ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ରାଜ୍ୟକୁ ଲଜ୍ଜିତ କରିଛି ମାଲକାନଗିରି ଜିଲ୍ଲା ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣା। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁଶାନ୍ତ ଖିଲଙ୍କୁ ଗିରଫ କରିଛି ଚିତ୍ରକୋଣ୍ଡା ଥାନା ପୋଲିସ। ଅଭିଯୁକ୍ତର ଘର ଦିସାରିଗୁଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି।
ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ମାଟ୍ରନ ଏବଂ ଏଏନଏମଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆବାସିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜିତ କୁମାର ମାଡ଼କାମୀ, ହଷ୍ଟେଲ ମାଟ୍ରନ ସୁଚିତ୍ରା ଚର୍ଚ୍ଚି ଏବଂ ଏଏନଏମ କବିତା କୁମାରୀ ପାତ୍ରଙ୍କୁ ନିଲମ୍ବନ କରାଯାଇଛି।
ମାଟ୍ରିକ ପରୀକ୍ଷା ଚାଲିଥିବାବେଳେ ଫେବ୍ରୁଆରି ୨୪ ତାରିଖରେ ମାଲକାନଗିରି ଜିଲ୍ଲା ଆବାସିକ ବିଦ୍ୟାଳୟ ହଷ୍ଟେଲ ପରିସରରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ସନ୍ତାନ ଜନ୍ମ ଦେଇଥିଲେ। ତୁରନ୍ତ ଛାତ୍ରୀ ଓ ନବଜାତକୁ ପ୍ରଥମେ ଚିତ୍ରକୋଣ୍ଡା ଓ ପରେ ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଉଭୟଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।
ମାଲକାନଗିରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଦୋଷୀଙ୍କ ବିରୋଧରେ ପୋକ୍ସୋ ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଏହି ଘଟଣା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଛାତ୍ରୀଙ୍କ ପରିବାର ଲୋକ ଦାୟୀ କରୁଥିବାବେଳେ ହଷ୍ଟେଲ ମାଟ୍ରନ ଏବଂ ଏଏନଏମଙ୍କ ଉପରେ ଦୋଷ ଲଦିଛନ୍ତି ପ୍ରଧାନଶିକ୍ଷକ। ଆବାସିକ ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ଛାତ୍ରୀ କେମିତି ଗର୍ଭବତୀ ହେଲେ ଏବଂ ଏତେ ଦିନ ଯାଏଁ ବିଦ୍ୟାଳୟ କର୍ତ୍ତୃପକ୍ଷ କିପରି ଜାଣିପାରିଲେ ନାହିଁ, ନା ଏହିଭଳି ଘଟଣାକୁ ଚପାଇ ଦେବାକୁ ବିଦ୍ୟାଳୟ ପକ୍ଷରୁ ପ୍ରୟାସ କରାଯାଉଥିଲା, ତାକୁ ନେଇ ଏବେ ପ୍ରଶ୍ନ ଉଠୁଛି।
Tags: #MatricStudent #Pregnancy #Delivery #Malkangiri #Odisha