ଓଡ଼ିଶାଲାଇଭ୍ ବ୍ୟୁରୋ

ଘରେ ଘରେ ଆଜି ବିଦ୍ୟୁତ ଶକ୍ତିର ବ୍ୟବହାର ବଢ଼ିବାରେ ଲାଗିଛି। ତେଣୁ, ବିଭିନ୍ନ ପାରମ୍ପରିକ ଶକ୍ତି ଉପରୁ ନିର୍ଭରଶୀଳତା କମାଇ, ସୌରଶକ୍ତି ବା ଅକ୍ଷୟଶକ୍ତି ବ୍ୟବହାର କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛି ଭାରତ। ଏ ଦିଗରେ ଓଡ଼ିଶା କିପରି ପ୍ରସ୍ତୁତ ହେଉଛି ସେ ବିଷୟରେ ଓଡ଼ିଶାଲାଇଭକୁ କହିଛନ୍ତି ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ।
ଓଡ଼ିଶା ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ନୂତନ ‘ଅକ୍ଷୟଶକ୍ତି’ ନୀତି କ’ଣ? ସେ ବିଷୟରେ ବିସ୍ତୃତ ଭାବେ କହନ୍ତୁ?
ଓଡ଼ିଶାରେ ଅକ୍ଷୟଶକ୍ତିର ବହୁଳ ପ୍ରସାର ପାଇଁ ରାଜ୍ୟ ସରକାର, ନୂତନ ଅକ୍ଷୟ ଶକ୍ତି ନୀତି ୨୦୨୨ର ପ୍ରଣୟନ କରିଛନ୍ତି। ୨୦୩୦ ସୁଦ୍ଧା ରାଜ୍ୟରେ ୧୦ ହଜାର ୯୬୦ ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ କ୍ଷମତା ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଛି। ତା’ ଭିତରେ ଭାସମାନ ସୌରଶକ୍ତି ପାଖାପାଖି ୫୦୦୦ ମେଗାୱାଟ, ଗ୍ରାଉଣ୍ଡ ମାଉଣ୍ଟେଡ୍ ବା ଭୂମି ଉପରେ ୨୫୦୦ ମେଗାୱାଟ, ରୁଫଟପ୍ ସୋଲାର ୨୦୦୦ ମେଗାୱାଟ, ପବନ ଶକ୍ତି ୧୨୦୦ ମେଗାୱାଟ ଏବଂ କ୍ଷୁଦ୍ର ଜଳ ବିଦ୍ୟୁତ୍ ଶକ୍ତି ୨୬୦ ମେଗାୱାଟ ଆଦି ରହିଛି।
ତା’ଛଡ଼ା ଉଦ୍ୟୋଗ, ଗୃହ ଓ ସାର୍ବଜନିନ କ୍ଷେତ୍ରରେ ସବୁଜଶକ୍ତିର ବ୍ୟବହାର ବୃଦ୍ଧି କରିବା ଏବଂ ସାଧାରଣ ଲୋକଙ୍କୁ ଏ ଦିଗରେ ପ୍ରୋତ୍ସାହନ ଯୋଗାଇଦେବା ହେଉଛି ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ।

ଏହି ନୀତି କିପରି ‘ସବୁଜଶକ୍ତି’ ବ୍ୟବହାରକୁ ପ୍ରୋତ୍ସାହିତ କରିବାରେ ସହାୟକ ହେଉଛି?
ନୂତନ ଅକ୍ଷୟ ଶକ୍ତି ନୀତି ୨୦୨୨ ମାଧ୍ୟମରେ ସବୁଜଶକ୍ତି ଉତ୍ପାଦକ ଓ ନିବେଶକମାନଙ୍କ ପାଇଁ ବିଭିନ୍ନ ଆର୍ଥିକ ତଥା ବ୍ୟବସ୍ଥାଗତ ପ୍ରୋତ୍ସାହନ ଦିଆଯାଉଛି। ପ୍ରକଳ୍ପ ଅନୁମୋଦନ ପାଇଁ ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥା ମଧ୍ୟ କରାଯାଇଛି। ଅକ୍ଷୟଶକ୍ତିର ବିକାଶ ପାଇଁ ନୋଡାଲ ଏଜେନ୍ସି ଭାବରେ ଗ୍ରିଡକୋକୁ ଦାୟିତ୍ୱ ଦିଆଯାଇଛି। ଏହି ନୀତି ଅନୁଯାୟୀ, ରାଜ୍ୟରେ ଅନ୍ତର୍ଜାତୀୟ ସ୍ତରର ଏକ ଅକ୍ଷୟ ଶକ୍ତି ଗବେଷଣା କେନ୍ଦ୍ର ସ୍ଥାପନ ଲକ୍ଷ୍ୟ ରଖାଯାଇଛି।
ରାଜ୍ୟ ସରକାରଙ୍କ ଏହି ଦୃଢ଼ ପଦକ୍ଷେପ ଯୋଗୁଁ ଓଡ଼ିଶା ଆଜି ସବୁଜଶକ୍ତି କ୍ଷେତ୍ରରେ ଆଗକୁ ଯାଉଛି। ଏହା ରାଜ୍ୟର ଆର୍ଥିକ ବିକାଶ ସହ ପରିବେଶ ସୁରକ୍ଷାକୁ ସନ୍ତୁଳିତ କରୁଛି।

ଅକ୍ଷୟଶକ୍ତି କ୍ଷେତ୍ରରେ ଓଡ଼ିଶାରେ ପୁଞ୍ଜି ନିବେଶର ଚିତ୍ର କ’ଣ ରହିଛି?
