ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲାର ବିଭିନ୍ନ ରାସ୍ତାରେ ସୁରକ୍ଷିତ ନୁହନ୍ତି ମହିଳା। ଗତ ୪ ବର୍ଷ ମଧ୍ୟରେ ୮୧ ଜଣ ମହିଳା ଅସଦାଚରଣର ଶିକାର ହୋଇଛନ୍ତି। ଜିଲ୍ଲାର ବିଭିନ୍ନ ଥାନାରେ ଏ ନେଇ ଏକାଧିକ ମାମଲା ରୁଜୁ ହୋଇଛି। ଏହା ସରକାରୀ ତଥ୍ୟରୁ ଜଣାପଡ଼ିଛି।
ବାଲେଶ୍ଵର ଜିଲ୍ଲାରେ ଦିନ ଦ୍ଵି’ ପ୍ରହରରେ ଅସଦାଚରଣର ଶିକାର ହେଉଛନ୍ତି ମହିଳା। କେତେବେଳେ ଜାତୀୟ ରାଜପଥରେ ତ କେତେବେଳେ ବିଭିନ୍ନ ଗଳି ରାସ୍ତାରେ ଅସଦାଚରଣ ଶିକାର ହେଉଛନ୍ତି ଏମାନେ।
ସରକାରୀ ତଥ୍ୟ ଅନୁସାରେ, ଗତ ୪ ବର୍ଷରେ ବାଲେଶ୍ଵରରେ ୮୧ ଜଣ ମହିଳା ଅସଦାଚରଣର ଶିକାର ହୋଇଛନ୍ତି। ସେହିପରି ପଡ଼ୋଶୀ ଜିଲ୍ଲା ମୟୂରଭଞ୍ଜରେ ଗୋଟିଏ ମହିଳା ଅସଦାଚରଣ ଘଟଣା ସମ୍ନାକୁ ଆସିଛି।
କେବଳ ଅସଦାଚରଣ ନୁହେଁ ଦିନ ବେଳା ଡକାୟତି କ୍ଷେତ୍ରରେ ମଧ୍ୟ ରାଜ୍ୟରେ ଆଗରେ ରହିଛି ବାଲେଶ୍ଵର। ଗତ ୪ ବର୍ଷରେ ୪୧ଟି ଡକାୟତି ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି। ଭଦ୍ରକ ଜିଲ୍ଲାରେ ୨୩ଟି ଡକାୟତି ମାମଲା ରୁଜୁ ହୋଇଥିବାବେଳେ ମୟୂରଭଞ୍ଜରେ ଗୋଟିଏ ବି ମାମଲା ହୋଇନାହିଁ।
ତଥ୍ୟ ଅନୁସାରେ ୨୦୨୦ରୁ ୨୦୨୪ ମସିହା ମଧ୍ୟରେ ରାଜ୍ୟରେ ସମୁଦାୟ ୫,୬୬୮ ଟି ମହିଳା ଅସଦାଚରଣ ମାମଲା ବିଭିନ୍ନ ଥାନାରେ ହୋଇଛି। ଏଥିମଧ୍ୟରୁ ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ୩୨୨ଟି ମାମଲା ରହିଛି। ରାତ୍ରିକାଳୀନ ଡକାୟତିକୁ ନେଇ ବାଲେଶ୍ଵରର ବିଭିନ୍ନ ଥାନାରେ ୫୨ଟି ମାମଲା ରୁଜୁ ହୋଇଛି। ତେବେ ଭଦ୍ରକ ଜିଲ୍ଲାରେ ୧୧ଟି ଏବଂ ମୟୂରଭଞ୍ଜରେ ମାତ୍ର ୫ଟି ମାମଲା ରୁଜୁ ହୋଇଛି।
ବାଲେଶ୍ଵର ଜିଲ୍ଲା ୪ ବର୍ଷରେ ଜାତୀୟ ରାଜପଥ ତଥା ବିଭିନ୍ନ ରାସ୍ତାରେ ୪୨୯ଟି ଲୁଟ୍ ହୋଇଛି। ଭଦ୍ରକ ଜିଲ୍ଲାରେ ୫୪୬ଟି ରାହାଜାନୀ ମାମଲା ଏବଂ ମୟୂରଭଞ୍ଜରେ ୪୨ଟି ମାମଲା ରୁଜୁ ହୋଇଛି। ଏ ସମ୍ପର୍କରେ ବାଲେଶ୍ଵର ବାର୍ ଆସୋସିଏସନ୍ ସଭାପତି ତଥା କ୍ରିମିନାଲ ଆଡଭୋକେଟ୍ ରଘୁନାଥ ପ୍ରଧାନ କହିଛନ୍ତି, “ପୂର୍ବ ଅପେକ୍ଷା ବାଲେଶ୍ଵରରେ ଡକାୟତି, ରାହାଜାନୀ, ଛିନତାଇ ଏବଂ ଅସଦାଚରଣ ଘଟଣା ବୃଦ୍ଧି ପାଇଛି। ପୋଲିସ ପ୍ରଶାସନ ସଜାଗ ରହିବା ଦରକାର। ରାତି ସହ ଦିନରେ ମଧ୍ୟ ପେଟ୍ରୋଲିଂ ହେବା ଆବଶ୍ୟକ। ଏତଲା ଦେବା ମାତ୍ରେ ମାମଲା ରୁଜୁ କରି ତଦନ୍ତ ହେବା ଦରକାର।”
ଫକୀରମୋହନ ବିଶ୍ଵବିଦ୍ୟାଳୟ ଛାତ୍ରୀ ରଞ୍ଜିତା ବେହେରା କହନ୍ତି, ସମସ୍ତେ ନିଜ ମାନସିକତାକୁ ପରିବର୍ତ୍ତନ କରି ନାରୀଙ୍କୁ ଉଚିତ ସମ୍ମାନ ଦେବା ଜରୁରୀ। ସେମାନଙ୍କ ସୁରକ୍ଷା କଥା ଚିନ୍ତା କରିବା ଦରକାର। ସମସ୍ତେ ସଚେତନ ହେଲେ ଜଣେ ନାରୀ ବା ଝିଅଟିଏ ନିରାପଦ ଭାବେ ରାସ୍ତାରେ ଯାତାୟତ କରିପାରିବେ।
Tags: #WomenSafety #Balsore #Loot #Crime #Odisha

















