହିପରି ଫେବ୍ରୁଆରି ୧୮ ଓ ୧୯ ତାରିଖରେ ଜର୍ମାନୀ, ଫେବ୍ରୁଆରି ୨୧ ଓ ୨୨ ତାରିଖରେ ଆର୍ୟଲାଣ୍ଡ ଏବଂ ଫେବ୍ରୁଆରି ୨୪ ଓ ୨୫ ତାରିଖରେ ଇଂଲଣ୍ଡ ସହ ମୁକବିଲା କରିବ ଟିମ୍ ଇଣ୍ଡିଆ।
ଅନ୍ୟପଟେ ଭାରତର ମହିଳା ଦଳ ଶନିବାର ଓ ରବିବାର ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଖେଳିବ। ଏହାପରେ ଫେବ୍ରୁଆରି ୧୮ ଓ ୧୯ ତାରିଖରେ ସ୍ପେନ, ଫେବ୍ରୁଆରି ୨୧ ଓ ୨୨ ତାରିଖରେ ଜର୍ମାନୀ ଓ ଫେବ୍ରୁଆରି ୨୪ ଓ ୨୫ ତାରିଖରେ ନେଦରଲାଣ୍ଡ ସହ ମୁକବିଲା କରିବ ଭାରତୀୟ ମହିଳା ଦଳ।

ତେବେ ଏହି ପ୍ରୋ-ଲିଗ୍ ପାଇଁ ଘୋଷିତ ହୋଇଥିବା ଭାରତୀୟ ପୁରୁଷ ଦଳରେ ଓଡ଼ିଶାରୁ ଅମିତ ରୋହିଦାସ, ନିଲମ ସଂଜୀପ ଖେସ୍ ଓ ଶୀଳନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି। ସେହିପରି ମହିଳା ଦଳରେ ଓଡ଼ିଶାର ମିଡଫିଲ୍ଡର ସୁନେଲିତା ଟୋପ୍ପୋଙ୍କୁ ଦେଖିବାକୁ ମିଳିବ।
ଅନ୍ୟପଟେ କଳିଙ୍ଗ ଷ୍ଟାଡିୟମରେ ଫେବ୍ରୁଆରି ୧୫ ତାରିଖରୁ ୨୫ତାରିଖ ଯାଏଁ ଏଫଆଇଏଚ୍ ପ୍ରୋ-ଲିଗ ମ୍ୟାଚ ଖେଳାଯିବ। ୨୦୨୪-୨୫ ପ୍ରୋ-ଲିଗ ହକିର ଉଭୟ ପୁରୁଷ ଓ ମହିଳା ସଂସ୍କରଣରେ ୯ଟି ଲେଖାଏଁ ଦଳ ଭାଗ ନେଉଛନ୍ତି। ଏହି ପ୍ରତିଯୋଗିତାରୁ ଉଭୟ ମହିଳା ଓ ପୁରୁଷ ବିଶ୍ଵକପ୍ ୨୦୨୬ ଲାଗି କିଛି ଦଳ ଯୋଗ୍ୟତା ଅର୍ଜନ କରିବେ।
Tags: #FIHProLeague #IndianHockeyTeam #FIH #HockeyIndia #KalingaStadium #Odisha