ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗିରଠାରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି, କୃଷକମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ।
ଏହି ଅସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ବଲାଙ୍ଗିର ଜିଲ୍ଲାରୁ ଦୁଇଜଣ ମନ୍ତ୍ରୀ ଓଡ଼ିଶା ସରକାରରେ ପ୍ରତିନିଧିତ୍ୱ କରୁଛନ୍ତି। ଏଠାରେ ଡବଲ ନୁହେଁ, ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। ଜିଲ୍ଲାର ବିକାଶ ମଧ୍ୟ ତିନିଗୁଣ ବେଗରେ ଆଗମୁ ବଢ଼ୁଛି ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ଓଡ଼ିଶାର ପ୍ରାୟ ୬୦ ପ୍ରତିଶତରୁ ଅଧିକ ଲୋକ କୃଷି ଏବଂ ଆନୁଷଙ୍ଗିକ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ। ଚାଷୀଙ୍କୁ ମେ’ ମାସ ସୁଦ୍ଧା ୭୮ ହଜାର ୬୮୧ କୃଷି ଯନ୍ତ୍ରପାତି ଯୋଗାଇ ଡିବିଟି ମାଧ୍ୟମରେ ୪୫୯.୬୮ କୋଟି ଟଙ୍କାର ରିହାତି ପ୍ରଦାନ କରାଯାଇଛି। ରାଜ୍ୟରେ କୃଷିର ବିକାଶ ପାଇଁ ଅଧିକରୁ ଅଧିକ ଚାଷୀଙ୍କ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ପ୍ରୟାସ ଜାରି ରହିଛି। ଆମାଗୀ ୫ ବର୍ଷ ମଧ୍ୟରେ ୧୫ ଲକ୍ଷ ହେକ୍ଟର ଅଣଜଳସେଚିତ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି।
ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା କୃଷି ସମ୍ବନ୍ଧୀୟ କାର୍ଯ୍ୟପ୍ରଣାଳୀର ବିବରଣୀ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ ଖାଦ୍ୟର ପୁନରୁଦ୍ଧାର ଏବଂ ପୁଷ୍ଟିଶସ୍ୟ ଆଧାରିତ କୃଷି ପ୍ରଣାଳୀ ମାଧ୍ୟମରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ରୋଜଗାରରେ ଉନ୍ନତି ଆସିଛି। ବର୍ତ୍ତମାନ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଣ୍ଡିଆ ଲଡୁ ପ୍ରଦାନ କରାଯାଉଛି। ସିଏମ କିଷାନ ଯୋଜନାରେ ଚାଷୀ ଭାଇଙ୍କୁ ୪ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଛି। ଏଥିରେ ସହରାଞ୍ଚଳର କୃଷକଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।”
ରାଜ୍ୟର କୃଷକ ଭାଇଭଉଣୀମାନଙ୍କ ସଶକ୍ତିକରଣକୁ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ମାତ୍ର ଗୋଟିଏ ବର୍ଷ ଭିତରେ ସଫଳତାର ଅନେକ ଉପଲବ୍ଧି ହାସଲ ହୋଇଛି। ଆଗାମୀ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନର ଲକ୍ଷ୍ୟ ରହିଛି। ଏଥିରେ କୃଷି ଓ କୃଷକମାନଙ୍କର ବିକାଶ ବଳିଷ୍ଠ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଯୋଗ ଦେଇ କହିଥିଲେ ଯେ, କୃଷି ଓ କୃଷକର ବିକାଶ ପାଇଁ ରାଜ୍ୟ ସରକାର ବଜେଟରେ ଅଧିକ ଆର୍ଥ ବ୍ୟୟ ବରାଦ କରିଛନ୍ତି। ଓଡ଼ିଶା ଆଜି ଭାରତ ବାହାରକୁ ଫଳ ରପ୍ତାନି କରିପାରୁଛି। କିଛି ବର୍ଷ ମଧ୍ୟରେ ବଲାଙ୍ଗିରଠାରେ ଏଗ୍ରିକଲଚର କଲେଜ ପ୍ରତିଷ୍ଠା ହେବ ଏବଂ ସୋନପୁରଠାରେ ଫିସେରୀ କଲେଜ ପ୍ରତିଷ୍ଠା କରିବାର ଯୋଜନା ରହିଛି ବୋଲି ସେ କହିଛନ୍ତି।
ସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇ କହିଛନ୍ତି, ଚାଷୀ ଭାଇ ଭଉଣୀଙ୍କ ସମସ୍ତ ଆବଶ୍ୟକତା ପୂରଣ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ଵ ଦେଇଆସୁଛନ୍ତି। ଆଗାମୀ ଦିନରେ ପ୍ରତ୍ୟେକ ଗାଁ କୃଷି ସଶକ୍ତ ଗାଁରେ ପରିଣ ହେବ।
କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଟିଟିଲାଗଡ ବିଧାୟକ ନବୀନ କୁମାର ଜୈନ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ମଞ୍ଚାସୀନ ଥିଲେ।
ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ଗୌରବ ଶିବାଜୀ ଇଶାଲଓ୍ଵାର ଧନ୍ୟବାଦ ଅର୍ପଣ କରିଥିଲେ।
Tags: #Politics #OdishaPolitics #OdishaGovt #Krusakshaktisamabesh #CMMohanCharanMajhi