ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାକୁ ମିଳିଛି ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ଏଗ୍ରିକଲଚର ଲିଡରସିପ ପୁରସ୍କାର। ବୁଧବାର ନୂଆଦିଲ୍ଲୀରେ ଗ୍ରୁପ୍ ଦ୍ୱାରା ଆୟୋଜିତ ୧୬ତମ ଏଗ୍ରିକଲଚର ଲିଡରସିପ କନକ୍ଲେଭରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ବିଭାଗର ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ପୁରସ୍କାର ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ, ଭାରତର ପୂର୍ବତନ ମୁଖ୍ୟ ବିଚାରପତି ତଥା ପୁରସ୍କାର କମିଟିର ଅଧ୍ୟକ୍ଷ ଜଷ୍ଟିସ ପି. ସଥାଶିବମ୍ ଏହି ସମ୍ମାନ ପ୍ରଦାନ କରିଥିଲେ।

“ଏହି ପୁରସ୍କାର ଓଡ଼ିଶାର ଚାଷୀଙ୍କ କଠିନ ପରିଶ୍ରମ ଓ ନଵ ସୃଜନ ପ୍ରତି ପ୍ରତିବଦ୍ଧତାର ନିଦର୍ଶନ। ଓଡ଼ିଶାର ସବୁ ଅନ୍ନଦାତାଙ୍କୁ ମୁଁ ଏହି ପୁରସ୍କାର ଉତ୍ସର୍ଗୀକୃତ କରୁଛି। ଭାରତରେ କୃଷି ବିକାଶ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତାକୁ ଏହି ଜାତୀୟ ମାନ୍ୟତା ପ୍ରତିଫଳିତ କରୁଛି”, କହିଥିଲେ କନକ ବର୍ଦ୍ଧନ ସିଂହଦେଓ।

ସେ ଆହୁରି ମଧ୍ୟ କହିଥିଲେ, “୨୦୨୪-୨୫ ଆର୍ଥିକ ବର୍ଷରେ, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ଓଡ଼ିଶାର ମୋଟ ଜିଏସଭିଏରେ ପ୍ରାୟ ୧୯ ପ୍ରତିଶତ ଅବଦାନ ରହିଥିଲା, ଯାହା ଗତ ପାଞ୍ଚ ବର୍ଷର ଜାତୀୟ ହାରକୁ ଅତିକ୍ରମ କରି ୩.୩ ପ୍ରତିଶତ ବୃଦ୍ଧି ପାଇଛି। କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରଗୁଡ଼ିକ ମିଳିତ ଭାବରେ ମୋଟ ଶ୍ରମଶକ୍ତିର ୪୯ ପ୍ରତିଶତ ନିଯୁକ୍ତି ପ୍ରଦାନ କରି ରାଜ୍ୟର ଏକମାତ୍ର ବୃହତ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ରରେ ପରିଣତ ହୋଇଛି। ଫସଲ ବିବିଧତାକୁ ପ୍ରୋତ୍ସାହନ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରୋତ୍ସାହିତ ପରିବେଶ ଅନୁକୂଳ ଅଭ୍ୟାସଗୁଡ଼ିକୁ ଗ୍ରହଣ ଆଜି ଓଡିଶାକୁ ଶୀର୍ଷରେ ପହଞ୍ଚାଇଛି।”

୨୦୨୩-୨୪ରେ ରାଜ୍ୟର ଚାଉଳ ଉତ୍ପାଦନ ଥିଲା ୧୧୫.୩୯ ଲକ୍ଷ ମେଟ୍ରିକ ଟନ୍। ଭାରତୀୟ ଖାଦ୍ୟ ନିଗମକୁ (ଏଫସିଆଇ) ଚାଉଳ ଯୋଗାଣରେ ଓଡ଼ିଶା ଚତୁର୍ଥ ସର୍ବବୃହତ ରାଜ୍ୟ। ୨୦୨୪-୨୫ ବର୍ଷରେ ରାଜ୍ୟର କୃଷି ଶକ୍ତି ଇନପୁଟ୍ ହେକ୍ଟର ପିଛା ୨.୬୦ କିଲୋୱାଟରେ ପହଞ୍ଚିଛି। ୨୦୩୭ ସୁଦ୍ଧା ଏହା ହେକ୍ଟର ପିଛା ୩.୫ କିଲୋୱାଟରେ ପହଞ୍ଚିବା ଲକ୍ଷ୍ୟ ରହିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ।

