ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦିନିକିଆ ବାଲେଶ୍ୱର ଗସ୍ତ।
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀ ଦିନିକିଆ ବାଲେଶ୍ଵର ଗସ୍ତ କରିଛନ୍ତି। ଏହି ଅବସରରେ ସେ ଜିଲ୍ଲାର ବିଭିନ୍ନ ରାଜସ୍ୱ, ଜମି ଅଧିଗ୍ରହଣ ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକର ସମୀକ୍ଷା କରିଥିଲେ। ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ବାଲେଶ୍ଵର ଜିଲ୍ଲାରେ ଚାଲିଥିବା ରାଜସ୍ୱ ସମ୍ବନ୍ଧୀୟ କାର୍ଯ୍ୟକ୍ରମ, ଜମି ଅଧିଗ୍ରହଣ ପ୍ରକ୍ରିୟାରେ ସମ୍ମୁଖୀନ ହେଉଥିବା ଅସୁବିଧା ଏବଂ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ପ୍ରସ୍ତୁତି ଓ କାର୍ଯ୍ୟକାରିତାକୁ ମୂଲ୍ୟାଙ୍କନ କରିବା ଦିଗରେ ଆଲୋଚନା ହୋଇଥିଲାI ତହସିଲ ଅଫିସରୁ ଯେପରି କୌଣସି ଲୋକ ସହାୟତା ବିନା ନ ଫେରନ୍ତୁ ସେ ବାବଦରେ ସମସ୍ତ ତହସିଲଦାରଙ୍କୁ ସଜାଗ ରହିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
“ସମସ୍ତ ରାଜସ୍ୱ ଜମିର ରକ୍ଷା କରିବା ପାଇଁ ଅଧିକାରୀମାନେ ଚେଷ୍ଟିତ ହେବା ଆବଶ୍ୟକ। ତହସିଲଦାର ଏବଂ ରାଜସ୍ୱ କର୍ମଚାରୀ ସାଧାରଣ ଲୋକଙ୍କୁ ଗୁରୁତ୍ୱ ଦେବା ସହ ଲୋକାଭିମୁଖୀ ଯୋଜନାଗୁଡ଼ିକ ପ୍ରଣୟନ ନିମନ୍ତେ ଦାୟିତ୍ୱବାନ ହୁଅନ୍ତୁ। ଅସାଧୁ ଉପାୟରେ ଆଦିବାସୀଙ୍କ ଜମି ହଡପ କରୁଥିବା ଲୋକଙ୍କ ପ୍ରତି ସରକାର କଡ଼ା ପଦକ୍ଷେପ ନେବେ। ଆଗମୀ ଦିନରେ ରାଜସ୍ୱ ବିଭାଗ କିପରି ଲୋକଙ୍କ ନିକଟତର ହେବ ସେଥିପାଇଁ ଧ୍ୟାନ ଦିଅନ୍ତୁ”, କହିଛନ୍ତି ସୁରେଶ ପୂଜାରୀ।
ବସୁନ୍ଧରା ଯୋଜନାରେ ଯେଉଁମାନେ ଜମି ପାଇଁ ଯୋଗ୍ୟ ସେମାନଙ୍କୁ ଯଥା ଶୀଘ୍ର ଜମି ଦେବାକୁ ଜିଲ୍ଲା ପ୍ରଶାସନକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ପାଇଁ ଗଠିତ ଭିତ୍ତିଭୂମି ଏବଂ ଜରୁରୀକାଳୀନ ପରିସ୍ଥିତିରେ ପ୍ରଶାସନର ପ୍ରସ୍ତୁତିକୁ ସେ ନିରୀକ୍ଷଣ କରିଥିଲେ।
ଏହି ବୈଠକରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜଳେଶ୍ଵର ବିଧାୟକ ଅଶ୍ୱିନୀ ପାତ୍ର, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ବାଲେଶ୍ଵର ସଦର ବିଧାୟକ ମାନସ କୁମାର ଦତ୍ତ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବସ୍ତା ବିଧାୟିକା ସୁବାସିନୀ ଜେନା, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଏବଂ ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ବୈଠକରେ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
Tags: #SureshPujari #BaleswarVisit #RevenueandDisasterManagment #Baleswar