ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ବିଭିନ୍ନ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିମାନଙ୍କର ସାମାଜିକ ସୁରକ୍ଷା ଓ କଲ୍ୟାଣ ପାଇଁ ଗୁରୁତ୍ଵ ଦେଇଆସୁଛନ୍ତି ରାଜ୍ୟ ସରକାର। ଶ୍ରମିକମାନଙ୍କର କଲ୍ୟାଣ ନିମନ୍ତେ ଗଠନ ହୋଇଛି ‘ଓଡ଼ିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ’।
ଏହି ବୋର୍ଡ ଅଧୀନରେ ୬୦ଟି ବର୍ଗରେ ଅଣସଙ୍ଗଠିତ ଶ୍ରମିକମାନଙ୍କର ପଞ୍ଜିକରଣ ଲାଗି ବ୍ୟବସ୍ଥା ହୋଇଛି। ୧୮ ବର୍ଷରୁ ଊର୍ଦ୍ଧ୍ଵ ଏବଂ ୬୦ ବର୍ଷରୁ କମ୍ ବୟସର ସମସ୍ତ ଅଣସଙ୍ଗଠିତ ଶ୍ରମିକ ବୋର୍ଡର ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ କରି ବିଭିନ୍ନ ପ୍ରକାର ସୁବିଧାର ଲାଭ ପାଇପାରିବେ।
ବୋର୍ଡର ତାଲିକା ଅନୁଯାୟୀ ଅଣସଙ୍ଗଠିତ ଶ୍ରମିକଙ୍କ ମଧ୍ୟରେ ରହିଛନ୍ତି, କୃଷି ଶ୍ରମିକ, ଘରୋଇ ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ, ବୁଲା ବିକାଳି, ଫୁଲ ଦୋକାନୀ, ତେଜରାତି ଓ ପରିବା ଦୋକାନରେ କାମ କରୁଥିବା ସହାୟକ, ହୋଟେଲ ଓ ଢାବାରେ କାର୍ଯ୍ୟରତ ଶ୍ରମିକ, କୁମ୍ଭାର, କମାର, ଦରଜୀ, ଚିତ୍ରଶିଳ୍ପୀ, ବୁଣାକାର, ହସ୍ତଶିଳ୍ପ ଓ ହସ୍ତତନ୍ତ କାରିଗର, ଲୋକକଳା ଶିଳ୍ପୀ, ପଥର ଓ କତାଶିଳ୍ପରେ କାମ କରୁଥିବା ଶ୍ରମିକ, ଟ୍ରାଭେଲ ଓ ଟୁରିଷ୍ଟ ଗାଇଡ୍, କେୟାରଟେକର ଓ ହାଉସ୍କିପର, ଫଟୋ ଓ ଭିଡିଓଗ୍ରାଫର ଏବଂ ଡେଲିଭରି ବୟ ଆଦି ୬୦ଟି ବର୍ଗ।
ଯଦି ଅଣସଙ୍ଗଠିତ ବର୍ଗରେ ପଞ୍ଜୀକୃତ କୌଣସି ଶ୍ରମିକଙ୍କ ମୃତ୍ୟୁ ହୁଏ, ତେବେ ସାମାଜିକ ସୁରକ୍ଷା ଯୋଜନା ଅନୁଯାୟୀ ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ। ସେହିପରି ଯଦି କର୍ମକ୍ଷେତ୍ରରେ କୌଣସି ଶ୍ରମିକଙ୍କର ଦୁର୍ଘଟଣାଜନିତ ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ।
ବିଭିନ୍ନ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଭାଇ ଓ ଭଉଣୀମାନେ ନିଜ ପରିବାରର ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଯୋଡ଼ି ହେବା ଲାଗି ‘ଓଡ଼ିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ’ର ପୋର୍ଟାଲ https://ouwssb-labour.odisha.gov.in/ ରେ ପଞ୍ଜୀକରଣ କରିବାକୁ ହେବ। ପଞ୍ଜୀକରଣ ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ପଞ୍ଜୀକରଣ କରୁଥିବା ଶ୍ରମିକମାନେ ପ୍ରତି ତିନି ବର୍ଷରେ ଥରେ ଏହାର ନବୀକରଣ କରିବାର ଆବଶ୍ୟକତା ରହିଛି।
ଶ୍ରମିକ କଲ୍ୟାଣ ଯୋଜନାର ଲାଭ ଉଠାଇବା ପାଇଁ ତୁରନ୍ତ ‘ଓଡ଼ିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ’ର ପୋର୍ଟାଲରେ ପଞ୍ଜୀକରଣ କରିବାକୁ ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।
Tags: #UnorganizedWorkers, #SocialSecurity #OUWSSB #LabourCommission #Odisha