ଓଡ଼ିଶାଲାଇଭ୍ ବ୍ୟୁରୋ

(ଢେଙ୍କାନାଳ): ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ର ଚଳିତ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ଦୀବାଲିନ ବେହେରାଙ୍କୁ ‘ରାଧାନାଥ ରଥ ସ୍ମାରକୀ’ ଫେଲୋସିପ୍ ଓ ଇଂରାଜୀ ସାମ୍ବାଦିକତା ପାଠ୍ୟକ୍ରମ ଛାତ୍ରୀ ପ୍ରିୟା ପ୍ରକାଶଙ୍କୁ ‘ସତ୍ୟ ମହାପାତ୍ର’ ସ୍ମାରକୀ ଫେଲୋସିପ୍ ପ୍ରଦାନ କରାଯାଇଛି। ଫେଲୋସିପ୍ ବାବଦକୁ ଉଭୟଙ୍କୁ ମାନପତ୍ର ସହ ଆର୍ଥିକ ରାଶି ପ୍ରଦାନ କରାଯାଇଛି।
ଆଇଆଇଏମ୍ସିର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଫେଲୋସିପ୍ ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ ସନ୍ତୋଷ କୁମାର ଉପାଧ୍ୟାୟ ଯୋଗଦେଇ ଏହି ଫେଲୋସିପ୍ ପ୍ରଦାନ କରିଛନ୍ତି।
ସାମ୍ବାଦିକତା ଏକ ଉତ୍କୃଷ୍ଟ ବୃତ୍ତି। ସମାଜରେ ବିଭିନ୍ନ କ୍ଷେତ୍ରରେ ରହିଥିବା ଅନ୍ଧକାରକୁ ସାମ୍ବାଦିକମାନେ ଦୂର କରିପାରେବେ ବୋଲି ସନ୍ତୋଷ କୁମାର ଉପାଧ୍ୟାୟ କହିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଆନନ୍ଦ ପ୍ରଧାନ ସାମ୍ବାଦିକତା କ୍ଷେତ୍ରରେ ରାଧାନାଥ ରଥ ଓ ସତ୍ୟ ମହାପାତ୍ରଙ୍କ ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମରେ ସତ୍ୟ ମହାପାତ୍ରଙ୍କ ଝିଅ ସ୍ଵାତୀ ମହାପାତ୍ର ଯୋଗ ଦେଇଥିଲେ।
ଆଇଆଇଏମ୍ସି ଢେଙ୍କାନାଳର ଇଂରାଜୀ ସାମ୍ବାଦିକତା ବିଭାଗର ସହକାରୀ ପ୍ରଫେସର ଡକ୍ଟର ବିରଞ୍ଚି ନାରାୟଣ ସେଠ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓଡ଼ିଆ ସାମ୍ବାଦିକତା ବିଭାଗର ସହକାରୀ ପ୍ରଫେସର ଡକ୍ଟର ଚିରସ୍ରୋତା ଜେନା।
“ଯେତେବେଳେ ମୁଁ ଏଠାକୁ ପଢ଼ିବାକୁ ଆସିଥିଲି ସାମ୍ବାଦିକତାର ଅ, ଆ ଜାଣିନଥିଲି। କିନ୍ତୁ ଆଜି ଭାବୁଛି ସାମ୍ବାଦିକତା ବିଷୟରେ ଅଳ୍ପ ବହୁତ ଜ୍ଞାନ ଆହରଣ କରିଛି ଏବଂ ଆଗକୁ ଆହୁରି ବହୁତ କିଛି ଶିଖିବାକୁ ଅଛି”, କହିଛନ୍ତି ଦୀବାଲିନ ବେହେରା।
ପୂର୍ବରୁ ଦି ମେଡିକ୍ସ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ସ୍ୱାସ୍ଥ୍ୟ ସାମ୍ବାଦିକତା ଲିଖନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଓଡ଼ିଆ ସାମ୍ବାଦିକତା ବିଭାଗର ଓମ ଶୁଭମ ଓ ଦ୍ୱିତୀୟ ସ୍ଥାନରେ ଥିବା ଭୁବନେଶ୍ୱରୀ ତ୍ରିପାଠୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।
ସେହିପରି ଇଂରାଜୀ ସାମ୍ବାଦିକତା ବିଭାଗର ପ୍ରଥମ ହୋଇଥିବା ମନୀଷା ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଆର୍ଯ୍ୟନ ଖାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତି, ଗ୍ରନ୍ଥାଗାର ସଂଯୋଜକ ଶୁଭଙ୍କରୀ ଦାସ, ଏକାଡେମିକ ଆସୋସିଏଟ ସନତ ପାଢ଼ୀ ଓ ସୌମ୍ୟ ରଞ୍ଜନ ବିହାରା ପ୍ରମୁଖ ଉପସ୍ଥିତ ରହିଥିଲେ।
ଢେଙ୍କାନାଳସ୍ଥିତ ଆଇଆଇଏମ୍ସିରେ ୨୦୦୨-୦୩ ଶିକ୍ଷାବର୍ଷଠାରୁ ରାଧାନାଥ ରଥ ସ୍ମାରକୀ ଫେଲୋସିପ୍ ପ୍ରଦାନ କରାଯାଇଆସୁଛି। ରାଧାନାଥ ରଥଙ୍କ ପରଲୋକ ପରେ ତାଙ୍କ ପୁଅ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ନୀଳକଣ୍ଠ ରଥ ଏହି ଫେଲୋସିପ୍ ପ୍ରଦାନ କରୁଛନ୍ତି। ସେହିପରି ‘ଦିନଲିପି’ର ସମ୍ପାଦକ ଥିବା ସତ୍ୟ ମହାପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ପରିବାର ପକ୍ଷରୁ ୨୦୧୬-୧୭ ଶିକ୍ଷାବର୍ଷଠାରୁ ସ୍ମାରକୀ ଫେଲୋସିପ୍ ପ୍ରଦାନ କରାଯାଉଛି। ଓଡ଼ିଆ ସାମ୍ବାଦିକତା ପାଠ୍ୟକ୍ରମରେ ଉତ୍କର୍ଷତା ପାଇଁ ପ୍ରତିବର୍ଷ ଏହି ଫେଲୋସିପ୍ ପ୍ରଦାନ କରାଯାଉଛି।
ଅପରାହ୍ଣରେ ଓଡ଼ିଆ ଶ୍ରେଣୀ କକ୍ଷଠାରେ ଉଭୟ ଗ୍ରୁପ୍ର ପ୍ରାଚୀର ପତ୍ରିକା ‘ତରଙ୍ଗର ତାଳେତାଳେ’ ଉନ୍ମୋଚିତ ହୋଇଥିଲା।
Tags: #IIMCDhenkanal #Fellowship #SatyaMohapatraMemorialFellowship #DrRadhanathRathMemorialFellowship #Education #Journalism