ଓଡ଼ିଶାଲାଇଭ୍ ବ୍ୟୁରୋ
ସାମରିକ ସହଯୋଗଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଭାରତ ଓ ଆମେରିକା ପରସ୍ପରର ପାର୍ଟନର ରହିଛନ୍ତି। ୨୦୧୬ ମସିହାରେ ଭାରତକୁ ‘ମେଜର ଡିଫେନ୍ସ ପାର୍ଟନର’ର ମାନ୍ୟତା ଦେଇଥିଲା ୟୁଏସ କଂଗ୍ରେସ।
ନିକଟରେ ପହଲଗାମ ଆକ୍ରମଣ ଏବଂ ଭାରତର ଅପରେସନ୍ ସିନ୍ଦୂରକୁ ନେଇ ସୀମାରେ ତୀବ୍ର ଉତ୍ତେଜନା ସୃଷ୍ଟି ହେଲା। ପାକିସ୍ତାନର ଘନ ଘନ ଡ୍ରୋନ ଆକ୍ରମଣ ଏବଂ ଏହାର ଜବାବରେ ପାକିସ୍ତାନର ଡିଫେନ୍ସ ଏୟାରବେସ୍ ଉପରେ ଭାରତର ମିସାଇଲ ମାଡ଼, ସ୍ଥିତିକୁ ଆହୁରି ଗମ୍ଭୀର କରିଦେଲା।
ଯେତେବେଳେ ଦୁଇଦେଶ ଯୁଦ୍ଧମୁହାଁ ହେଲେ ସେତେବେଳେ ସାରା ବିଶ୍ଵର ନଜର ରହିଥିଲା ଆମେରିକା ଉପରେ। ପହଲଗାମ ଆତଙ୍କୀ ଆକ୍ରମଣ ପରେ ଏହାକୁ ନିନ୍ଦା କରିଥିଲା ଆମେରିକା। ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ସହ ଆମେରିକା ରହିଛି ବୋଲି କହିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କିନ୍ତୁ ଯେତେବେଳେ ସିଜ୍ ଫାୟାର ନେଇ ସୋସିଆଲ୍ ମିଡିଆରେ ଟ୍ରମ୍ପ ପୋଷ୍ଟ କଲେ, ସେତେବେଳେ ଭାରତ ଓ ପାକିସ୍ତାନକୁ ଗୋଟିଏ ନିକିତିରେ ତଉଲିଲା ଭଳି ପ୍ରତ୍ୟୟ ହେଲା। ଭାରତ ଓ ପାକିସ୍ତାନ ଉଭୟ ଆମେରିକାର ନିକଟତର, ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ବନ୍ଧୁ ବୋଲି ଉଲ୍ଲେଖ କରିଥିଲେ ଟ୍ରମ୍ପ।
ଆମେରିକା ଭଲ ଭାବେ ଜାଣିଛି, ଆତଙ୍କବାଦର ପେଣ୍ଠସ୍ଥଳ ହେଉଛି ପାକିସ୍ତାନ। ତଥାପି ପାକିସ୍ତାନକୁ କାହିଁକି ଛାଡ଼ିପାରୁନି ଆମେରିକା? ଏହା ସବୁଠାରୁ ବଡ଼ ପ୍ରଶ୍ନ।
ପାକିସ୍ତାନ ସହ ଆମେରିକାର ସଂପର୍କ କେତେବେଳେ ଉପରକୁ ଉଠିଛି, ପୁଣି କେତେବେଳେ ତଳକୁ ଖସିଛି। କିନ୍ତୁ ପାକିସ୍ତାନର ହାତ ସମ୍ପୂର୍ଣ୍ଣ ଛାଡ଼ି ପାରିନାହିଁ ଆମେରିକା।
