ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ଜିଲ୍ଲା ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଜେଲ୍ ଗଲେ ବିଜେଡି ନେତା ସୌମ୍ୟଶଙ୍କର ଓରଫ୍ ରାଜା ଚକ୍ର ଗିରଫ। ଶୁକ୍ରବାର ବାଲେଶ୍ୱର ଓପିଆଇଡି କୋର୍ଟ ତାଙ୍କୁ ମାର୍ଚ୍ଚ ୧୯ ତାରିଖ ଯାଏଁ  ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ତେବେ କୋର୍ଟରେ ରାଜା ଚକ୍ରଙ୍କ ରିମାଣ୍ଡ କିମ୍ବା ଜାମିନ୍ ଆବେଦନ ହୋଇନି।

ଶୁକ୍ରବାର ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ପକ୍ଷରୁ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ମାମଲାର ଶୁଣାଣି କରି ତାଙ୍କୁ ଜେଲ୍ ପଠାଇଥିଲେ। ୧୯ ତାରିଖରେ ପୁଣି ରାଜା ଚକ୍ରଙ୍କୁ କୋର୍ଟରେ ହାଜର କରାଯିବ।

ଗୁରୁବାର ପ୍ରଥମେ ରାଜା ଚକ୍ରଙ୍କୁ ଅଟକ ରଖି ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ। ପରେ ତାଙ୍କୁ ଗିରଫ କରାଯାଇଥିଲା। ରାଜାଙ୍କ ୧୭ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ସେ ସବୁରେ ୧୮୫ କୋଟି ଟଙ୍କାର କାରବାର ହୋଇଥିବା ଯାଞ୍ଚରୁ ଜଣାପଡ଼ିଛି।

ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଚକ୍ର ୯ କୋଟି ଟଙ୍କାର ଦୁର୍ନୀତିରେ ସମ୍ପୃକ୍ତ ଥିବାର ପ୍ରମାଣ ମିଳିଛି। ମେସିନ ଲୋଡିଂ କରି ମାନୁଆଲ ଲୋଡିଂ ନାଁରେ ବିଲ୍ ହୋଇଥିବା ଅଭିଯୋଗ ହୋଇଛି। ମାମଲାରେ ବେଆଇନ ଅର୍ଥ କାରବାର ଓ ଆୟକର ଫାଙ୍କିବାର ପ୍ରମାଣ ମିଳିବା ପରେ ତଦନ୍ତକୁ ଜୋରଦାର କରିଛି ଇଓଡବ୍ଲ୍ୟୁ।

ବୁଧବାର ଏହି ମାମଲା ସହ ସମ୍ପୃକ୍ତ ରାଜା ଚକ୍ର ଓ ତାଙ୍କର ଅନ୍ୟ ୪ ଜଣ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ ହାଇକୋର୍ଟ।     

Tags: #RajaChakra #Corruption #CrimeBranch #GandhamardanLodingAgency #Kendujhar

Comment