ଓଡ଼ିଶାଲାଇଭ୍ ବ୍ୟୁରୋ

  • ସରକାରଙ୍କ ଏକ ବର୍ଷର ଉପଲବ୍ଧିକୁ ନେଇ ସାରା ରାଜ୍ୟରେ ବୁଲିବ ବିକାଶ ବାହାନ
  • ୩୧୪ଟି ବ୍ଲକ, ୧୧୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ୫ଟି ମହାନଗର ନିଗମରେ ଗଡ଼ିଲା ସ୍ୱତନ୍ତ୍ର ବିକାଶ ବାହନ
  • ଲୋକଙ୍କ ସହିତ ଯୋଡ଼ି ହେବାର ପ୍ରୟାସ ଜାରି ରହିବ – ମୁଖ୍ୟମନ୍ତ୍ରୀ

(ଭୁବନେଶ୍ୱର): ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ଣ୍ଣ ହୋଇଛି। ଏହି ଅବସରରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରୁ ରାଜ୍ୟସ୍ତରୀୟ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସରକାରଙ୍କ ଏକ ବର୍ଷର ଉପଲବ୍ଧିକୁ ନେଇ ସାରା ରାଜ୍ୟରେ ବୁଲିବ ବିକାଶ ବାହାନ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ, “ଓଡ଼ିଶାରେ ଡବଲ ଇଞ୍ଜିନ ସରକାର, ଡବଲ ସ୍ପିଡରେ କାମ କରି ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିପାରୁଛି। ଜନତାଙ୍କ ସେବା ହିଁ ଆମ ସରକାରର ପ୍ରଥମ କର୍ତ୍ତବ୍ୟ। ଲୋକଙ୍କ ସହ ଯୋଡ଼ି ହେବା ଏବଂ ସମସ୍ତଙ୍କ ପାଖରେ ସରକାରଙ୍କ ଯୋଜନା ପହଞ୍ଚାଇବା ଆମର ମୂଳ ଲକ୍ଷ୍ୟ।”

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଏକ ବର୍ଷରେ ଅନେକ ଉପଲବ୍ଧି ହାସଲ ହୋଇଛି। ମହିଳା, କୃଷକ, ଆଦିବାସୀ ଓ ଯୁବବର୍ଗର ସଶକ୍ତିକରଣ ସହିତ ଭିତ୍ତିଭୂମି ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି। ଆଜି ଆରମ୍ଭ ହୋଇଥିବା ବିକାଶ ବାହନ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସହିତ ଜନସାଧାରଣଙ୍କୁ ଯୋଡ଼ିବାର ଆଉ ଏକ ପ୍ରୟାସ ବୋଲି ସେ କହିଛନ୍ତି।

ପ୍ରଶାସନକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଓଡ଼ିଶାର ୩୧୪ଟି ବ୍ଲକ, ୧୧୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ୫ଟି ମହାନଗର ନିଗମରେ ଗଡ଼ିବ ସ୍ୱତନ୍ତ୍ର ‘ବିକାଶ ବାହନ’। ଏହି ବାହନ ଜରିଆରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ‘ପ୍ରଗତି ପ୍ରବାହ’ ପୁସ୍ତକ ଏବଂ ଏକ ବର୍ଷର ସଫଳତା ସମ୍ବଳିତ ପୁସ୍ତିକା ମଧ୍ୟ ସମସ୍ତଙ୍କ ପାଖରେ ପହଞ୍ଚିବ।  ଏହାଦ୍ୱାରା ଲୋକମାନେ ସରକାରଙ୍କ ବିଭିନ୍ନ ଯୋଜନା ଓ ସଫଳ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିପାରିବେ।

ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ କହିଥିଲେ, ଜନତାଙ୍କ ସମର୍ଥନ ପାଇଁ ଆଜି ଡବଲ ଇଞ୍ଜିନ ସରକାର ଓଡ଼ିଶାର ସାମଗ୍ରିକ ବିକାଶ ଦାୟିତ୍ଵରେ ଅଛନ୍ତି। ବିକାଶ ବାହନର ଶୁଭାରମ୍ଭ ରାଜ୍ୟ ସରକାରଙ୍କର ଓଡ଼ିଶାବାସୀଙ୍କ ପ୍ରତି ସମର୍ପଣର ନୂତନ ଅଧ୍ୟାୟ।

ଏହି ଅବସରରେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ ଓ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ କମିଶନର ତଥା ସଚିବ ଗିରିଶ ଏସ ଏନ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #Politics #OdishaPolitics #OdishaGovt #VikashBahan #CMMohanCharanMajhi

Comment