ଓଡ଼ିଶାଲାଇଭ୍ ବ୍ୟୁରୋ
(ବାରାଣାସୀ): ବାରାଣସେୟ ଉତ୍କଳ ସମାଜ ପକ୍ଷରୁ ବାରାଣାସୀର କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳନ କରାଯାଇଛି। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲିଖିତ ‘ବନ୍ଦେ ଉତ୍କଳ ଜନନୀ’ ଗାନରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ।
ଉତ୍କଳ ଦିବସ ପାଳନ ନିମନ୍ତେ ଆୟୋଜିତ ବିଶେଷ କାର୍ଯ୍ୟକ୍ରରେ ମୁଖ୍ୟ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ। ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ନିମନ୍ତେ ବାରାଣସେୟ ଉତ୍କଳ ସମାଜର ଉଦ୍ୟମକୁ ମୁଖ୍ୟ ଅତିଥି ପ୍ରଶଂସା କରିଥିଲେ।
ପ୍ରଫେସର ଗୋପବନ୍ଧୁ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସାଧାରଣ ସମ୍ପାଦକ ଡକ୍ଟର ଅମୀୟ କୁମାର ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରଫେସର ପ୍ରଦୋଷ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ପତ୍ରିକା ‘କିଛି କଥା କିଛି ବାର୍ତ୍ତା – ଏକ ଅପୂର୍ବ ଅନୁଭୂତି’ ଉନ୍ମୋଚନ ହୋଇଥିଲା।
ସନ୍ଧ୍ୟାରେ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରଫେସର ଗୋପବନ୍ଧୁ ମିଶ୍ରଙ୍କ ରଚିତ କ୍ଷୁଦ୍ର ସାମାଜିକ ନାଟକ ‘ବେଙ୍ଗ କହେ ବେଙ୍ଗୁଲି ଲୋ ପୃଥିବୀ କ୍ଷଣ କ୍ଷଣକେ ଆନ’ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ ଓ ଆଧୁନିକ ନୃତ୍ୟ ଓ ସଂଗୀତ ଅନ୍ୟତମ ଆକର୍ଷଣ ପାଲଟିଥିଲା। ପରେ କୁଇଜ ଓ ଚିତ୍ରକଳା ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଅତିଥି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବାରାଣସେୟ ଉତ୍କଳ ସମାଜ ପକ୍ଷରୁ ସମ୍ମାନୀତ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ୫ ଶହରୁ ଅଧିକ ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ। ଶେଷରେ ପ୍ରଫେସର କଲ୍ୟାଣ ଘଡ଼େଇ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #UtkalDivas #VaranaseyaUtkalSamaj #Varanasi #Celebration