ଓଡ଼ିଶାଲାଇଭ୍ ବ୍ୟୁରୋ

Lokaseva Bhawan

ଆଉ ମନଇଚ୍ଛା ଛୁଟିରେ ରହିପାରିବେନି ଆଇଏଏସ୍ ଅଧିକାରୀ। ଏଣିକି ଛୁଟିରେ ଯିବା ପୂର୍ବରୁ କିମ୍ବା ହେଡକ୍ଵାର୍ଟର ଛାଡ଼ିବା ପୂର୍ବରୁ ନେବା ପଡ଼ିବ ମୁଖ୍ୟ ଶାସନ ସଚିବଙ୍କଠାରୁ ଅନୁମତି। ଫେବ୍ରୁଆରି ୧୩ ତାରିଖରେ ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।

ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ଏବେଠାରୁ ଆଇଏଏସ୍ ଅଧିକାରୀମାନେ ସିଏଲ୍, ଇଏଲ୍, ପେଡ ଲିଭ୍ ଓ ମାଟର୍ଣ୍ଣିଟି ଲିଭ୍ ଭଳି ଛୁଟିରେ ଯିବାକୁ ଚାହିଁଲେ ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରିବାକୁ ପଡ଼ିବ। ତାଙ୍କ ଅନୁମତି ମିଳିବା ପରେ ହିଁ ଅଧିକାରୀମାନଙ୍କୁ ଛୁଟି ମିଳିପାରିବ।

ଏବେ ରାଜ୍ୟର କିଛି ଆଇଏଏସ୍ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କ ବିନା ଅନୁମତିରେ ଛୁଟିରେ ଯାଉଥିବା ଦେଖିବାକୁ ମିଳିଛି। ଏହା ଦ୍ଵାରା ପ୍ରଶାସନିକ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି।

ଏହି ନିୟମାବଳୀକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଅନ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ପଠାଯାଇଛି। ଏବେଠାରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ନିକଟରେ ବିନା ଅନୁମତରେ ଲମ୍ବା ଛୁଟିରେ ରହିଥିଲେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଡାକ୍ତର ପରାଗ ହର୍ଷଦ ଗାଭାଲି। ଏହାକୁ ନେଇ ଖପ୍ପା ହୋଇଥିଲେ ଜୁଏଲ ଓରାମ।

ଆଇଏଏସ୍ ଅଧିକାରୀ ପରାଗ ହର୍ଷଦ ଗାଭାଲିଙ୍କ ବିରୋଧରେ ଉଚିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଫେବ୍ରୁଆରି ୧୨ ତାରିଖରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଚିଠି ଲେଖିଥିଲେ ଜୁଏଲ।

ଜୁଏଲ ଓରାମ ଚିଠିରେ ଉଲ୍ଲେଖ କରିଥିଲେ, ଗତ ଜାନୁଆରି ୨୩ ତାରିଖରୁ ବିନା ଅନୁମତିରେ ପରାଗ ହର୍ଷଦ ଗାଭାଲି ତାଙ୍କ କାର୍ଯ୍ୟାଳୟରେ ଅନୁପସ୍ଥିତ ଅଛନ୍ତି। ଫଳରେ ମନ୍ତ୍ରୀଙ୍କ କାର୍ଯ୍ୟାଳୟର କାମ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ସର୍ବାଭରତୀୟ ସେବା ନିୟମ ଅନୁଯାୟୀ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ।

ଏହି ବିଷୟକୁ ଆଇଏଏସ୍ ପରାଗ ହର୍ଷଦ ଗାଭାଲିଙ୍କ ବ୍ୟକ୍ତିଗତ ଫାଇଲରେ ଉଲ୍ଲେଖ କରିବା ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ ଭାବେ ଲେଖିଥିଲେ। ଏହାସହ ତାଙ୍କ ବାର୍ଷିକ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ରିପୋର୍ଟରେ ମଧ୍ୟ ଦର୍ଶାଇବାକୁ ଚିଠି ମାଧ୍ୟମରେ ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ।

୨୦୨୪ ଜୁଲାଇ ୧୨ ତାରିଖରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ହୋଇଥିଲେ ଆଇଏଏସ ଡାକ୍ତର ପରାଗ ହର୍ଷଦ ଗାଭାଲି।

ଓଡ଼ିଶା କ୍ୟାଡରର ଜଣେ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରମନ୍ତ୍ରୀ ଚିଠି ଲେଖିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ଜୁଏଲ ଓରାମଙ୍କ ଚିଠିର ଗୋଟିଏ ଦିନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ୍ ଅଧିକାରୀମାନଙ୍କୁ ଛୁଟିକୁ ନେଇ ଏହିଭଳି ଏକ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ଜାରି କରାଯାଇଛି।

Tags: #IASOfficer #IASOfficerLeave #ChiefSecretary #GAandPGDept #Odisha

Comment