ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ନୂତନ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଛନ୍ତି ସୋଭନା ମହାନ୍ତି। କାର୍ଯ୍ୟରେ ଯୋଗ ଦେବାଠାରୁ ୩ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ଏ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ରାଜ୍ୟରେ ଦିନକୁ ଦିନ ମହିଳାଙ୍କ ବିରୋଧରେ ବଢୁଥିବା ହିଂସା ଏବଂ ଅନ୍ୟାୟ ରୋକିବା ଦିଗରେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।

ଗତ ୨୦୨୪ ନଭେମ୍ବର ମାସରେ ମହିଳା କମିଶନର ଅଧ୍ୟକ୍ଷା ପଦରୁ ମୀନତି ବେହେରାଙ୍କୁ ହଟାଯାଇଥିଲା। ପ୍ରାୟ ୮ ମାସ ଧରି ଖାଲି ପଡ଼ିଥିବା ଏହି ସ୍ଥାନରେ ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର।

ଅଗଷ୍ଟ ୫ ତାରିଖରେ ମହିଳା କମିଶନ ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଥିବା ସୋଭନା ମହାନ୍ତି ହେଉଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ କରଞ୍ଜିଆ ଗ୍ରାମର ବାସିନ୍ଦା।

ସେହିପରି ରାଜ୍ୟ ମହିଳା କମିଶନ ସଦସ୍ୟା ଭାବେ ୪ ଜଣ ମନୋନୀତ ହୋଇଛନ୍ତି। ସେମାନେ ହେଲେ କଟକ ଜିଲ୍ଲା କନ୍ଦରପୁର ଫକୀରପଡ଼ାର ପ୍ରତିଭା ଶତପଥୀ, ଭୁବନେଶ୍ଵର ୟୁନିଟ ୪ର ଉର୍ମିଳା ମହାପାତ୍ର, କେନ୍ଦ୍ରାପଡ଼ା ଜିଲ୍ଲା କପାଳେଶ୍ଵରର କଳ୍ପନା ମଲ୍ଲିକ ଏବଂ ବରଗଡ଼ ଜିଲ୍ଲା ପଦ୍ମପୁରର ମୁକ୍ତା ସାହୁ। ଏହି ୪ ଜଣ ସଦସ୍ୟାଙ୍କ କାର୍ଯ୍ୟକାଳ ମଧ୍ୟ ତିନି ବର୍ଷ ରହିବ।

Tags: #ShovanaMohanty #NewAppointment #WomenCommission #OdishaGovt

Comment