୧୯୭୮ ମସିହା ଏପ୍ରିଲ ମାସ, ଆଫଗାନିସ୍ତାନର ରାଷ୍ଟ୍ରପତି ମହମ୍ମଦ ଦାଉଦ ଖାନଙ୍କ ସରକାରକୁ ହଟାଇ କ୍ଷମତାକୁ ଆସିଲା ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଆଫଗାନିସ୍ତାନ ବା ପିଡିପିଏ। ତେବେ ଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିଥିଲା। କିଛି ମୌଳବାଦୀ ଗୋଷ୍ଠୀ ସରକାରଙ୍କ ବିରୋଧରେ ସଶସ୍ତ୍ର ବିଦ୍ରୋହ କରୁଥାନ୍ତି।
ଏପଟେ ଆଫଗାନିସ୍ତାନର ପିଡିପିଏ ସରକାର ପଛରେ ଥାଏ ସୋଭିଏତ ୟୁନିଅନ୍। ସ୍ଥିତି ଅଣାୟତ୍ତ ହେବାରୁ ୧୯୭୯ ମସିହା ଡିସେମ୍ବର ମାସରେ ଆଫଗାନିସ୍ତାନରେ ପଶିଲେ ସୋଭିଏତ ସେନା। ସରକାରଙ୍କ ବିରୋଧରେ ସଶସ୍ତ୍ର ବିଦ୍ରୋହ କରୁଥିବା ଗୋଷ୍ଠୀ ସହ ଘମାଘୋଟ ଯୁଦ୍ଧ ହେଲା। ଏହି ସଶସ୍ତ୍ର ବିଦ୍ରୋହୀଙ୍କୁ ମୁଜାହିଦିନ କୁହାଯାଉଥିଲା।
ସେତେବେଳେ ଆମେରିକା ଓ ସୋଭିଏତ୍ ୟୁନିଅନ୍ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଚରମ ସୀମାରେ ପହଁଚିଥାଏ। ଭାରତ ଓ ଇଣ୍ଡୋନେସିଆ ସମେତ ଅନେକ ଦେଶ ଗୋଷ୍ଠୀ ନିରପେକ୍ଷ ନୀତି ଅବଲମ୍ବନ କରୁଥିବା ବେଳେ ଆମେରିକା ଓ ସୋଭିଏତ ସଂଘକୁ ନେଇ ସାରା ବିଶ୍ଵ ଦୁଇ ଭାଗ ହୋଇ ଯାଇଥାଏ।
ଆମେରିକାକୁ ଲାଗିଲା, ଆଫଗାନିସ୍ତାନରେ ପିଡିପିଏ ସରକାର ରହିଲେ, ଏହି ଦେଶ ଅନ୍ୟ କିଛି ଦେଶ ଭଳି ସୋଭିଏତ ୟୁନିଅନ ଆଡକୁ ଢଳିଯିବ। ମୁଜାହିଦିନ ଗୋଷ୍ଠୀକୁ କିପରି ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ସହାୟତା ଯୋଗାଇ ଦିଆଯିବ, ଏଥିପାଇଁ ପାକିସ୍ତାନର ସହଯୋଗ ଲୋଡ଼ିଲା ଆମେରିକା।
ସେତେବେଳେ ପାକିସ୍ତାନର ରାଷ୍ଟ୍ରପତି ଥାଆନ୍ତି ମହମ୍ମଦ ଜିଆ ଉଲ୍ ହକ୍। ଦେଶର ଆର୍ଥିକ ଓ ସାମରିକ ଶକ୍ତି ବୃଦ୍ଧି ପାଇଁ ତାଙ୍କୁ ବଡ଼ ସୁଯୋଗ ମିଳିଗଲା।