ଓଡ଼ିଶା ୧୨୧.୮୨ ମେଟ୍ରିକ ଟନ୍ ଉଦ୍ୟାନଜାତୀୟ ଉତ୍ପାଦ ଯଥା ଡ୍ରାଗନ୍ ଫଳ, କାଜୁ, ଆମ୍ବ ଓ ବିଭିନ୍ନ ପ୍ରକାରର ପନିପରିବା ମଧ୍ୟ-ପୂର୍ବ ଦେଶ ଯେପରିକି ୟୁଏଇ, କାତାର, ଇଂଲଣ୍ଡ, ଆୟରଲ୍ୟାଣ୍ଡ, ଫ୍ରାନ୍ସ, ଇଟାଲୀ, ସ୍ୱିଡେନ, ବେଲଜିୟମ, ପୋଲାଣ୍ଡ ଓ ଜର୍ମାନୀକୁ ରପ୍ତାନି କରିଛି।

ସବୁ ପ୍ରକାର ଫଳ ଉତ୍ପାଦନ ଦୃଷ୍ଟିରୁ ଓଡ଼ିଶା ଭାରତରେ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ, କନ୍ଦମୂଳ ଉତ୍ପାଦନରେ ପ୍ରଥମ ସ୍ଥାନ, ପାଳ ଛତୁ ଉତ୍ପାଦନରେ ପ୍ରଥମ ସ୍ଥାନ, ବାଇଗଣ, ବନ୍ଧାକୋବି ଉତ୍ପାଦନରେ ଦେଶରେ ଦ୍ୱିତୀୟ ସ୍ଥାନରେ, କାଜୁ-ବାଦାମରେ ତୃତୀୟ ସ୍ଥାନ, ତରଭୁଜ, ଫୁଲକୋବି, ଭେଣ୍ଡି ,ଟମାଟୋ, ଲେମ୍ବୁ ଓ ନଡ଼ିଆ ଉତ୍ପାଦନରେ ୫ମ ସ୍ଥାନରେ ରହିଛି। ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ କୃଷି ବିକାଶ ପାଇଁ ଓଡ଼ିଶାର ପ୍ରତିବଦ୍ଧତା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଏକ ଅନୁକରଣୀୟ ମାନଦଣ୍ଡ ସ୍ଥାପନ କରିଛି।

ଏହି ସମ୍ମିଳନୀରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ, ହରିୟାଣା ମୁଖ୍ୟମନ୍ତ୍ରୀ ନାୟାବ ସିଂହ ସୈନି ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ନେଦରଲ୍ୟାଣ୍ଡ, ଆର୍ଜେଣ୍ଟିନା, ବ୍ରାଜିଲର ରାଷ୍ଟ୍ରଦୂତ, କାନାଡାର ଉଚ୍ଚାୟୁକ୍ତ, କର୍ପୋରେଟ୍ କ୍ଷେତ୍ର, ସ୍ୱାସ୍ଥ୍ୟ, ଶିଳ୍ପ, ଶିକ୍ଷା, ଗବେଷଣା, ବ୍ୟାଙ୍କିଂ, କୀଟନାଶକ ଉତ୍ପାଦନ, କୃଷି ଯନ୍ତ୍ରପାତି ଉତ୍ପଦକ, ଆର୍ଥିକ ପ୍ରତିଷ୍ଠାନ ଭଳି ଅନେକ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।

Tags: #AgricultureLeadershipAward #AgricultureTodayGroup #KVSinghDeo #Odisha

Comment