ଓଡ଼ିଶାଲାଇଭ୍ ବ୍ୟୁରୋ

ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ପାଳନ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ତେଜିବାରେ ଲାଗିଛି ରାଜନୀତି। ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିରୋଧୀ ବିଜେଡି। ତେବେ ଏହାର ଜବାବ ରଖିଛି ବିଜେପି।

ଓଡ଼ିଶାରେ ଗତ ତିନି ଦଶନ୍ଧି ଧରି ମାର୍ଚ୍ଚ ୫ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପଞ୍ଚାୟତିରାଜ ଦିବସ ପାଳନ ହୋଇଆସୁଥିଲା। ଏବେ ଏପ୍ରିଲ ୨୪ ତାରିଖରେ ଏହି ଦିବସ ପାଳନ ହେବ। ତେବେ ମାର୍ଚ୍ଚ ୫ ତାରିଖରେ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର।

ଏହି ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ମାର୍ଚ୍ଚ ୫ରେ ପଞ୍ଚାୟତିରାଜ ଦିବସ ପାଳନ ନକରିବା ଦୁର୍ଭାଗ୍ୟଜନକ ଓ ଏହା ବିଜେପିର ସଂକୀର୍ଣ୍ଣ ମନୋଭାବର ପରିଚୟ ବୋଲି କହିଛନ୍ତି ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର।

ସେ ଆହୁରି ମଧ୍ୟ କହିଛନ୍ତି, “ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ଓଡ଼ିଶା ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଛି। ସ୍ଵର୍ଗତ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହା ହୋଇ ପାରିଥିବାରୁ ତାଙ୍କ ଜନ୍ମ ଦିବସରେ ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ହୋଇଆସୁଥିଲା। ବର୍ତ୍ତମାନର ବିଜେପି ସରକାର ଏହି ନିଷ୍ପତ୍ତିକୁ ବଦଳାଇ ଓଡ଼ିଶାର ଗୌରବକୁ କ୍ଷୁର୍ଣ୍ଣ କରିଛନ୍ତି।”

ଅନ୍ୟପଟେ ବିଜେପି ପକ୍ଷରୁ ଏହାର ଜବାବ ରଖାଯାଇ ବିଜେଡିକୁ ସମାଲୋଚନା କରାଯାଇଛି। ଏହି ପ୍ରସଙ୍ଗରେ ବିଜେଡି କେବଳ ରାଜନୀତି କରୁଥିବା ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ ଅଭିଯୋଗ କରିଛନ୍ତି।

ସାରା ଦେଶରେ ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଏ। ରାଜନୈତିକ ସ୍ଵାର୍ଥ ଦୃଷ୍ଟିରୁ ବିଜେଡି ଏହି ଐତିହାସିକ ଦିନଟିକୁ ଭୁଲି ଯାଇଥିଲା। ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀକୁ ମହାସମାରୋହରେ ପାଳିବାକୁ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ବିଜୁ ବାବୁ ସାରା ଓଡ଼ିଶାର ନେତା, ବିଜେଡି ତାଙ୍କୁ ନିଜ ଦଳରେ ସୀମିତ କରିବା କଥା ନୁହେଁ।”

ଏପ୍ରିଲ ୨୪ ତାରିଖରେ ପଞ୍ଚାୟତିରାଜ ଦିବସ ସହ ଲୋକସେବା ଦିବସ ମଧ୍ୟ ପାଳନ କରାଯିବ ବୋଲି ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ଏହି ଦିନ ବିଭିନ୍ନ ରାଜ୍ୟର ପଞ୍ଚାୟତ ପ୍ରତିନିଧିମାନଙ୍କୁ ପୁରସ୍କାର ପ୍ରଦାନ, ରାଷ୍ଟ୍ରୀୟ ଗୌରବ ଗ୍ରାମସଭା ପୁରସ୍କାର, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପୁରସ୍କାର ଆଦି ପ୍ରଦାନ କରାଯିବ। 

Tags: #PanchayatirajDivas #BijuJayanti #BJD #BJP #Odisha

LEAVE A REPLY

Please enter your comment!
Please enter your name here