ଇଂ ମୃତ୍ୟୁଞ୍ଜୟ ଶତପଥୀ

ବ୍ୟାସେ ଶୁଣି ପାରୁଛ? ତୁମେ ଲେଖିଥିଲ ଦେଢ଼ଶହ ବର୍ଷ ତଳେ ପାଟପୁର ରେବତୀର କଥା। ତା’ ଭାଗ୍ୟରେ ତମେ ଭରିଥିଲ ଦୁଃଖ, କରିଲ ହୀନସ୍ତା, ଦେଲ ମନ ଭରି ବ୍ୟଥା, ଅନାଥ କଲ, ମୁଣ୍ଡ ଉପରୁ ହଟେଇଲ ମା’ ପଣତ, ବାପ ଛେଉଣ୍ଡ କରିଦେଲ ଝିଅଟାକୁ।
ପ୍ରିୟ ବାସୁ ଭାଇକୁ ନେଇଗଲ ଆରପାରିକୁ। ଆଉ ଶେଷକୁ… ମରିବାକୁ ଛାଡ଼ିଦେଲ ସେଇ ନିରୀହ ହତଭାଗୀ ଝିଅଟାକୁ, ଯାହାର ଭୁଲ ଥିଲା ପାଠ ଦୁଇ ଅକ୍ଷର ପଢ଼ିବା। ଶ୍ୟାମବନ୍ଧୁ ମହାନ୍ତିର ପରିବାରଟା ଧୂଳିସାତ ହେଇଗଲା କେଉଁ ଅପରାଧରେ?
ହେଲେ ବ୍ୟାସେ, ତୁମେ ଜାଣ ଦେଢ଼ଶହ ବର୍ଷ ପରେ ଆଜି ତୁମରି ମାଟିରେ, ଯାହାର ପ୍ରତ୍ୟେକ ଧୂଳିକଣାରେ ତୁମେ ଅଛ, ସେଠି ଉଡୁଛି କୁଢ଼ କୁଢ଼ ନିଆଁଝୁଲ, କେହି ଜଣେ ଜଳିଯାଉଛି ହୁତୁହୁତୁ ହେଇ। ବହିଖାତା ସବୁ ଦୂରରେ ଫିଙ୍ଗି ଦେଇ ବସ୍ତାନୀରୁ ବାହାର କରୁଛି ପେଟ୍ରୋଲ, ଓଃ କି ବିଭତ୍ସ! କି କରୁଣ! କି ଅସହ୍ୟ ପୋଡ଼ା ଗନ୍ଧ ବ୍ୟାପିଛି ଚଉଦିଗେ, ଦେଖି ପାରୁଛ ତାକୁ ବ୍ୟାସେ?
ସେ ମାନୁନି ଘୋର ବର୍ଷାକାଳ ବିଜୁଳି ଘଡ଼ଘଡ଼ି ଡରେଇ ପାରୁନି ତାକୁ। ଆଖିରେ ଆଖିଏ ଅଭିମାନ ଆଉ ଅସହାୟପଣ ନେଇ ସେ ଦେଉଛି ଆତ୍ମାହୁତି। କେଉଁ ଅନ୍ଧାରରୁ ରେବୀର ବୁଢ଼ୀମା ଆଜି ପୁଣି କହୁଛି, ଲୋ ନିଆଁ ଲୋ ଚୁଲି…।
ଯାହା ଆପଣାକିଆ, ତହିଁକା ଇଲାଜ କିଆଁ (ତୁ ପାଠ ପଢ଼ିବାରୁ ସବୁ ହେଲା, ମୁଁ କ’ଣ କରିବି?)
ପିଲାବେଳେ ତାକୁ କେହି କହିଥିବ ଅଗ୍ନିସମ୍ଭୂତା ଦ୍ରୌପଦୀଙ୍କ କଥା, ସେଦିନ ବି ସମଗ୍ର ଆର୍ଯ୍ୟବ୍ରତର ପ୍ରତ୍ୟେକ କ୍ଷମତାଶାଳୀ ପୁରୁଷକୁ ସେ କରିଥିଲେ ଆହାନ, ହେଲେ ହାୟ ଏକବିଂଶ ଶତାବ୍ଦୀର ରେବୀ!
ତୁମେ ବି ଡାକି ଡାକି ନୟାନ୍ତ ହେଲ, ତୁମ ପାଇଁ ମୋହନ ମୂରଲୀ ଶୁଭିଲାନି, ତୁମେ ଉଠେଇଲ ଅସ୍ତ୍ର…!
ଆତ୍ମାହୁତି ଦେଲ ନିଜେ ସୃଷ୍ଟି କରି ଯଜ୍ଞକୁଣ୍ଡ। ପ୍ରମାଣିତ କରିବାକୁ ଚାହୁଁଛ କି? ଏ ଯୁଗରେ ମୃତ୍ୟୁ ପରେ ନ୍ୟାୟ ମିଳେ ବୋଲି? ଭୁଲ କଲ… ଭୁଲ କଲ…। ଏଠି ମୃତ୍ୟୁ ପରେ କାନ ସବୁ ଠିଆ ହେଇଯାଏ। ଦୋହଲି ଯାଏ ପାଟପୁରରୁ ପାର୍ଲାମେଣ୍ଟ। ଚାଲେ ରାଜନୀତିର ପଶାପାଲି ଖେଳ। ବସେ କମିଟି ପରେ କମିଟି, ଚାଲେ ତଦନ୍ତ ତଦନ୍ତ ଆଉ ଖାଲି ତଦନ୍ତ। ଝିଅଟିର ଘରଲୋକ ଯାହା ହୀନିମାନ। ଏସବୁ ଚାଲେ, ପୁଣି ଥରେ ନଯିବା ଯାଏ ଆଉ ଏକ ରେବୀର ଜୀବନ…।
ତୁମେ ଭାବିଲକି ତୁମ ବଳିଦାନ ପରେ ବଦଳିଯିବ ସବୁକିଛି? ଭୁଲ କଲ… ଭୁଲ କଲ…।
ସେଦିନ ବ୍ୟାସେ ବି ସେଇଆ ଭାବିଲେ ଜାଣି ନଥିଲେ ଦେଢ଼ଶହ ନୁହଁ ଦେଢ଼ ହଜାର ବର୍ଷ ପରେ ବି ବଦଳିବନି ରେବତୀଙ୍କ ଭାଗ୍ୟ। କେଉଁଠି ଏମିତି ଜଳୁଥିବ ନିଆଁ, କେଉଁଠି ଓହଳି ପଡ଼ୁଥିବ ଫ୍ୟାନ ତଳୁ ନିଶ୍ଚଳ ଦୁଇ ଜୀବନହୀନ ପାଦ, କେଉଁଠି ବନ୍ଦ କୋଠରୀରେ ଲୁଟୁଥିବ ଇଜ୍ଜତ ଆଉ ଅଦୂରେ ଶୁଭୁଥିବ, ଚମ ଧୁଡ଼ୁଧୁଡ଼ୁ ବୁଢ଼ୀଟିର ସ୍ଵର…
ଲୋ ନିଆଁ ଲୋ ଚୁଲି, ଯାହା ଆପଣାକିଆ, ତହିଁକା ଇଲାଜ କିଆଁ…?
(ଲେଖକ ନିଶ୍ଚିନ୍ତକୋଇଲିର ବାସିନ୍ଦା, ମତାମତ ନିଜସ୍ୱ।)
Tags: #Byase #Rebati #EmotionalStory #BalasoreFMcollegeCase











