ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜ): ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବାରିପଦାର ଛଉ ପଡ଼ିଆଠାରେ ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶ ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ସାଂସ୍କୃତିକ ବୈଭବ ଚିତ୍ରପଟରେ ଜନଜାତି ସଂସ୍କୃତି ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି, ତେଣୁ ଏହି ସଂସ୍କୃତିର ବିକାଶ ପାଇଁ ଆଗାମୀ ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ ଓଡ଼ିଶାରେ ପରିଣତ କରିବାକୁ ହେବ। ଆଗାମୀ ୧୧ ବର୍ଷ ମଧ୍ୟରେ ଏହି ଲକ୍ଷ୍ୟ ପୂରଣ କରିବାକୁ ହେଲେ ରାଜ୍ୟର ୪୦ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ବିକାଶ କରିବାକୁ ପଡ଼ିବ।

‘ଆଦିବାସୀ ଶକ୍ତି ସମାବେଶ’ ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ହୋଇଛି। ରାଜ୍ୟର ସମସ୍ତ ଆଦିବାସୀ ସମ୍ପ୍ରଦାୟଙ୍କୁ ଏକାଠି କରିବା ଓ ସେମାନଙ୍କୁ ପରସ୍ପରର ସଂସ୍କୃତି ସହ ପରିଚିତ କରାଇବା, ଆଦିବାସୀ ସମ୍ପ୍ରଦାୟର ସମସ୍ତ ସମସ୍ୟା ଓ ଆବଶ୍ୟକତାକୁ ସୁନିଶ୍ଚିତ କରିବା ଏହାର ମୂଳ ଉଦ୍ଦେଶ୍ୟ ରହିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଆଦିବାସୀ ଜନଜାତି ଆଜି ଭାରତର ଶ୍ରେଷ୍ଠ ସ୍ଥାନ ଗ୍ରହଣ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାରୁ ୭ ଜଣ ଆଦିବାସୀ ସମ୍ପ୍ରଦାୟର ବିଧାୟକ ଜିଲ୍ଲାର ପ୍ରତିନିଧିତ୍ଵ କରୁଛନ୍ତି। ସବୁଠାରୁ ଗୌରବର କଥା ହେଉଛି ମୟୂରଭଞ୍ଜ ମାଟିର ଜଣେ ଝିଆ ଆଜି ଦେଶର ମହାମହିମ ରାଷ୍ଟ୍ରପତି। ଯିଏ ଆଜି ପ୍ରତ୍ୟେକ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଅଧିନରେ ରାଜ୍ୟର ଜନଜାତି ସମୁଦାୟଙ୍କ ଜୀବିକା ବିକାଶକୁ ପ୍ରୋତ୍ସାହିତ କରାଯାଉଛି। କୃଷି, ଜଳସେଚନ ଓ ପଶୁପାଳନ ମାଧ୍ୟମରେ ୧.୪୫ ଲକ୍ଷ ଜନଜାତି ପରିବାରର ଜୀବିକା ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆସିଛି। ୫ ହଜାର ଆଦିବାସୀ ଯୁବକ ଓ ଯୁବତୀ ୧ ଲକ୍ଷ ଟଙ୍କା ସହାୟତା ରାଶି ପାଇ ଲଘୁ ଉଦ୍ୟୋଗ ଆରମ୍ଭ କରି ଉପକୃତ ହୋଇଛନ୍ତି।

୨୦୨୪ ଆର୍ଥିକ ବର୍ଷରେ ୮୩ଟି ନୂତନ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରାବାସ, ୨୩ଟି ଅନ୍ୟାନ୍ୟ ପଛୁଆବର୍ଗ ଛାତ୍ରାବାସ ଏବଂ ୨୨୯ଟି ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସ ପାଇଁ ମୋଟ ୭୩୨.୪୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।  

ରାଜ୍ୟରେ ଶିକ୍ଷାକୁ ସୁଦୂର ପ୍ରସାରି କରିବା ନିମନ୍ତେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରରେ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାଟିକୁ ଆରମ୍ଭ କରାଯାଇଛି। ଆବାସିକ ବିଦ୍ୟାଳୟଗୁଡ଼ିକୁ ଅତ୍ୟାଧୁନିକ ଶିକ୍ଷାନୁଷ୍ଠାନରେ ପରଣିତ କରିବା ଲକ୍ଷ୍ୟରେ ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ଆଶ୍ରମ ବିଦ୍ୟାଳୟ ଯୋଜନା ନିମନ୍ତେ ୧୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

