ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସାହିତ୍ୟିକ ମନ୍ମଥନାଥ ଦାସଙ୍କ ଜନ୍ମ ଶତବାର୍ଷିକୀ ବିଶ୍ୱବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ମନ୍ମଥନାଥ ଦାସଙ୍କ ବୋହୂ ରଞ୍ଜିତା ଦାସ ଯୋଗଦେଇ ନିଜ ଅଭିଭାଷଣ ରଖିଥିଲେ।
ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ଡକ୍ଟର ଗୌରହରି ଦାସ ଯୋଗଦେଇ ମନ୍ମଥନାଥ ଦାସଙ୍କ ରଚିତ ପୁସ୍ତକଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଐତିହାସିକ ଭାବେ ତାଙ୍କ ଜୀବନୀ, ଦର୍ଶନ ଓ ସାହିତ୍ୟ ସାଧନା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଐତିହାସିକ ଖାରବେଳ ମହାନ୍ତି ଯୋଗଦେଇ ମନ୍ମଥନାଥ ଦାସଙ୍କ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ।
ଏହି କାର୍ଯ୍ୟକ୍ରମର ଦୁଇଟି ବିଷୟଭିତ୍ତିକ ଅଧିବେଶନରେ ଦାଶ ବେନହୁର, ଅଭିରାମ ବିଶ୍ଵାଳ, ରୁଦ୍ରାଣୀ ମହାନ୍ତି, ସହଦେବ ସାହୁ, ଅଶୋକ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ପ୍ରଧାନ, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ପ୍ରହଲ୍ଲାଦ ସିଂହ ପ୍ରମୁଖ ଯୋଗଦେଇ ମନ୍ମଥନାଥ ଦାସଙ୍କ ସମ୍ପର୍କରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମର ଉଦଘାଟନୀ ସଭାରେ ସାହିତ୍ୟ ଏକାଡେମୀ କୋଲକାତାର ଭାରପ୍ରାପ୍ତ ଅଧିକାରୀ କ୍ଷେତ୍ରବାସୀ ନାଏକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଦେବାଶିଷ ପାତ୍ର ସଞ୍ଚାଳନା କରିଥିଲେ।
ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ସାହିତ୍ୟ ଅକାଡେମୀ ପକ୍ଷରୁ ପ୍ରକାଶିତ ଅନେକ ପୁସ୍ତକର ପ୍ରଦର୍ଶନୀ ସହ ବିକ୍ରୟର ଆୟୋଜନ କରାଯାଇଥିଲା। ଦୁଇଟି ଅଧିବେଶନର ଶେଷରେ ଭାଷା ଓ ସାହିତ୍ୟ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଜୟନ୍ତ କୁମାର ଦାସ ଓ ଡକ୍ଟର ପ୍ରହ୍ଲାଦ ଖିଲ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #BirthCentenary #ManmathnathDas #FMUniversity #Balasore


















