ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଅପେକ୍ଷାର ଅନ୍ତ ଘଟିଲା। ଦୀର୍ଘ ୯ ମାସ ପରେ ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରିଲେ ସୁନିତା ୱିଲିୟମ୍ସ। ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ସମେତ ସାଥୀ ବୁଚ୍ ୱିଲମୋର ଏବଂ ଅନ୍ୟ ୨ ମହାକାଶଚାରୀ ସଫଳତାର ସହ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି।

ସେମାନଙ୍କୁ ଫେରାଇ ଆଣିବା ପାଇଁ ‘ନାସା’ ଓ ‘ସ୍ପେସଏକ୍ସ’ ପକ୍ଷରୁ ଲଞ୍ଚ କରାଯାଇଥିବା କ୍ରୁ-୧୦ ମିଶନ ସଫଳତାର ସହ ଲାଣ୍ଡିଂ କରିଛି। ଆମେରିକାର ଫ୍ଲୋରିଡା ତଟରେ ଭାରତୀୟ ସମୟ ଅନୁସାରେ ବୁଧବାର ଭୋର୍ ୩ଟା ୨୭ ମିନିଟରେ ଏହା ସଫଳତାର ସହ ଲାଣ୍ଡିଂ କରିଛି।

ଭାରତୀୟ ସମୟ ଅନୁସାରେ ସ୍ପେଶ୍ଏକ୍ସ କ୍ରୁ-୧୦ ସ୍ପେଶକ୍ରାଫ୍ଟ ସୋମବାର ରାତି ୧୦ଟା ୪୫ ମିନିଟରେ ପୃଥିବୀ ପୃଷ୍ଠକୁ ଯାତ୍ରା ଆରମ୍ଭ କରିଥିଲା। ଦୀର୍ଘ ୧୭ ଘଣ୍ଟାର ଯାତ୍ରା ପରେ ସ୍ପେସ ଷ୍ଟେସନରୁ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ମହାକାଶଚାରୀ।

ମାର୍ଚ୍ଚ ୧୫ ତାରିଖରେ ୪ ଜଣ ସଦସ୍ୟ କ୍ରୁ-୧୦ ଅଭିଯାନରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାଇଥିଲେ। ସେମାନଙ୍କ ମଧ୍ୟରେ ନାସା ମହାକାଶଚାରୀ ନାସାର ଆନ୍ନେ ମାକଲେନ, ନିକୋଲ ଆୟର୍ସ, ଜାପାନର ତାକୁୟୁ ଓନିସି ଓ ରୁଷର କିରିଲ ପେସକୋଭ ଥିଲେ।

ସୁନିତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କୁ ଫେରାଇ ଆଣିବା ପାଇଁ ‘ନାସା’ ଓ ‘ସ୍ପେସଏକ୍ସ’ର କ୍ରୁ-୧୦ ଅଭିଯାନ ଅହେତୁକ ବିଳମ୍ବିତ ହୋଇଥିଲା। ମାର୍ଚ୍ଚ ୧୨ରେ ଏହାର ଉତକ୍ଷେପଣ ଠିକ୍ ପୂର୍ବରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏହି ମହାକାଶ ଯାନର ହାଇଡ୍ରୋଲିକ୍ ସିଷ୍ଟମରେ ତ୍ରୁଟି ଦେଖା ଦେବାରୁ ଏହାର ଲଞ୍ଚିଂ ବନ୍ଦ କରାଯାଇଥିଲା। ଏହାପୂର୍ବରୁ ମଧ୍ୟ ଏହି ମିଶନ ଅନେକ ଗତିରୋଧର ସାମ୍ନା କରିଥିଲା। ଅନେକ ସ୍ଥାନରେ ସୁନିତାଙ୍କ ସଫଳ ଯାତ୍ରା ପାଇଁ କାମନା କରିଥିଲେ ଲୋକେ।

ସୁନିତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ ୱିଲମର ୨୦୨୪ ଜୁନ୍ ୫ ତାରିଖରେ ବୋଇଂର ଷ୍ଟାରଲାଇନରରେ ମହାକାଶକୁ ଉଡ଼ାଣ ଆରମ୍ଭ କରିଥିଲେ। ଏହି ମିଶନ ଏକ କ୍ଷୁଦ୍ର ପରୀକ୍ଷାମୂଳକ ଉଡ଼ାଣ ହେବାର ଥିଲା। ତେବେ ମହାକାଶ ଯାନର ଥ୍ରଷ୍ଟରରେ ତ୍ରୁଟି ଓ ହିଲିୟମ୍ ଲିକ୍ ଭଳି ବୈଷୟିକ ସମସ୍ୟା ଯୋଗୁଁ ନାସା ସେପ୍ଟେମ୍ବରରେ ଷ୍ଟାରଲାଇନରକୁ ଫେରାଇ ଆଣିବାକୁ ବାଧ୍ୟ ହୋଇଥିଲା।

ଏହି ଅପ୍ରତ୍ୟାଶିତ ଜଟିଳତା ମହାକାଶଚାରୀମାନଙ୍କୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ଫସି ରହିବା ପାଇଁ ବାଧ୍ୟ କରିଥିଲା। ମିଶନକୁ ପ୍ରଥମେ ୯ ଦିନିଆ ମିଶନ ଭାବେ ଯୋଜନା କରାଯାଇଥିବାବେଳେ ଏବେ ସେମାନେ ୯ ମାସ ପରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି।


Tags: #SunitaWilliams #SpaceMission #SuccessfulLanding #SpaceX #Crew-10 #ISS #NASA

Comment