‘ବିକଶିତ ଓଡ଼ିଶା, ବିକଶିତ ଭାରତ’ର ସାରଥି କରିବା ଉଦ୍ଦେଶ୍ୟରେ ରାଜ୍ୟରେ ପିଏମ୍-ଜନମନ ଯୋଜନାର ପ୍ରଚାରପ୍ରସାର କରାଯାଉଛି। ଏହି ଅଭିଯାନ ରାଜ୍ୟର ୧୪ଟି ଜିଲ୍ଲାର ୧,୬୭୯ଟି ଗ୍ରାମରେ ବାସ କରୁଥିବା ୨,୯୪,୭୧୨ ଜଣ ଜନଜାତି ସମୁଦାୟଙ୍କ ନିକଟରେ ପହଞ୍ଚିବ। ରାଜ୍ୟ ସରକାର ଆଦିବାସୀ ସଂସ୍କୃତି ଓ ଐତିହ୍ୟ ଭବନ ଏବଂ ଆଦିବାସୀ ଭାଷା ପ୍ରତିଷ୍ଠାନ ନିମନ୍ତେ ଯଥାକ୍ରମେ ୧୦୦ କୋଟି ଓ ୫୦ କୋଟି ଟଙ୍କା ବ୍ୟୟ ବରାଦରେ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।  

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, “ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଏକ ରଣ କୌଶଳ ପ୍ରସ୍ତୁତ କରିଛନ୍ତି। ଆଦିବାସୀ ସଶକ୍ତିକରଣ କେବଳ ଏକ ସ୍ଲୋଗାନ କିମ୍ବା ଭୋଟ ପାଇଁ ଇଭେଣ୍ଟ ମ୍ୟାନେଜମେଣ୍ଟ ନୁହେଁ। ଏହା ଆମ ସରକାରଙ୍କର ଆପଣଙ୍କ ପାଇଁ ପ୍ରତିବଦ୍ଧତା।” 

କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ବିଭାଗ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ କହିଥିଲେ, ଆଦିବାସୀ ପରିବାରରେ ଶିକ୍ଷାର ପ୍ରସାର ହିଁ ଆଦିବାସୀ ସମାଜର ବିକାଶ।

ଗରିବ, ଅବହେଳିତ ଆଦିବାସୀ ଭାଇ ଭଉଣୀମାନଙ୍କ ସମସ୍ତ ମୌଳିକ ଆବଶ୍ୟକତା ପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତି ରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଜନଜାତି ସମ୍ପ୍ରଦାୟଙ୍କ ସାମାଜିକ ବ୍ୟବସ୍ଥା, ସାଂସ୍କୃତିକ ବୈଭବ ଓ ମୌଳିକତାକୁ ବଜାୟ ରଖିବାକୁ ପଡ଼ିବ।

ଏହି ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଥିଲେ ଯେ, ଆଦିବାସୀଙ୍କ ଉନ୍ନତିରେ କେବଳ ଆମ ସଂସ୍କୃତିର ବିକାଶ ନୁହେଁ, ବରଂ ଆମ ପରିବେଶର ବିକାଶ ହୁଏ।

କାର୍ଯ୍ୟକ୍ରମରେ ଆଦିବାସୀ ଲୋକକଳା, ସଂସ୍କୃତି ଓ ପରମ୍ପରା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କୃତ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ଉଦଳା ବିଧାୟକ ଭାସ୍କର ମଢ଼େଇ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ସାରସକଣା ବିଧାୟକ ଭାଦବ ହାଂସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ, ରାଇରଙ୍ଗପୁର ବିଧାୟକ ଜଲେନ ମୁର୍ମୁ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ପ୍ରମୁଖ ମଞ୍ଚାସୀନ ଥିଲେ।

Tags: #Politics #OdishaPolitics #OdishaGovt #Adivasishaktisamabesh #CMMohanCharanMajhi

Comment