ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୩୦ ସୁଦ୍ଧା ସୌରଶକ୍ତିରେ ଟ୍ରେନ୍‌ ଚଳାଇବା ପାଇଁ ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଏନେଇ ଏବେଠୁ କାମ ଆରମ୍ଭ ହୋଇଛି। ରେଲୱେର ଖାଲିପଡ଼ିଥିବା ବିଭିନ୍ନ ଜାଗାରେ ସୌରଶକ୍ତି କେନ୍ଦ୍ରମାନ ପ୍ରତିଷ୍ଠା କରାଯାଉଛି। ଏହାସହ ସବୁ ରେଳ ଷ୍ଟେସନକୁ ସୌରଶକ୍ତିରେ ଆତ୍ମନିର୍ଭରଶୀଳ କରିବା ପାଇଁ ବ୍ୟବସ୍ଥା କରାଯାଉଛି।

କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ରେଳବାଇକୁ ସଂପୂର୍ଣ୍ଣ ପ୍ରଦୂଷଣମୁକ୍ତ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖିଥିଲେ ତାହାକୁ ଏହି ସୌରଶକ୍ତି ଅଭିଯାନ ସାକାର କରିବ ବୋଲି କୁହାଯାଉଛି।

ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶର ରାଏବରେଲିସ୍ଥିତ ଏମ୍‌ସିଏଫ୍‌ ସୌରପ୍ଲାଣ୍ଟରୁ ୩ ମେଗାୱାଟ ଶକ୍ତି ଉତ୍ପାଦିତ ହେଉଛି। ଏହାଛଡା ଦେଶର ବିଭିନ୍ନ ଷ୍ଟେସନ ଏବଂ ରେଳବାଇ କୋଠା ଉପରେ ତିଆରି ହୋଇଥିବା ସୌର ପ୍ରକଳ୍ପରୁ ୧୦୦ ମେଗାୱାଟ ବିଜୁଳି ମିଳୁଛି। ଏହାଛଡା ମଧ୍ୟପ୍ରଦେଶର ବୀନାଠାରେ ୧.୭ ମେଗାୱାଟ ଶକ୍ତିସଂପନ୍ନ ଏକ ସୌରପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଏହି କେନ୍ଦ୍ରରୁ ଉତ୍ପାଦିତ ସୌରଶକ୍ତି ସିଧାସଳଖ ରେଳପଥ ଉପରେ ଥିବା ବିଜୁଳି ବ୍ୟବସ୍ଥା (ଟ୍ରାକ୍ସନ ସିଷ୍ଟମ) ସହ ସଂଯୁକ୍ତ ହେବ। ଏବେ ଏଥିରୁ ପରୀକ୍ଷାମୂଳକ ଉତ୍ପାଦନ ଚାଲିଛି ଏବଂ ୧୫ ଦିନ ମଧ୍ୟରେ ଏହା ଚାଲୁ ହେବ।

ଭାରତ ହେଭି ଇଲେକ୍ଟ୍ରିକାଲ୍ସ ସହଯୋଗିତାରେ ନିର୍ମିତ ଏହି ପ୍ରକଳ୍ପ ବିଶ୍ୱର ଅତ୍ୟାଧୁନିକ ସୌର ପ୍ରକଳ୍ପ। ଏଥିରୁ ଉତ୍ପାଦିତ ଡାଇରେକ୍ଟ କରେଣ୍ଟକୁ ସିଙ୍ଗଲ ଫେଜ୍‌ ଅଲଟରନେଟ କରେଣ୍ଟରେ ପରିବର୍ତ୍ତନ କରିବାକୁ ଅଭିନବ ଜ୍ଞାନକୌଶଳ ଉପଯୋଗ କରାଯାଇଛି। ଏହା ଫଳରେ ଉତ୍ପାଦିତ ସୌରଶକ୍ତି ସିଧାସଳଖ ରେଳବାଇର ଓଭରହେଡ ଟ୍ରାକ୍ସନ ବ୍ୟବସ୍ଥାକୁ ଯୋଗାଇ ଦେଇହେବ। ବୀନା ଟ୍ରାକ୍ସନ ସବ୍‌ଷ୍ଟେସନ ନିକଟରେ ଏହି ସୌରଶକ୍ତି କେନ୍ଦ୍ର ସ୍ଥାପନ କରାଯାଇଛି। ବର୍ଷକୁ ଏହି କେନ୍ଦ୍ରରୁ ପ୍ରାୟ ୨୫ ଲକ୍ଷ ୟୁନିଟ ବିଜୁଳି ଉତ୍ପାଦିତ ହୋଇପାରିବ। ଏହାଦ୍ୱାରା ରେଳବାଇର ପ୍ରତିବର୍ଷ ୧.୩୭ କୋଟି ଟଙ୍କା ବଞ୍ଚିବ।

ଭାରତୀୟ ରେଳବାଇ ଏବଂ ‘ଭେଲ୍‌’ର ଅଧିକାରୀମାନେ ନିରବଚ୍ଛିନ୍ନଭାବେ କାର୍ଯ୍ୟକରି ଏହି ଅଭିନବ ପ୍ରକଳ୍ପ ନିର୍ମାଣ ଶେଷ କରିଛନ୍ତି। ‘ଭେଲ୍‌’ ଏହାର ସିଏସ୍‌ଆର କାର୍ଯ୍ୟକ୍ରମରେ ପ୍ରକଳ୍ପଟିକୁ ତିଆରି କରିଛି। ମାତ୍ର ୮ ମାସରେ ‘ଭେଲ୍‌’ ଓ ରେଳବାଇ ମିଳିତଭାବେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାରେ ସମର୍ଥ ହୋଇଛନ୍ତି। ଏଥିପାଇଁ ୨୦୧୯ ଅକ୍ଟୋବର ୯ ତାରିଖରେ ଦୁଇପକ୍ଷ ମଧ୍ୟରେ ଚୁକ୍ତିନାମା ସଂପନ୍ନ ହୋଇଥିଲା। ପୂର୍ବରୁ ଉଲ୍ଲେଖ କରାଯାଇଛି ଯେ ଏହି ପ୍ଲାଣ୍ଟରୁ ଉତ୍ପାଦିତ ଡିସି କରେଣ୍ଟ ଏସି କରେଣ୍ଟରେ ପରିବର୍ତ୍ତିତ ହୋଇ ସିଧାସଳଖ ରେଳବାଇ ଟ୍ରାକ୍ସନ ବ୍ୟବସ୍ଥାକୁ ଯାଇପାରିବ।

ଏହାସହିତ ଛତିଶଗଡ଼ର ଭିଲାଇ ନିକଟ ଅବ୍ୟବହୃତ ରେଳ ଜମିରେ ୫୦ ମେଗାୱାଟ ବିଶିଷ୍ଟ ଗୋଟିଏ ସୌରଶକ୍ତି କେନ୍ଦ୍ର ଏବଂ ହରିଆଣାର ଦିୱାନାଠାରେ ୨ ମେଗାୱାଟର ଅନୁରୂପ ଏକ ପ୍ଲାଣ୍ଟ ନିର୍ମାଣ ଚାଲିଛି। ଭିଲାଇ ପ୍ଲାଣ୍ଟଟି ୨୦୨୧ ମାର୍ଚ୍ଚ ୩୧ ପୂର୍ବରୁ ଏବଂ ଦିୱାନ ପ୍ଲାଣ୍ଟଟି ଚଳିତବର୍ଷ ଅଗଷ୍ଟ ଶେଷସୁଦ୍ଧା କାର୍ଯ୍ୟକ୍ଷମ ହେବ।

Comment