ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ସମାଗମ ହୁଅନ୍ତି ଲକ୍ଷ ଲକ୍ଷ ଭକ୍ତ। ରଥଯାତ୍ରା ସମୟରେ ଭିଡ଼ ନିୟନ୍ତ୍ରଣ ଏବଂ ଏହାର ପରିଚାଳନା ସବୁଠାରୁ ଗୁରୁତ୍ଵପୂର୍ଣ୍ଣ। ୨୦୨୫ ମସିହା ରଥଯାତ୍ରା ପରିଚାଳନା ଏବଂ ଭକ୍ତଙ୍କ ଅନୁଭୂତି ଆଦିକୁ ନେଇ ଆଇଆଇଏମ ଲକ୍ଷ୍ନୌର ସେଣ୍ଟର ଫର ମାର୍କେଟିଂ ଇନ ଏମର୍ଜିଙ୍ଗ ଇକୋନମିଜ୍ (ସିଏମଇଇ) ଏବଂ ନ୍ୟୁଜରୁମର ମିଳିତ ଆନୁକୂଲ୍ୟରେ ଏକ ସର୍ଭେ କରାଯାଉଛି।
ଉଭୟ ତୀର୍ଥଯାତ୍ରୀ ଏବଂ ସେବା ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକର ଅନୁଭୂତିକୁ ନେଇ ଏହି ସର୍ଭେ କରାଯାଉଛି। ରଥଯାତ୍ରା ଭଳି ଏକ ବିଶାଳ କାର୍ଯ୍ୟକ୍ରମର ଆୟୋଜନ ଏବଂ ଏହାର ପରିଚାଳନା କିପରି କରାଯାଏ, ସେ ସମ୍ପର୍କରେ ଜାଣିବା ଏହି ଅଧ୍ୟୟନର ମୂଳ ଲକ୍ଷ୍ୟ। ଏପରି ବିଶାଳ କାର୍ଯ୍ୟକ୍ରମର ଆୟୋଜନ ତଥା ଏହି ସମୟରେ ଦେଖାଦେଉଥିବା ବିଭିନ୍ନ ଆହ୍ଵାନର ମୁକାବିଲା କରିବାରେ ଏହି ଅଧ୍ୟୟନ ସହାୟକ ହୋଇପାରିବ ବୋଲି ନ୍ୟୁଜରୁମ ପକ୍ଷରୁ ସୂଚନା ଦିଆଯାଇଛି।
ଅଧିକ ଲୋକ କିପରି ଏହି ସର୍ଭେରେ ଭାଗ ନେଇପାରିବେ ସେଥିପାଇଁ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ବ୍ୟବସ୍ଥା କରାଯାଇଛି।
ଇଂରାଜୀରେ ନିଜ ମତାମତ ଦେବା ପାଇଁ https://shorturl.at/t4pR3 ଏହି ଲିଙ୍କ ଉପରେ କ୍ଲିକ କରନ୍ତୁ।
ଓଡ଼ିଆରେ ନିଜ ମତାମତ ଦେବା ପାଇଁ https://shorturl.at/hf3p9 ଏହି ଲିଙ୍କ ଉପରେ କ୍ଲିକ୍ କରନ୍ତୁ।
ସର୍ଭେ ଫର୍ମ ପୂରଣ କରିବାର ଶେଷ ତାରିଖ ହେଉଛି ୧୫ ଜୁଲାଇ ୨୦୨୫। ଏହି ସର୍ଭେର ଫଳାଫଳ ମଧ୍ୟ ଅଂଶଗ୍ରହଣକାରୀଙ୍କୁ ଯୋଗାଇଦିଆଯିବ। ସେଥିପାଇଁ ଅଂଶଗ୍ରହଣକାରୀଙ୍କୁ ଫର୍ମରେ ନିଜ ଇ-ମେଲ ଆଇଡି ଦେବାକୁ କୁହାଯାଇଛି। ଅଂଶଗ୍ରହଣକାରୀଙ୍କ ମତାମତ ଗୋପନୀୟ ରଖିବାକୁ ସଂସ୍ଥା ପକ୍ଷରୁ କୁହାଯାଇଛି।
ଚଳିତ ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଶ୍ରୀକ୍ଷେତ୍ରରେ ଭିଡ଼ ପରିଚାଳନା ବା କ୍ରାଉଡ ମ୍ୟାନେଜମେଣ୍ଟକୁ ନେଇ କେତେକ ଆହ୍ଵାନ ଦେଖାଦେଇଥିଲା। ବିଶେଷ କରି ଏହା ପରଦିନ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ହୋଇ କେତେକ ଯାତ୍ରୀ ଓ ପର୍ଯ୍ୟଟକଙ୍କର ପ୍ରାଣହାନୀ ଘଟିଥିଲା।
ତେଣୁ ବାହୁଡ଼ା ଓ ସୁନାବେଶ ସମୟରେ ପ୍ରଶାସନ ଅଧିକ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଥିଲା। ଏହା ସତ୍ତ୍ୱେ ପୁରୀକୁ ଆସୁଥିବା ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ତଥା ଯାନବାହନ ପରିଚାଳନା କଷ୍ଟକର ବ୍ୟାପାର ହୋଇଥିଲା। ତେଣୁ ରଥଯାତ୍ରା ଭଳି ବିଶାଳ ଜାତୀୟ ଏବଂ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଯୋଜନା ଓ ଷ୍ଟ୍ରାଟେଜି ପ୍ରସ୍ତୁତ କରିବା ବେଳେ ଏଭଳି ସର୍ଭେର ଫଳାଫଳ ବେଶ କାମରେ ଆସିବ ବୋଲି ଆଶା କରାଯାଉଛି।
Tags: #RathYatra2025 #Survey #IIMLucknow #Newsroom #ExperienceSurvey

















