ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ‘ପରିବର୍ତ୍ତନଶୀଳ ବିଶ୍ୱରେ ମନୋବିଜ୍ଞାନର ପ୍ରୟୋଗ: ବୁଝାମଣା, କାର୍ଯ୍ୟାନ୍ୱୟନ ଓ ପରିବର୍ତ୍ତନ’ ଶୀର୍ଷକ ଦୁଇଦିନିଆ ଅନ୍ତର୍ଜାତୀୟ ସେମିନାର ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପୌରୋହିତ୍ୟ କରିଥିଲେ। ମନୋବିଜ୍ଞାନ ଶାସ୍ତ୍ରକୁ ଏକ ଶକ୍ତିଶାଳୀ ଉପାଦାନ ଭାବରେ ବ୍ୟବହାର କରି ବିଭିନ୍ନ ସମସାମୟିକ ସମସ୍ୟାଗୁଡ଼ିକର ମୁକାବିଲା କରିବା ଆଦି ସେମିନାରର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା।

ଜେଏନୟୁ ସ୍ଥିତ ଜାକିର ହୁସେନ ସେଣ୍ଟର ଫର ଏଜୁକେସନାଲ ଷ୍ଟଡିଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଅଜିତ କୁମାର ମହାନ୍ତି ସେମିନାର ଉଦଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟସ୍ଥିତ ସେଣ୍ଟର ଫର ହେଲଥ ସାଇକୋଲୋଜିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ମୀନା ହରିହରନ ଓ ନେପାଳ ସ୍ଥିତ ତ୍ରିଭୁବନ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡକ୍ଟର ନରେନ୍ଦ୍ର ସିଂ ଥଗୁନା ଯୋଗଦେଇ ନିଜ ଅଭିଭାଷଣ ରଖିଥିଲେ।

ମୁଖ୍ୟବକ୍ତା ଭାବେ ୟୁଏସଏ ବୋଷ୍ଟନ ସ୍ଥିତ ସୁଫୋଲକ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁକନ୍ୟା ରାୟ ଯୋଗଦେଇ ନିଜ ଗବେଷଣାର ଏକ ଉପସ୍ଥାପନା ପ୍ରଦାନ କରିଥିଲେ।

ଉଦଘାଟନୀ ଉତ୍ସବରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସେମିନାରର ଆୟୋଜକଙ୍କୁ ଧନ୍ୟବାଦ ଦେବା ସହ ଯୋଗ ଦେଇଥିବା ରାଜ୍ୟ ତଥର ଦେଶ ବିଦେଶର ପ୍ରତିଷ୍ଠିତ ମନୋବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସେମିନାରର ବିଭିନ୍ନ ବୈଷୟିକ ଅଧିବେଶନରେ ମାନସିକ ସ୍ୱାସ୍ଥ୍ୟ ଓ କୁଶଳତା, ପରାମର୍ଶ ମନୋବିଜ୍ଞାନ ଓ ଶିଶୁ ମନୋବିଜ୍ଞାନର ପ୍ରୟୋଗଗୁଡ଼ିକ ଜୀବନରେ ଭାବନାତ୍ମକ ସ୍ଥିରତା ଓ ସ୍ଥାୟୀ ଉନ୍ନତିକୁ ପ୍ରୋତ୍ସାହନ,  ଶିକ୍ଷା ଓ କାର୍ଯ୍ୟସ୍ଥଳ ମନୋବିଜ୍ଞାନ ଶିକ୍ଷାଗତ ଫଳାଫଳ ଓ ସଂସ୍ଥାଗତ ଉତ୍ପାଦନଶୀଳତା ବୃଦ୍ଧିର ଲକ୍ଷ୍ୟ, ମାଧ୍ୟମ ଓ ଶାସନ ବିଷୟରେ ମନୋବିଜ୍ଞାନୀୟ ପ୍ରଭାବର ଅନୁଧ୍ୟାନ,  ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା ମାନବ-ପ୍ରଯୁକ୍ତି ଆନ୍ତର୍କ୍ରିୟାରୁ ସମ୍ବନ୍ଧିତ ଅନ୍ତର୍ଦୃଷ୍ଟି ତଥା ବ୍ୟବହାରିକ ବିଜ୍ଞାନରେ ଉନ୍ନତ ଗବେଷଣା ନୂତନତାକୁ ଅଗ୍ରଗତି ଓ ସଂସ୍କୃତିମୂଳକ ସମ୍ବେଦନଶୀଳତାକୁ ବଢ଼ାଇବାରେ ସାହାଯ୍ୟ ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା।

ଏଥିସହ ସାମୁଦାୟିକ ପରିବର୍ତ୍ତନ ଓ ସ୍ଥାୟୀ ବିକାଶ ସାମୁଦାୟିକ ସଶକ୍ତିକରଣରେ ମନୋବିଜ୍ଞାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଖାଦ୍ୟ ପୋଷଣ, ପରିବେଶ ବିଜ୍ଞାନ ଓ କ୍ରୀଡା ମନୋବିଜ୍ଞାନ ଜୀବନରେ ସୁସ୍ଥ ଅଭ୍ୟାସ ଓ ସମୃଦ୍ଧିକୁ ବଢ଼ାଇବା ଦିଗରେ ମନୋବିଜ୍ଞାନ କିପରି ପ୍ରଭାବିତ କରେ ସେ ସମ୍ପର୍କୀତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ସେମିନାରର ସଂଯୋଜକ ଡକ୍ଟର ରାଜଶ୍ରୀ ଦତ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସହସଂଯୋଜକ ଶଶାଙ୍କ ଶେଖର ଗଡ଼ନାୟକ ସେମିନାରର ମୂଳପ୍ରସଙ୍ଗ ଉପରେ ପ୍ରାରମ୍ଭିକ ଉଦବୋଧନ ଦେଇଥିଲେ।

ବିଭାଗର ଅଧ୍ୟାପିକା ଯସ୍ମିନ ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ଡକ୍ଟର ଯଶସ୍ୟା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Tags: #InternationalSeminar #FMUniversity #Psychology #Balasore

Comment