ଅକ୍ଷୟଶକ୍ତି ନୀତି ୨୦୨୨ କାର୍ଯ୍ୟକାରୀ ହେବା ପରଠାରୁ, ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ ମାଧ୍ୟମରେ, ୧୨,୩୧୮ କୋଟି ଟଙ୍କାର ୧୭୦୮ ମେଗାୱାଟର ସବୁଜ ଶକ୍ତି ପ୍ରକଳ୍ପ ମଞ୍ଜୁର କରାଯାଇଛି।
ଏହି କ୍ରମରେ ‘ଉତ୍କର୍ଷ ଓଡ଼ିଶା ୨୦୨୫’ ନିବେଶକ ସମ୍ମିଳନୀରେ ଏମସିଏଲ, ଏନଏଲସି, ଆଇଓସିଏଲ୍, ଏଚପିସିଏଲ୍, ଓଏନଜିସି ତ୍ରିପୁରା ପାୱାର କର୍ପୋରେସନ ଏବଂ ଆରଇସିପିଡିସିଏଲ୍ ଭଳି କେନ୍ଦ୍ରୀୟ ଉଦ୍ୟୋଗମାନଙ୍କ ସହିତ ୯ଟି ଏମଓୟୁ ସ୍ୱାକ୍ଷର କରାଯାଇଛି। ଏହା ମାଧ୍ୟମରେ ୧.୨୪ ଲକ୍ଷ କୋଟି ଟଙ୍କା ନିବେଶ ଆସିବା ସହିତ ୧୮, ୩୧୬ ମେଗାୱାଟର ସବୁଜ ଓ ଅକ୍ଷୟଶକ୍ତି ପ୍ରକଳ୍ପ ବିକଶିତ କରିବାର ଲକ୍ଷ୍ୟ ରହିଛି।
ରାଜ୍ୟରେ ପାଖାପାଖି ୪.୪୦ ଲକ୍ଷ କୋଟି ଟଙ୍କା ମୂଲ୍ୟର ସବୁଜ ଶକ୍ତି ସମ୍ପର୍କିତ ନିବେଶ ପ୍ରସ୍ତାବ ଆସିଥିଲା। ସେଥିରେ ୨.୦୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ୩୫,୦୦୦ ମେଗାୱାଟ ପମ୍ପ ଷ୍ଟୋରେଜ୍ ପ୍ରକଳ୍ପ ଏବଂ ୧.୧୦ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨୧,୦୦୦ ମେଗାୱାଟ ସୌରପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହାଛଡ଼ା, ନିବେଶକମାନେ ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ ଆମୋନିଆ ଓ ବ୍ୟାଟେରୀ ଷ୍ଟୋରେଜ୍ ପ୍ରକଳ୍ପ ପାଇଁ ମଧ୍ୟ ଆଗ୍ରହୀ ଅଛନ୍ତି। ପାରାଦୀପ ଏବଂ ଗୋପାଳପୁର ବନ୍ଦର ସହରକୁ ଗ୍ରୀନ ହାଇଡ୍ରୋଜେନ୍ ବିକାଶ ପାଇଁ ହବ୍ ଭାବରେ ବିକଶିତ କରାଯାଉଛି।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ ଅକ୍ଷୟ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ଦିଆଯାଉଛି। ଓଡ଼ିଶାରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କ’ଣ ସବୁ ବିଶେଷ ପଦକ୍ଷେପ ନିଆଯାଉଛି?
ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଅଧୀନରେ, ଗ୍ରାହକମାନଙ୍କୁ ଘରର ଛାତ ଉପରେ ସୌରଶକ୍ତି ସ୍ଥାପନ ଲାଗି ଉତ୍ସାହିତ କରାଯାଉଛି। ଏଥିପାଇଁ କେନ୍ଦ୍ରୀୟ ସବ୍ସିଡିକୁ ଛାଡ଼ି, ରାଜ୍ୟ ସରକାର ଅତିରିକ୍ତ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ୨୦୨୬-୨୭ ବର୍ଷ ସୁଦ୍ଧା ୩ ଲକ୍ଷ ପରିବାରକୁ ରୁଫଟପ୍ ସୋଲାର ସଂଯୋଗ କରିବାର ଲକ୍ଷ୍ୟ ରହିଛି।
୧ କିଲୋୱାଟ ପାଇଁ ୨୫,୦୦୦ ଟଙ୍କା, ୨ କିଲୋୱାଟ ପାଇଁ ୫୦,୦୦୦ ଟଙ୍କା ଓ ୩ କିଲୋୱାଟ ସଂଯୋଗ ପାଇଁ ୬୦,୦୦୦ ଟଙ୍କାର ଅନୁଦାନ ବ୍ୟବସ୍ଥା ହୋଇଛି। ଏଥିପାଇଁ ରାଜ୍ୟ ସରକାର ୧,୮୦୦ କୋଟି ଟଙ୍କାର ପ୍ରାବଧାନ ରଖିଛନ୍ତି। ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ୭୫ଟି ଭେଣ୍ଡରକୁ ଅନୁବନ୍ଧିତ କରାଯାଇଛି।

ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ନିର୍ଗମନକୁ ନିୟନ୍ତ୍ରଣ କରିବା ପାଇଁ ୨୦୩୦ ସୁଦ୍ଧା ଭାରତ ସବୁଜଶକ୍ତି ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି। ଏ ଦିଗରେ ଓଡ଼ିଶାର ଯୋଗଦାନ କିପରି ରହିବ?
ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନର ସମସ୍ୟା ସମଗ୍ର ପୃଥିବୀ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି। ଏହି କ୍ରମରେ ଭାରତ ସବୁଜଶକ୍ତି ପ୍ରକଳ୍ପର ସ୍ଥାପନ ଏବଂ ୨୦୭୦ ବର୍ଷ ସୁଦ୍ଧା ‘ଶୂନ୍ୟ ନିର୍ଗମନ’ ସ୍ଥିତି ହାସଲ କରିବା ପାଇଁ ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ସ୍ଥିର କରିଛି। ଓଡ଼ିଶା ଅକ୍ଷୟ ଶକ୍ତି ନୀତି ୨୦୨୨ ମାଧ୍ୟମରେ ୨୦୩୦ ସୁଦ୍ଧା ୧୦.୯୬ ଗିଗାୱାଟ୍ ନବୀକରଣ ଶକ୍ତି କ୍ଷମତା ଏବଂ ୬.୩ ଏମଏମଟିପିଏ ସବୁଜ ଆମୋନିଆ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି।
ଓଡ଼ିଶା ସୌର ପିଭି ସେଲ୍, ଇଲେକ୍ଟ୍ରୋଲାଇଜର୍, ବ୍ୟାଟେରୀ ଷ୍ଟୋରେଜ୍ ସିଷ୍ଟମ୍ ଏବଂ ଅନ୍ୟାନ୍ୟ ଘରୋଇ ଉତ୍ପାଦନ ପାଇଁ ଯୋଜନା ସହିତ ଏକ ଆତ୍ମନିର୍ଭରଶୀଳ ସବୁଜ ଶକ୍ତି ଉତ୍ପାଦନ କେନ୍ଦ୍ର ଗଠନ କରିବାକୁ କାମ କରୁଛି। ଫଳରେ ଓଡ଼ିଶା ଶ୍ରେଷ୍ଠ ୧୦ଟି ସବୁଜଶକ୍ତି ଉତ୍ପାଦନକାରୀ ରାଜ୍ୟ ମଧ୍ୟରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରହିଛି।
ଶିଳ୍ପ କ୍ଷେତ୍ରରେ ୨୫ ପ୍ରତିଶତ ସବୁଜଶକ୍ତି ବ୍ୟବହାରକୁ ନିଶ୍ଚିତ କରିବା ଏବଂ ପ୍ରଧାନମନ୍ତ୍ରୀ-କୁସୁମ ଯୋଜନା ତଥା ରାଜ୍ୟ ସମର୍ଥିତ କାର୍ଯ୍ୟକ୍ରମ ଦ୍ୱାରା କୃଷି କ୍ଷେତ୍ରରେ ୫୦ ପ୍ରତିଶତରୁ ଅଧିକ ସବୁଜଶକ୍ତି ବ୍ୟବହାର ହାସଲ କରିବାକୁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
Tags: #EnergyDptOdisha #RenewableEnergy #SolarEnergy #WorldClassRenewableEnergyResearchInstitute #Odisha












