ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ପବିତ୍ର ଅକ୍ଷୟ ତୃତୀୟ ଅବସରରେ ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି।
ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ଭାଦବ ହାଁସଦା, ଜିଲ୍ଲାପାଳ ହେମକାନ୍ତ ସାଏ, କୃଷି ବିଜ୍ଞାନ କେନ୍ଦ୍ରର ଅଧ୍ୟକ୍ଷା ବୈଜ୍ଞାନିକ ସଂଘମିତ୍ରା ପଟ୍ଟନାୟକ ଯୋଗଦେଇ ଅଖୀ ମୁଠି ଅନୁକୂଳ କରିଥିଲେ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସରକାରଙ୍କ ଯୋଜନା ଅନ୍ତର୍ଗତ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ଚାଷୀମାନେ ଯଦି ଚାଷ ସମ୍ଭନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ନିଜ ଅଞ୍ଚଳର କ୍ଷେତ୍ର କର୍ମଚାରୀଙ୍କୁ ଜଣାଇବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ସମସ୍ୟାର ସମାଧାନ ହୋଇ ନପାରିଲେ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରିବାକୁ ସେ କହିଥିଲେ।

ଉନ୍ନତ ପ୍ରଣାଳୀରେ ଚାଷ କରି ଅଧିକ ଅମଳ କରିବାକୁ କୃଷି ବିଜ୍ଞାନ କେନ୍ଦ୍ରରେ ଚାଷୀମାନଙ୍କୁ ଡିଜିଟାଲ ଟେକ୍ନୋଲୋଜି ମାଧ୍ୟମରେ ବିଭିନ୍ନ ସମୟରେ ତାଲିମ ଦିଆଯାଉଛି। ଏହାର ସୁଯୋଗ ନେବାକୁ ଚାଷୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କୁଶଚନ୍ଦ୍ର ନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମ ସିଡିଭିଓ ଡାକ୍ତର କଳ୍ପତରୁ ସ୍ୱାଇଁ, ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଟଙ୍କଧର କାଲୋ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିବାବେଳେ ବିଭିନ୍ନ ବିଭାଗର ଅଧିକାରୀ, ଚାଷୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
କୃଷି ଅଧିକାରୀ ମଧୁସ୍ମିତା ଜେନା, ରମ୍ୟ ରଞ୍ଜନ ମହାନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଭାଗୀୟ କର୍ମଚାରୀମାନେ ସହଯୋଗ କରିଥିଲେ। ଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ଅଧ୍ୟକ୍ଷା ଧନ୍ୟବାଦ ଅର୍ପଣ କରିଥିଲେ।
Tags: #DistrictLevelKrushakDivas #AkshayTritiya #Mayurbhanj #Odisha


