୧୯୮୧ ମସିହାରେ ଆମେରିକାଠାରୁ ପାଖାପାଖି ୩୫୦ କୋଟି ଡଲାର୍ ସହ ଏଫ୍-୧୬ ଭଳି ଅତ୍ୟାଧୁନିକ ଯୁଦ୍ଧ ବିମାନ ପାଇଁ ଡିଲ୍ କରିଥିଲା ପାକିସ୍ତାନ। ଦୁଇ ଦେଶ ପରସ୍ପରର ବଡ଼ ସହଯୋଗୀ ପାଲଟିଗଲେ।
ଆମେରିକାର ସହାୟତା ମିଳିଯିବାରୁ ସୋଭିଏତ ସେନା ବିରୋଧରେ ଦୀର୍ଘ ୧୦ ବର୍ଷ ଧରି ଲଢ଼େଇ ଜାରି ରଖିଲେ ମୁଜାହିଦିନ ଗୋଷ୍ଠୀ।
ଏପଟେ ସୋଭିଏତ ସଂଘରେ ସାମଜିକ ଓ ଅର୍ଥନୈତିକ ଅସ୍ଥିରତା ସୃଷ୍ଟି ହେଲା। ଶୀତଳ ଯୁଦ୍ଧର ଅବସାନ ପାଇଁ ପଦକ୍ଷେପ ନେଲେ ସୋଭିଏତ ସଂଘର ତତ୍କାଳୀନ ମୁଖ୍ୟ ମିଖାଇଲ ଗୋର୍ବାଚେଭ।
୧୯୮୯ ମସିହାରେ ଆଫଗାନିସ୍ତାନରୁ ସେନା ଅପସାରଣ କଲା ସୋଭିଏତ ୟୁନିୟନ। ସୋଭିଏତ ସେନା ଫେରିଯିବା ପରେ ଆଫଗାନିସ୍ତାନରେ ଅସ୍ଥିରତା ଚରମ ସୀମାରେ ପହଁଚିଗଲା। ଆଉ ଏହାରି ଭିତରେ ଆଫଗାନିସ୍ତାନରେ ଆରମ୍ଭ ହେଲା ତାଲିବାନ ଶାସନ। ପୁଣିଥରେ କଡ଼ ଲେଉଟାଇଲା ଇତିହାସ।
୨୦୦୧ ସେପ୍ଟେମ୍ବର ୧୧ ତାରିଖ ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣ ହେଲା। ଅଲ କାଏଦା ଆତଙ୍କୀ ସଙ୍ଗଠନ ଏହି ଆକ୍ରମଣ କରିଥିଲା। ୪ଟି ବିମାନ ହାଇଜାକ୍ କରି ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଓ ପେଣ୍ଟାଗନରେ ମାଡ଼ କରିଥିଲେ ଆତଙ୍କବାଦୀ। ଏହି ଆକ୍ରମଣରେ ପ୍ରାୟ ୩ ହଜାର ଲୋକ ପ୍ରାଣ ହରାଇଥିଲେ। ଏହାକୁ ନେଇ ସାରାବିଶ୍ଵ ଚମକି ଉଠିଥିଲା।
ପୁଣିଥରେ ଆଫଗାନିସ୍ତାନ ଉପରେ ଆମେରିକାର ନଜର ପଡ଼ିଥିଲା। ତାଲିବାନ ଶାସକଙ୍କ ପୃଷ୍ଠପୋଷକତା ଫଳରେ ଅଲ୍ କାଏଦା ଆତଙ୍କୀ ସଙ୍ଗଠନର ଗଡ଼ ପାଲଟି ଯାଇଥିଲା ଆଫଗାନିସ୍ତାନ। ଅଲ୍ କାଏଦାର ମୁଖ୍ୟ ଓସାମା ବିନ୍ ଲାଡେନକୁ ସମର୍ପି ଦେବାକୁ ଆଫଗାନିସ୍ତାନକୁ କହିଲା ଆମେରିକା। ହେଲେ ଏଥିରେ ରାଜି ହେଲେ ନାହିଁ ତାଲିବାନ ସରକାର।
ଏଥିରେ କ୍ଷୁବ୍ଧ ହୋଇ ଆଫଗାନିସ୍ତାନ ଉପରେ ଆକ୍ରମଣ କଲା ଆମେରିକା। ଆମେରିକା ଆକ୍ରମଣ ପରେ ତାଲିବାନ ଶାସନର ଅବସାନ ଘଟିଲା। ହେଲେ ବର୍ଷ ବର୍ଷ ଧରି ଆମେରିକା ସେନା ସହ ତାଲିବାନର ସଂଘର୍ଷ ଜାରି ରହିଲା। ଏଥିପାଇଁ ଆମେରିକା ପାଇଁ ଆବଶ୍ୟକ ଥିଲା ପାକିସ୍ତାନର ସହଯୋଗ।
