ଓଡ଼ିଶାଲାଇଭ୍ ବ୍ୟୁରୋ

Bahuda Yatra

ଶ୍ରୀଗୁଣ୍ଡିଚା ଯାତ୍ରାର ଦ୍ଵିତୀୟ ଦିନରେ ଶରଧାବାଲିରେ ଲାଗିଲା ୩ ରଥ। ଭକ୍ତମାନେ ୩ ରଥକୁ ଟାଣି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚାଇଛନ୍ତି। ଶୁକ୍ରବାର ବଡ଼ଦାଣ୍ଡରେ ଅଳ୍ପ ବାଟ ଯାଇ ଅଟକି ଯାଇଥିଲେ ଶ୍ରୀଜିଉ। ଶନିବାର ସକାଳେ ପୁଣି ରଥଟଣା ଆରମ୍ଭ ହୋଇଥିଲା। ଏବେ ରଥରୁ ଶ୍ରୀଜୀଉଙ୍କୁ ଆଡ଼ପ ମଣ୍ଡପ ବିଜେ କରାଯିବ।

ଶନିବାର ସକାଳେ ରଥ ଉପରେ ମହାପ୍ରଭୁଙ୍କ ନୀତିକାନ୍ତି ସରିବା ପରେ ବଡ଼ଦାଣ୍ଡରେ ଅନେକ ସଂଖ୍ୟାରେ ଭକ୍ତ ଓ ସେବାୟତମାନେ ପୁଣି ରଥଟଣା ଆରମ୍ଭ କରିଥିଲେ। ପ୍ରଥମେ ତଳାଧ୍ଵଜ ରଥ, ପରେ ଦର୍ପଦଳନ ରଥ ଏବଂ ଏହା ପଛକୁ ନନ୍ଦିଘୋଷ ରଥ ଗଡ଼ିଥିଲା। ଅପରାହ୍ଣ ୧ଟା ସୁଦ୍ଧା ସବୁ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିଲା।

ଶୁକ୍ରବାର ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଥିଲା। ଅପରାହ୍ଣ ୪ଟା ୧୦ରେ ରଥଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୭ଟା ୩୦ ଯାଏଁ ରଥଟଣା ହୋଇଥିଲେ ମଧ୍ୟ ବଡ଼ଦାଣ୍ଡରେ ଅଳ୍ପ ବାଟ ଯାଇ ଅଟକି ଯାଇଥିଲେ ଶ୍ରୀଜିଉ।

ରଥଟଣା ବନ୍ଦ ହେବା ସୁଦ୍ଧା ବଡ଼ଦାଣ୍ଡରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଳଗଣ୍ଡି ଛକରେ ଅଟକି ଯାଇଥିଲା। ସେହିପରି ମାର୍କେଟ ଛକ ପାଖରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଟକି ଯାଇଥିଲାବେଳେ ଏହା ପଛକୁ ଶ୍ରୀମନ୍ଦିରରୁ କିଛି ବାଟ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଟକି ଯାଇଥିଲା।

ଏବେ ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେ ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି କରାଯିବ। ଏହାପରେ ସେବାୟତମାନେ ଶ୍ରୀଜୀଉଙ୍କୁ ଗୋଟି ପହଣ୍ଡିରେ ଆଣି ଆଡ଼ପ ମଣ୍ଡପରେ ବିଜେ କରାଇବେ।

Tags: #RathaYatra #ShreeGundichaJatra #Puri #ShreeKhetra #SriJagannath

Comment