ଓଡ଼ିଶାଲାଇଭ୍ ବ୍ୟୁରୋ

(ଚଣ୍ଡୀଗଡ଼): ଚଣ୍ଡୀଗଡ଼ ସେକ୍ଟର ୩୧-ଡି ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଉତ୍କଳ ଦିବସ ପାଳନ କରାଯାଇଛି। ଉତ୍କଳ ଦିବସ ପାଳନ କରିବାକୁ ପଞ୍ଚକୁଲା, ମୋହାଲି ଏବଂ ଚଣ୍ଡୀଗଡ଼ ତ୍ରୈନଗରୀ ଓ ଏହାର ଆଖପାଖରେ ରହୁଥିବା ହଜାରରୁ ଅଧିକ ଓଡ଼ିଆ ଭାଷାଭାଷୀ ଏକାଠି ହୋଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଚଣ୍ଡୀଗଡ଼ କେନ୍ଦ୍ର ଶାସିତ ଅଞ୍ଚଳର ବିଜ୍ଞାନ ଓ ପ୍ରଯୁକ୍ତି ନିର୍ଦ୍ଦେଶକ ତଥା ପ୍ରଧାନ ବନ ସଂରକ୍ଷକ ଦେବେନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାତୃଭାଷା ଓଡ଼ିଆର ସୁରକ୍ଷା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଫୁସଫୁସ ରୋଗ ବିଶେଷଜ୍ଞ ପଦ୍ମଶ୍ରୀ ଡାକ୍ତର ଦିଗମ୍ବର ବେହେରା ଯୋଗ ଦେଇ ଓଡ଼ିଶାର ଭବିଷ୍ୟତକୁ ସମୃଦ୍ଧ କରିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି କହିଥିଲେ।

ଶ୍ରୀଜଗନ୍ନାଥ ମନ୍ଦିରକୁ ପରିଚାଳନା କରୁଥିବା ଚଣ୍ଡୀଗଡ଼ ଉତ୍କଳ ସାଂସ୍କୃତିକ ସଂଘର ସଭାପତି ଡକ୍ଟର ଆର.କେ. ରଥ, ଉପ-ସଭାପତି ଏସ୍.କେ. ଭୂୟାଁ ଏବଂ ସମ୍ପାଦକ ଅରୁଣ ମଲ୍ଲିକଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସହ ସମ୍ପାଦକ ଅନୀଲ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ରହୁଥିବା କୁନି କୁନି ଓଡ଼ିଆ ପିଲା ଏବଂ ଛାତ୍ରଛାତ୍ରୀ ଓଡ଼ିଶୀ, ସମ୍ବଲପୁରୀ, କଥକ ଏବଂ ଭାରତନାଟ୍ୟମ୍ ପରିବେଷଣ କରିଥିଲେ। ଓଡ଼ିଶା ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ବସରରେ ଶ୍ରୀଜଗନ୍ନାଥାଷ୍ଟକମ୍ ଉପସ୍ଥାପନ କରିଥିଲେ ଭୂମି ଶତରୂପା। ସାଂସ୍କୃତିକ କାର୍ଯ୍ୟକ୍ରମ ଶେଷରେ ଉତ୍କଳ ସାଂସ୍କୃତିକ ସଂଘର ସଭାପତି ଏବଂ ଉପସଭାପତି ସମସ୍ତ କଳାକାରଙ୍କୁ ପୁରସ୍କୃତ କରିଥିଲେ।

୨ ମିନିଟ୍‌ ୧୧ ସେକେଣ୍ଡରେ ସଠିକ୍ ଢଙ୍ଗରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଶୁଣିବା ପାଇଁ ଏହି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

Tags: #UtkalDivas #UtkalaDibasa #OdishaDivas #Chandigarh

LEAVE A REPLY

Please enter your comment!
Please enter your name here