ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟକା। ୟୁଟ୍ୟୁବ ରିୟଲିଟି ସୋ’ ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟ’ରେ ରଣବୀର ଅଶ୍ଳୀଳ ମନ୍ତବ୍ୟ ଦେଇ ବିବାଦରେ ଫସିଥିଲେ। ତାଙ୍କ ବିରୋଧରେ ଭାରତର ବିଭିନ୍ନ ରାଜ୍ୟରେ ମାମଲା ରୁଜୁ ହୋଇଛି।
ନିଜ ବିରୋଧରେ ଦାଏୟ ହୋଇଥିବା ଏକାଧିକ ମାମଲା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ରଣବୀର। ଏହି ମାମଲାର ଶୀଘ୍ର ଶୁଣାଣି ପାଇଁ ଆବେଦନ କରିଥିଲେ ରଣବୀର ଆହ୍ଲାବାଦିଆ। ତେବେ ରଣବୀରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ।
କୋର୍ଟ କହିଛନ୍ତି ମୌଖିକ ଆଧାରରେ ତ୍ଵରିତ ଶୁଣାଣିର ଦାବି ଉପରେ ବିଚାର କରାଯାଇପାରିବ ନାହିଁ। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରବୀଣ ଅଗ୍ରୀମ ଆବେଦନ ଦାଖଲ କରିବା ସହ ବିଭିନ୍ନ ସ୍ଥାନରେ ଦାଏର ହୋଇଥିବା ମାମଲାର ବିଚାର ଓ ଶୁଣାଣି ଗୋଟିଏ କୋର୍ଟରେ କରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଅନୁରୋଧ କରିଛନ୍ତି।
ହାସ୍ୟ ଅଭିନେତା ସମୟ ରାଇନାଙ୍କ ପରିଚାଳିତ ୟୁଟ୍ୟୁବ୍ ରିୟାଲିଟି ସୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ରେ ରଣବୀର ଆହ୍ଲାବାଦିଆ ପିତା, ମାତା ଓ ସନ୍ତାନଙ୍କୁ ନେଇ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ। ତାଙ୍କର ଏହି ଆପତ୍ତିଜନକ ମନ୍ତବ୍ୟକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଏଥିପାଇଁ ରଣବୀରଙ୍କ ସମେତ ଏହି ସୋ’ ରେ ଥିବା ସମୟ ରାଇନା, ଆଶିଷ ଚଞ୍ଚଲାନି ଓ ଅନ୍ୟମାନଙ୍କ ବିରୋଧରେ ଭାରତର ବିଭିନ୍ନ ରାଜ୍ୟରେ ମାମଲା ରୁଜୁ ହୋଇଛି।
ରଣବୀର ପିତାମାତାଙ୍କ ସମ୍ପର୍କକୁ ନେଇ ଦେଇଥିବା ଅଶ୍ଳୀଳ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ୟୁଟ୍ୟୁବ ପକ୍ଷରୁ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଏହି ଏପିସୋଡକୁ ଡିଲିଟ୍ କରାଯାଇଛି। ଏଥିଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ଅନେକ ରାଜନେତା, ସାମାଜିକ କର୍ମୀ, ସୋସିଆଲ ମିଡିଆ ବ୍ୟବହାରକାରୀ ଓ ଅନ୍ୟମାନେ ତାଙ୍କ ମନ୍ତବ୍ୟକୁ ଅଶ୍ଳୀଳ ଓ ଆପତ୍ତିଜନକ ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି।
ସେହିପରି ସୋ’ ରେ ଥିବା ସମୟ ରାଇନା, ଆଶିଷ ଚଞ୍ଚଲାନି ଓ ଅନ୍ୟମାନଙ୍କ ବିରୋଧରେ ଆସାମ, ଦିଲ୍ଲୀ ଓ ମୁମ୍ବାଇରେ ଅପରାଧିକ ମାମଲା ରୁଜୁ ହୋଇଛି। ମାମଲାକୁ ନେଇ ମୁମ୍ବାଇ ପୋଲିସ ରଣବୀର ଆହ୍ଲାବାଦିଆଙ୍କୁ ନୋଟିସ୍ ଜାରି କରିଛି।
ମାମଲା ଅଧିକ ଗମ୍ଭୀର ହେଉଥିବାବେଳେ ନିଜ ବିବାଦୀୟ ଟିପ୍ପଣୀକୁ ନେଇ କ୍ଷମା ମାଗିଛନ୍ତି ରଣବୀର ଆହ୍ଲାବାଦିଆ। ଏକ ଭିଡିଓ ଜାରି କରି ସେ କହିଛନ୍ତି, “ମୁଁ କମେଡିଆନ ନୁହେଁ। ଯାହା ହେଲା ସେଥିପାଇଁ ମୁଁ କୌଣସି ଏକ୍ସକ୍ୟୁଜ ଦେଉନି କି ସ୍ପଷ୍ଟୀକରଣ ରଖୁନାହିଁ। ବରଂ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି ଓ ମୋ ଭୁଲ ସ୍ଵୀକାର କରୁଛି। ଆଶା କରୁଛି ଆପଣମାନେ ମୋତେ କ୍ଷମା କରିଦେବେ। ଆଗକୁ ମୁଁ ଏପରି ଭୁଲ ଦୋହରାଇବି ନାହିଁ।”
ତେବେ ରଣବୀର ଆହ୍ଲାବାଦିଆ ଜଣେ ଲୋକପ୍ରିୟ ୟୁଟ୍ୟୁବର। ‘ବିଅର ବାଇସେପ୍ସ’ ନାମରେ ତାଙ୍କର ଏକ ପୋଡକାଷ୍ଟ ଚ୍ୟାନେଲ ରହିଥିବାବେଳେ ଏଥିରେ ବର୍ତ୍ତମାନ ୧୦.୫ ମିଲିୟନ ଫଲୋଅର୍ସ ରହିଛନ୍ତି। ଏହି ବିବାଦ ବଢ଼ିବା ପରେ ରଣବୀର ଏକ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଥିଲେ।
Tags: #RanveerAllahbadia #SupremeCourt #IndiasGotLatent #Controversy #SamayRaina #Youtube