ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଚୈତ୍ର ପର୍ବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ ହୋଇଯାଇଛି। ଉଦଘାଟନୀ ପୂର୍ବରୁ ଶୁକ୍ରବାର ଅପରାହ୍ଣରେ ବାରିପଦାର ଅଧିଷ୍ଠାତ୍ରୀ ଦେବୀ ମା’ ଅମ୍ବିକାଙ୍କ ମନ୍ଦିର ସମ୍ମୁଖରେ ପାରମ୍ପରିକ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା। କଳସ ନାଚ, ଘୋଡ଼ା ନାଚ, ଛଉ ନୃତ୍ୟ, ପାରମ୍ପରିକ ବାଦ୍ୟଯନ୍ତ୍ରରେ ଦୁଲିକି ଥିଲା ବାରିପଦା ସହର। ମନ୍ଦିର ନିକଟରୁ ବିଶାଳ ଶୋଭାଯାତ୍ରା ଛଉ ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା।
ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ପ୍ରତ୍ୟକ୍ଷ ତତ୍ଵାବଧନାରେ ଛଉପଡ଼ିଆଠାରେ ଆୟୋଜିତ ପଲ୍ଲିଶ୍ରୀ ମେଳାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଉଦଘାଟନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନାନି, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଉପନିର୍ଦେଶକ ସମ୍ରାଟ ଗୌଡ଼ା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ, ମୟୂରଭଞ୍ଜ ଛଉ ନୃତ୍ୟ ବହୁ ପୁରାତନ, ଏହାର ସ୍ୱତନ୍ତ୍ରତା ରହିଛି। ମୟୂରଭଞ୍ଜ ଛଉ ନୃତ୍ୟର ଉନ୍ନତି ଓ ଗବେଷଣା ପାଇଁ ରାଜ୍ୟ ସରକାର ୨ କୋଟି ଅର୍ଥ ରାଶି ମଞ୍ଜୁର କରିଛନ୍ତି। ଆଉ ୩ କୋଟି ଅର୍ଥ ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ଏହି ଅବସରରେ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଚୈତ୍ର ପର୍ବର ଲୋଗୋ ଉନ୍ମୋଚନ କରିଥିଲେ।
ଉଦଘାଟନୀ ଉତ୍ସବରେ ଜିଲ୍ଲାପାଳ ହେମକାନ୍ତ ସାଏ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉପଜିଲ୍ଲାପାଳ ଡକ୍ଟର ଦୟାସିନ୍ଧୁ ପରିଡ଼ା ମଞ୍ଚ ପରିଚାଳନା କରିଥିଲେ।
ଏହି ଅବସରରେ ମୟୂରଭଞ୍ଜ ଛଉ ନୃତ୍ୟର ଇତିହାସ ଓ କଳା ନୈପୂଣ୍ୟକୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଓ ଲେଜର ସୋ’ ପ୍ରଦର୍ଶିତ ହୋଇଥିଲା।
Tags: #Chaitraparba #PallishreeMela #InauguralCeremony #Mayurbhanj #Odisha