ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ନାହାନ୍ତି ଓଡ଼ିଶାର ପୂର୍ବତନ ବରିଷ୍ଠ ପ୍ରଶାସକ ରାମଚନ୍ଦ୍ର ପଣ୍ଡା। ଜୁଲାଇ ୫ ତାରିଖରେ ୯୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।
ଓଡ଼ିଶା ସରକାରଙ୍କର ଜଣେ ସତ୍ୟନିଷ୍ଠ ଓ ଜନସେବା ପ୍ରିୟ ପ୍ରଶାସନିକ ଅଧିକାରୀ ଥିଲେ ରାମଚନ୍ଦ୍ର ପଣ୍ଡା। ୧୯୩୨ ମସିହା ଫେବ୍ରୁଆରି ୮ ତାରିଖରେ ଯାଜପୁର ଜିଲ୍ଲା ବରହଟା ଗାଁରେ ସେ ଜନ୍ମ ଗ୍ରହଣ କରିଥିଲେ। ଜଣେ ଦକ୍ଷ ଓ କର୍ମନିଷ୍ଠ ପ୍ରଶାସିକ ଅଧିକାରୀ ଭାବେ ତାଙ୍କର ଅବଦାନ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିବ।
ତାଙ୍କ କାର୍ଯ୍ୟକାଳ ସମୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସେ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି। ବିଶେଷ କରି ରାଜଧାନୀ ଭୁବନେଶ୍ଵରରେ ଅବସ୍ଥାପିତ ଥିବା ସମୟରେ ତାଙ୍କର ଅନେକ ଉନ୍ନତିମୂଳକ କାର୍ଯ୍ୟରେ ବିଶେଷ ଯୋଗଦାନ ରହିଥିଲା। ଭୁବନେଶ୍ଵର ମହାନଗର ନିଗମରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ତାଙ୍କର ବଳିଷ୍ଠ ନେତୃତ୍ଵ ରହିଥିଲା।
ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହ ସେ କାମ କରିଛନ୍ତି। ନିଜ କାର୍ଯ୍ୟକାଳ ସମୟରେ ସାଧାରଣ ଲୋକଙ୍କ ସ୍ଵାର୍ଥକୁ ସେ ସର୍ବୋପରି ରଖୁଥିଲେ। ଜନକଲ୍ୟାଣ ତାଙ୍କ ପାଇଁ କେବଳ ଏକ କର୍ତ୍ତବ୍ୟ ନଥିଲା, ବରଂ ଏକ ଆହ୍ଵାନ ଥିଲା। ସ୍ଵର୍ଗତ ରାମଚନ୍ଦ୍ର ପଣ୍ଡା ଜଣେ କର୍ମନିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ ଯେଉଁ ଛାପ ଛାଡ଼ିଯାଇଛନ୍ତି ତାହା ଆଗାମୀ ପିଢ଼ି ପାଇଁ ପ୍ରେରଣା ପାଲଟିବ।
Tags: #FormerAdministratorRamChandraPanda #PassedAway #Odisha #Jajpur


















