ଓଡ଼ିଶାଲାଇଭ୍ ବ୍ୟୁରୋ
୯ ମାସ ପରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ (ଆଇଏସଏସ) ଫେରିବେ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର। ମଙ୍ଗଳବାର ବିଳମ୍ବିତ ରାତିରେ ଉଭୟେ ପୃଥିବୀରେ ପହଞ୍ଚିବେ। ସେମାନଙ୍କୁ ଫେରାଇ ଆଣିବା ‘ନାସା’ ଓ ‘ସ୍ପେସଏକ୍ସ’ ପକ୍ଷରୁ ଲଞ୍ଚ କରାଯାଇଥିବା କ୍ରୁ-୧୦ମିଶନ ସଫଳତା ପୂର୍ବକ ଆଇଏସଏସ ସହିତ ଡକିଂ ହୋଇଛି।
ଭାରତୀୟ ସମୟ ଅନୁସାରେ ସ୍ପେଶ୍ଏକ୍ସ କ୍ରୁ-୧୦ ସ୍ପେଶକ୍ରାଫ୍ଟ ସୋମବାର ରାତି ୧୦ଟା ୪୫ ମିନିଟରେ ପୃଥିବୀ ପୃଷ୍ଠକୁ ଯାତ୍ରା ଆରମ୍ଭ କରିବ। ମଙ୍ଗଳବାର ରାତି ପ୍ରାୟ ୩ଟାବେଳେ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ନେଇ ଆସିବାକୁ ଥିବା ମହାକାଶଯାନ ଫ୍ଲୋରିଡାରେ ଅବତରଣ କରିବ।
କ୍ରୁ-୧୦ ଅଭିଯାନରେ ୪ ଜଣ ସଦସ୍ୟ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାଇଛନ୍ତି। ସେମାନଙ୍କ ମଧ୍ୟରେ ନାସା ମହାକାଶଚାରୀ ଆନ୍ ମ୍ୟାକ୍କ୍ଲେନ୍ ଓ ନିକୋଲ ଆୟର୍ସ, ଜାକ୍ସା ମହାକାଶଚାରୀ ତାକୁୟା ଓନିଶି ଏବଂ ରୋସ୍କୋସ୍ମୋସ୍ ମହାକାଶଚାରୀ କିରିଲ୍ ପେସ୍କୋଭ୍ ରହିଛନ୍ତି।
ସୁନିତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କୁ ଫେରାଇ ଆଣିବା ପାଇଁ ହେବାକୁ ଥିବା ‘ନାସା’ ଓ ‘ସ୍ପେସଏକ୍ସ’ର କ୍ରୁ-୧୦ ଅଭିଯାନ ଅହେତୁକ ବିଳମ୍ବିତ ହୋଇଛି। ଗତ ବୁଧବାର ଏହାର ଉତକ୍ଷେପଣ ଠିକ୍ ପୂର୍ବରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏହି ମହାକାଶ ଯାନର ହାଇଡ୍ରୋଲିକ୍ ସିଷ୍ଟମରେ ତ୍ରୁଟି ଦେଖା ଦେବାରୁ ଏହାର ଲଞ୍ଚିଂ ବନ୍ଦ କରାଯାଇଥିଲା। ଏହାପୂର୍ବରୁ ମଧ୍ୟ ଏହି ମିଶନ ଅନେକ ଗତିରୋଧର ସାମ୍ନା କରିଥିଲା।
‘ଆଇଏସଏସ’ରେ କେମିତି ଫସିଲେ ସୁନିତା
ୱିଲିୟମ୍ସ ଓ ୱିଲମୋର ୨୦୨୪ ଜୁନ୍ ୫ ତାରିଖରେ ବୋଇଂର ଷ୍ଟାରଲାଇନରରେ ମହାକାଶକୁ ଉଡ଼ାଣ ଆରମ୍ଭ କରିଥିଲେ। ଏହି ମିଶନ ଏକ କ୍ଷୁଦ୍ର ପରୀକ୍ଷାମୂଳକ ଉଡ଼ାଣ ହେବାର ଥିଲା। ତେବେ ମହାକାଶ ଯାନର ଥ୍ରଷ୍ଟରରେ ତ୍ରୁଟି ଓ ହିଲିୟମ୍ ଲିକ୍ ଭଳି ବୈଷୟିକ ସମସ୍ୟା ଯୋଗୁଁ ନାସା ସେପ୍ଟେମ୍ବରରେ ଷ୍ଟାରଲାଇନରକୁ ଫେରାଇ ଆଣିବାକୁ ବାଧ୍ୟ ହୋଇଥିଲା।
ଏହି ଅପ୍ରତ୍ୟାଶିତ ଜଟିଳତା ମହାକାଶଚାରୀମାନଙ୍କୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ଫସି ରହିବା ପାଇଁ ବାଧ୍ୟ କରିଥିଲା। ମିଶନକୁ ପ୍ରଥମେ ୯ ଦିନିଆ ମିଶନ ଭାବେ ଯୋଜନା କରାଯାଇଥିବାବେଳେ ଏବେ ସେମାନଙ୍କ ରହଣିକୁ ୯ ମାସ ବିତି ଗଲାଣି।
Tags: #SunitaWilliams #Crew-10 #SpaceMission #ISS #NASA #SpaceX