ଭାସ୍କର ପରିଚ୍ଛା

ସାରା ଓଡ଼ିଶାରେ ଯେପରି ଅଧିକରୁ ଅଧିକ ଅକ୍ଷୟ ଶକ୍ତିର ଉତ୍ପାଦନ ସହ ବ୍ୟବହାର ହୋଇପାରିବ, ସେନେଇ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ‘ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୨୨’ ପ୍ରଣୟନ କରିଛନ୍ତି। ଏହି ନୀତି ଅନୁସାରେ ୨୦୩୦ ସୁଦ୍ଧା ରାଜ୍ୟରେ ପ୍ରାୟ ୧୧ ହଜାର ମେଗାୱାଟ୍‌ ସବୁଜଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଶକ୍ତି ବିଭାଗ ପକ୍ଷରୁ ଏହାର ପରିଚାଳନା ନିୟମାବଳୀକୁ ଅନୁମୋଦନ କରାଯାଇଛି।

‘ଓଡ଼ିଶା ଅକ୍ଷୟ ଶକ୍ତି ନୀତି’ ଅନୁସାରେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସୌରଶକ୍ତି ସମ୍ପନ୍ନ କରାଯିବ। ଏନେଇ ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ଵ ଦିଆଯିବ। ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ଏ ସବୁ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିପରି ଓଡ଼ିଶା ଅକ୍ଷୟଶକ୍ତି ନୀତି-୨୦୨୨ ଅଧୀନରେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ନିବେଶକଙ୍କ ପ୍ରସ୍ତାବର ତ୍ୱରିତ ସମୀକ୍ଷା କରିବା ପାଇଁ ଶକ୍ତି ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ ସୁବିଧା କକ୍ଷ ବା ଷ୍ଟେଟ୍‌-ଲେଭେଲ ଫେସିଲିଟେସନ୍‌ ସେଲ୍‌ ଖୋଲାଯାଇଛି।

ଅକ୍ଷୟ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆଗତ ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ ସହ ଅକ୍ଷୟ ଶକ୍ତି ନୀତି କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଏହି ସେଲ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ। ଫଳରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଧିକରୁ ଅଧିକ ନିବେଶ ରାଜ୍ୟକୁ ଆସିପାରିବ ବୋଲି ସରକାର ବିଚାର କରୁଛନ୍ତି।

ଏହି କ୍ରମରେ ରାଜ୍ୟରେ ଏକ ଅକ୍ଷୟ ଶକ୍ତି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା କରାଯାଇଛି। ଏ ଧରଣର ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେଲେ, ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଧିକ ଗବେଷଣା ହେବା ସହ ଏ କ୍ଷେତ୍ରର ଆହ୍ୱାନକୁ ସଫଳତାର ସହ ମୁକାବିଲା କରାଯାଇପାରିବ।

ଆଇଆଇଟି ଭୁବନେଶ୍ୱର ଅକ୍ଷୟ ଶକ୍ତି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଏନେଇ ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା।

ସେହିପରି ସବୁଜଶକ୍ତି ଉତ୍ପାଦନ, ପରିବହନ, ସଂରକ୍ଷଣ ମଧ୍ୟ ପୂର୍ବାପେକ୍ଷା ବେଶ୍‌‌ ସହଜସାଧ୍ୟ ହୋଇପାରିବ ବୋଲି ଆଶା କରାଯାଉଛି। ସବୁଜଶକ୍ତି ଗବେଷଣା କ୍ଷେତ୍ରରେ କିପରି ଅଧିକରୁ ଅଧିକ ଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇ ସହଭାଗିତା ଭିତ୍ତିରେ କାର୍ଯ୍ୟକ୍ରମ ହାତକୁ ନିଆଯାଇପାରିବ, ସେନେଇ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଛି।

ଅପରପକ୍ଷେ ଓଡ଼ିଶାରେ ଗ୍ରୀନ୍‌ ହାଇଡ୍ରୋ‌ଜେନ୍‌ ଶକ୍ତି ଚାଳିତ ବସ୍‌‌ ସେବା ଆରମ୍ଭ କରିବାକୁ ମଧ୍ୟ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଏପରି ବସ୍‌‌ ଚଳାଚଳ ରାଜ୍ୟରେ ହେଲେ ପ୍ରଦୂଷଣର ମାତ୍ରା କମ୍‌‌ ହେବା ସହ ଏହା ଅଧିକ ପରିବେଶ ଉପଯୋଗୀ ହୋଇପାରିବ।

ଏନ‌ଟିପିସିର ଆରଇଏଲ୍‌ ‌(ରିନ୍ୟୁଏବୁଲ୍‌‌ ଏନର୍ଜି ଲିମିଟେଡ୍‌) ପକ୍ଷରୁ ରାଜ୍ୟରେ ଏଥିପାଇଁ ଏକ ଗ୍ରୀନ୍‌‌ ହାଇଡ୍ରୋଜେନ୍‌‌ ପ୍ଲାଣ୍ଟ ଲଗାଇବାକୁ ଶକ୍ତି ବିଭାଗ ନିକଟରେ ପ୍ରସ୍ତାବ ଦିଆଯାଇଛି। ଏହି ପ୍ଲାଣ୍ଟରୁ ବସଗୁଡ଼ିକ ପାଇଁ ଆବଶ୍ୟକ ଗ୍ରୀନ୍‌ ହାଇଡ୍ରୋଜେନ୍‌‌ ଉପଲବ୍ଧ କରାଯାଇପାରିବ। ଏନ‌ଟିପିସିର ଉପରୋକ୍ତ ପ୍ରସ୍ତାବକୁ ରାଜ୍ୟ ସରକାର ଗୁରୁତ୍ଵର ସହ ନେଇଛନ୍ତି। ଏହି ପ୍ରସ୍ତାବକୁ କିପରି କାର୍ଯ୍ୟକାରୀ କରାଯାଇପାରିବ, ସେନେଇ ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ ହେବ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Tags: #OdishaRenewableEnergyPolicy #RenewableEnergy #GreenEnergy #Odisha

Comment