୨୦୧୧ ମେ’ ୨ ତାରିଖରେ ପାକିସ୍ତାନର ଆବୋଟ୍ଟାବାଦରେ ଓସାମା ବିନ୍ ଲାଡେନକୁ ହତ୍ୟା କଲା ଆମେରିକା। ସେତେବେଳେ ଡବଲ ଗେମ୍ ଖେଳିବା ଆରମ୍ଭ କରି ସାରିଥିଲା ପାକିସ୍ତାନ। ଉପରେ ଉପରେ ଆମେରିକାର ସହଯୋଗୀ ପାଲଟିଥିଲା। କିନ୍ତୁ, ଭିତରେ ଆତଙ୍କବାଦୀ ସଂଗଠନ ସହ ଘନିଷ୍ଠ ସମ୍ପର୍କ ରଖିଥିଲା। ଏହାକୁ ନେଇ ଆମେରିକା ଓ ପାକିସ୍ତାନର ସମ୍ପର୍କ ସନ୍ଦେହ ଘେରକୁ ଆସିଗଲା।
୨୦୧୧ ମସିହାରେ ଓବାମା ସରକାର ଓ ୨୦୧୮ ମସିହାରେ ଟ୍ରମ୍ପ ସରକାର ପାକିସ୍ତାନକୁ ଦିଆଯାଉଥିବା ସହାୟତା ରାଶି କମ କରିଦେଇଥିଲେ। ଆମେରିକା ସହାୟତା କମାଇଥିଲା ସତ, କିନ୍ତୁ ସମ୍ପୂର୍ଣ୍ଣ ବନ୍ଦ କରିନଥିଲା। କିଛି କଠୋର ସର୍ତ୍ତ ରଖି ପାକିସ୍ତାନକୁ ସହାୟତା ଜାରି ରଖିଥିଲା ଆମେରିକା।
୨୦୨୧ ମସିହାରେ ପୁଣିଥରେ ଭିନ୍ନ ମୋଡ଼ ନେଲା ଇତିହାସ। ଆଫଗାନିସ୍ତାନକୁ ତା’ ରାସ୍ତାରେ ଛାଡ଼ିଦେଇ ନିଜ ସେନାକୁ ଫେରାଇ ଆଣିଲା ଆମେରିକା। ପାକିସ୍ତାନକୁ ଆଉ ଆର୍ଥିକ ସହାୟତା ଦେବାର ଆବଶ୍ୟକତା ନଥିଲା।
୨୦୨୫ ମସିହାରେ ପୁଣିଥରେ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ସରକାରକୁ ଆସିବା ପରେ ପରେ ସବୁପ୍ରକାର ବିଦେଶୀ ସହାୟତାକୁ ସେ ସ୍ଥଗିତ ରଖିଥିଲେ। ତେବେ ପୁଣିଥରେ ଆତଙ୍କବାଦୀ ବିରୋଧୀ ଲଢ଼େଇ ନାଁରେ ପାକିସ୍ତାନକୁ ଆର୍ଥିକ ସହାୟତା ଦେଇଥିଲେ ଟ୍ରମ୍ପ ସରକାର।
ଦକ୍ଷିଣ ଏସିଆରେ ନିଜ ପ୍ରାଧାନ୍ୟ ବଜାୟ ରଖିବା ପାଇଁ ଆମେରିକା ଦୁଇପ୍ରକାର ନୀତି ଆପଣାଇଛି। ଗୋଟିଏ ପଟେ ଭାରତ ସହ ସମ୍ପର୍କକୁ ମଜବୁତ କରିବା ପାଇଁ ଉଦ୍ୟମ କରୁଛି। ଅନ୍ୟପଟେ ପାକିସ୍ତାନକୁ ନିଜ କଂଟ୍ରୋଲରେ ରଖି ସହଯୋଗୀ ହେବାକୁ ଚାହୁଁଛି। ଚୀନର ପ୍ରଭାବକୁ ହ୍ରାସ କରିବା ପାଇଁ ଏପରି ରଣନୀତି ଆପଣାଇଛି ଆମେରିକା।
