ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ହୋଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ତାଙ୍କ ନିଯୁକ୍ତିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି। ଶକ୍ତିକାନ୍ତ ଦାସ ଦ୍ଵିତୀୟ ପ୍ରମୁଖ ସଚିବ ଭାବେ ଦାୟିତ୍ଵ ତୁଲାଇବେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଅଛନ୍ତି ଡକ୍ଟର ପିକେ ମିଶ୍ର।
ଶକ୍ତିକାନ୍ତ ଦାସ ଗତ ୨୦୧୮ ମସିହାରେ ରଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତି ହୋଇଥିଲେ। ଗତ ୨୦୨୪ ଡିସେମ୍ବର ୧୪ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଶନିବାର ଦିନ ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ ସହ ତାଙ୍କ କାର୍ଯ୍ୟକାଳ ଶେଷ ହେବ।
ଶକ୍ତିକାନ୍ତ ଦାସ ହେଉଛନ୍ତି ୧୯୮୦ ବ୍ୟାଚର ତାମିଲନାଡୁ କ୍ୟାଡରର ଆଇଏଏସ ଅଧିକାରୀ। ନିଜ ଚାକିରି ଜୀବନ ମଧ୍ୟରେ ସେ ତାମିଲନାଡୁ ଏବଂ କେନ୍ଦ୍ର ସରକାରଙ୍କ ଅଧୀନରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରିଛନ୍ତି। ୨୦୧୫ରୁ ୨୦୧୭ ମସିହା ଯାଏଁ ସେ କେନ୍ଦ୍ରରେ ଅର୍ଥନୈତିକ ବ୍ୟାପାର ସଚିବ ଭାବେ ଦାୟିତ୍ଵ ତୁଲାଇଥିଲେ। ୨୦୧୭ରୁ ୨୦୧୮ ତାରିଖ ପର୍ଯ୍ୟନ୍ତ ସେ ଅର୍ଥ କମିଶନର ସଦସ୍ୟ ଥିଲେ।
୨୦୧୪ ମସିହା ଜୁନ ୧୬ ତାରିଖରୁ ୨୦୧୫ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସେ ଅର୍ଥ ମନ୍ତ୍ରାଳୟ ଅଧୀନରେ ଥିବା ରାଜସ୍ଵ ବିଭାଗର ସଚିବ ଭାବେ କାର୍ଯ୍ୟ କରିଥିଲେ।
Tags: #ShaktikantDas #PMNarendraModi #PrincipalSecretary #NewAppointment


















