ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲାରେ ପହଞ୍ଚିଛନ୍ତି ବଲିଉଡ ଦିଭା ପ୍ରିୟଙ୍କା ଚୋପ୍ରା। ସାଉଥ ସୁପରଷ୍ଟାର ମହେଶ ବାବୁ ମଧ୍ୟ ସାଙ୍ଗରେ ଅଛନ୍ତି। ଏସଏସ ରାଜାମୌଲୀଙ୍କ ହାଇ ବଜେଟର ସିନେମା ‘ଏସଏସଏମବି-୨୯’ ର ସୁଟିଂ ପାଇଁ ଏହି ଦୁଇ ତାରକା କୋରାପୁଟରେ ପହଞ୍ଚିଛନ୍ତି।

କୋରାପୁଟ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ସୁଟିଂ ହେବ ସିନେମାର ଅନେକ ଦୃଶ୍ୟ। ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଉଛନ୍ତି ଏସଏସ ରାଜାମୌଲୀ। ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି। ମାର୍ଚ୍ଚ ୧ରୁ ୨୦ ତାରିଖ ପର୍ଯ୍ୟନ୍ତ ଏଠାରେ ସୁଟିଂ ପାଇଁ ଅନୁମତି ମିଳିଛି। ଆବଶ୍ୟକ ପଡ଼ିଲେ ଅଧିକ ଦିନ ପାଇଁ ଅନୁମତି ଦିଆଯିବ ବୋଲି କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି।

ବଡ଼ ବଜେଟର ସିନେମା କୋରାପୁଟ ଜିଲ୍ଲାରେ ସୁଟିଂ ହେବା ଫଳରେ ଜିଲ୍ଲାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବାଟ ଖୋଲିଯିବ ବୋଲି ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି।

ସାଉଥ ସୁପରଷ୍ଟାର ମହେଶ ବାବୁ ଏବଂ ପୃଥ୍ଵୀରାଜ ସୁକୁମାରନଙ୍କୁ ନେଇ ଦୁଇ ଦିନ ହେଲା ସୁଟିଂ ଚାଲିଛି। ଫିଲ୍ମ ୟୁନିଟର ୫ ଶହ ଜଣିଆ ସଦସ୍ୟ ତାଳମାଳି, ସେମିଳିଗୁଡ଼ା ଏବଂ ଦାମନଯୋଡ଼ିରେ ରହୁଛନ୍ତି।

କୋରାପୁଟ ଜିଲ୍ଲାରେ ବଡ଼ ବ୍ୟାନରର ସିନେମା ସୁଟିଂ ହେବାକୁ ନେଇ ଜିଲ୍ଲାବାସୀ ବେଶ ଉତ୍ସାହିତ ଅଛନ୍ତି। ନିଜ ଜିଲ୍ଲାକୁ ସୁପରଷ୍ଟାରମାନେ ଆସୁଥିବାରୁ ସେମାନଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳୁଛି।

ସୁଟିଂ ହେଉଥିବା ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ଆଖପାଖ ଅଞ୍ଚଳକୁ କାହାରିକୁ ଯିବା ପାଇଁ ଅନୁମତି ଦିଆଯାଉ ନାହିଁ।

Tags: #PriyankaChopra #MaheshBabu #Cinema #SouthCinema #FilmShooting #Koraput #Odisha

Comment