ପହଲଗାମ ଆତଙ୍କୀ ହମଲା ଓ ଅପରେସନ ସିନ୍ଦୂର ପରେ ଯେତେବେଳେ ଭାରତ-ପାକିସ୍ତାନ ମୁହାଁମୁହିଁ ହେଲେ, ସେତେବେଳେ ଆମେରିକାର ପ୍ରକୃତ ସ୍ଵଭାବ ସାମ୍ନାକୁ ଆସି ଯାଇଛି। ଏଭଳି ଘଡ଼ିସନ୍ଧୀ ମୁହୂର୍ତ୍ତରେ ପାକିସ୍ତାନକୁ ଆଇଏମଏଫରୁ ୧ ବିଲିୟନ ଡଲାର ବେଲ୍-ଆଉଟ୍ ପ୍ୟାକେଜ୍ ଦେବା ପାଇଁ ସହଯୋଗ କରିଛି ଆମେରିକା।
ଆତଙ୍କବାଦକୁ ପାକିସ୍ତାନ ପ୍ରୋତ୍ସାହନ ଦେଉଥିବା କଥା ଅନ୍ତର୍ଜାତୀୟ ସ୍ତରରେ ବାରମ୍ବାର ଉଠାଇଛି ଭାରତ। ଏକଥା ମଧ୍ୟ ଭଲ ଭାବେ ଜାଣିଛି ଆମେରିକା। ତେବେ ପ୍ରଶ୍ନ ଉଠୁଛି, ସବୁ ଜାଣି ପାକିସ୍ତାନକୁ କାହିଁକି ସହଯୋଗୀ ରୂପେ ଚାହୁଁଛନ୍ତି ଆମେରିକା ସରକାର?
ଏହାର କାରଣ ହେଉଛି ପାକିସ୍ତାନର ଭୌଗୋଳିକ ସ୍ଥିତି। ଚୀନ, ଭାରତ, ଆଫଗାନିସ୍ତାନ, ଇରାନ ସହ ପାକିସ୍ତାନର ସୀମା ଲାଗି ରହିଛି। ଏହି ଦୃଷ୍ଟିରୁ ଆମେରିକା ପାଇଁ ପାକିସ୍ତାନ ବେଶ୍ ଗୁରୁତ୍ଵପୂର୍ଣ୍ଣ। ଚୀନ ସହ ପାକିସ୍ତାନର ସମ୍ପର୍କ ମଜବୁତ ହେବା ଆମେରିକା ପାଇଁ ଚିନ୍ତାର କାରଣ ପାଲଟିଥିବାବେଳେ ଦକ୍ଷିଣ ଏସିଆରେ ଚୀନର ପ୍ରଭାବ କମାଇବା ପାଇଁ ପାକିସ୍ତାନର ସହଯୋଗ ଚାହୁଁଛି ଆମେରିକା।
ଏପଟେ ଆର୍ଥିକ ଓ ସାମରିକ ଦୃଷ୍ଟିରୁ ନିଜକୁ ପ୍ରତିଷ୍ଠା କରିବାକୁ ଭାରତ ନିରନ୍ତର ଉଦ୍ୟମ କରୁଛି। ଦକ୍ଷିଣ ଏସିଆରେ ଭାରସାମ୍ୟ ରକ୍ଷା କରି ନିଜର ପ୍ରଭାବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ପାକିସ୍ତାନକୁ ହାତଛଡ଼ା କରିବାକୁ ଚାହୁଁନାହିଁ ଆମେରିକା।
Tags: #USPakistanRelations #USForeignPolicy #OperationSindoor #WorldAffairs #USPakistanRelations #USForeignPolicy #GlobalPolitics #IndiaUSrelation #NarendraModi #DonaldTrump #ShehbazSharif


















