ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସହଯୋଗରେ ଆୟୋଜିତ ତିନିଦିନିଆ ପଞ୍ଚମ ଇଷ୍ଟର୍ଣ୍ଣ ଇଣ୍ଡିଆ ଓରିଏଣ୍ଟାଲ୍ କନଫରେନ୍ସ (ଇଆଇଓସି) ଉଦଯାପିତ ହୋଇଯାଇଛି। ଏହି ଶାସ୍ତ୍ରୀୟ ସମ୍ମିଳନୀରେ ପୂର୍ବ ଓ ଉତ୍ତରପୂର୍ବ ଭାରତରୁ ୨୦୦ରୁ ଅଧିକ ଗବେଷକ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି  ଭାରତୀୟ ପାରମ୍ପରିକ ଜ୍ଞାନ ପରମ୍ପରା ବିଷୟରେ ଆଲୋଚନା କରିଥିଲେ।

ଏହି ସମ୍ମିଳନୀ ଦୁଇ ବର୍ଷରେ ଥରେ ଆୟୋଜିତ ହୋଇଥାଏ। ବେଦ, ସଂସ୍କୃତ ସାହିତ୍ୟ, ଭାରତୀୟ ଦାର୍ଶନିକତା, ବ୍ୟାକରଣ, ଧର୍ମ, ଐତିହ୍ୟ, ପୁରାତତ୍ତ୍ୱ, ସାହିତ୍ୟିକ ମୂଳତତ୍ତ୍ୱ ଓ ପରମ୍ପରା ବିଷୟରେ ଗବେଷଣା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ମଞ୍ଚ ରୂପେ ପରିଚିତ।

ଏହି ଅବସରରେ ଫକୀରମୋହନ ସେନାପତିଙ୍କ ସାହିତ୍ୟିକ ଅବଦାନକୁ ସ୍ମରଣ କରି ବିଶେଷ ଅଧିବେଶନ ଆୟୋଜିତ ହୋଇଥିଲା।

ସମ୍ମିଳନୀରେ ୫୦ରୁ ଅଧିକ ଗବେଷଣା ପତ୍ର ପ୍ରସ୍ତୁତ କରାଯାଇଥିଲା, ଯେଉଁଥିରେ ଆୟୁର୍ବେଦ, ଭାଷା ବିଜ୍ଞାନ, ନାଟ୍ୟଶାସ୍ତ୍ର ଓ ସାହିତ୍ୟ ସମାଲୋଚନା ସମେତ ବିଭିନ୍ନ ବିଷୟର ଅନୁଷ୍ଠାନ ହୋଇଥିଲା।

ଉଦଯାପନୀ ସଭାରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ସଂସ୍କୃତ ଓ ବେଦର ଶାଶ୍ୱତ ମୂଲ୍ୟ ଏବଂ ଏହାର ଆଧୁନିକ ବୈଜ୍ଞାନିକ ଗୁରୁତ୍ୱ ଉପରେ ଉଦବୋଧନ ଦେଇଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ହରେକୃଷ୍ଣ ମିଶ୍ର, ଡକ୍ଟର ନିବେଦିତା ପତି,ପ୍ରଫେସର ବ୍ରଜକିଶୋର ସ୍ୱାଇଁ, ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।  ଶେଷରେ ଡକ୍ଟର ଦେବାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Tags: #EasternIndiaOrientalConference #FMUniversity #Balasore

Comment