ଓଡ଼ିଶାଲାଇଭ୍ ବ୍ୟୁରୋ

ଷ୍ଟାର ଦମ୍ପତି ବର୍ଷା ଅନୁଭବ ବିବାଦ ମାମଲାରେ ଦିନକୁ ଦିନ ନୂଆ ଚର୍ଚ୍ଚା ସାମ୍‌ନା ଆସୁଛି। ଅନୁଭବ ଏବଂ ତାଙ୍କ ପରିବାର ବିରୋଧରେ ମଙ୍ଗଳବାର ମହିଳା କମିସନରେ ହାଜର ହୋଇଛନ୍ତି ବର୍ଷା। ପୂର୍ବରୁ ଏହି ମାମଲାରେ ବର୍ଷା ମହିଳା କମିସନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏହାପରେ ମହିଳା କମିସନଙ୍କୁ ପକ୍ଷରୁ ଅନୁଭବ ଏବଂ ତାଙ୍କ ବାପା, ମାଆଙ୍କୁ ହାଜିରା ହେବା ପାଇଁ ନୋଟିସ କରାଯାଇଥିଲା। ମଙ୍ଗଳବାର ୧୧ଟାରେ ଉଭୟ ପକ୍ଷଙ୍କ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ବର୍ଷା ସମୟ ଅନୁସାରେ ଆସି ମହିଳା କମିସନରେ ପହଞ୍ଚିଥିବା ବେଳେ ଅନୁଭବ ଏବଂ ତାଙ୍କ ବାପା, ମାଆ କମିସନରେ ହାଜିର ହୋଇନଥିବା ସୂଚନା ମିଳିଛି।ସ୍ୱାମୀ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି ବର୍ଷା ଏକ ମାମଲା ରୁଜୁ କରିଥିଲେ। ଅନୁଭବ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ବର୍ଷା ଅଭିଯୋଗ କରିଥିଲେ। ଅତ୍ୟାଚାରରେ ଅତିଷ୍ଠ ହୋଇ ଅନୁଭବଙ୍କ ସହ ରହିବାକୁ ସୁରକ୍ଷିତ ମନେ ନ କରି ବର୍ଷା ତାଙ୍କଠାରୁ ଭରଣପୋଷଣ ଓ କ୍ଷତିପୂରଣ ମଧ୍ୟ ଦାବି କରିଥିଲେ।

ଅନୁଭବଙ୍କ ନିକଟରୁ ଘରଭଡ଼ା ବାବଦରେ ମାସିକ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ବାବଦରେ ୫୦ ହଜାର ଟଙ୍କା, କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା, ଚିକିତ୍ସା ଏବଂ ରୋଜଗାର ହରାଇଥିବାରୁ ଏ ନେଇ କ୍ଷତିପୂରଣ ବାବଦକୁ ୨ କୋଟି ଟଙ୍କା, ଏହିପରି ମୋଟ କ୍ଷତିପୂରଣ ବାବଦକୁ ୧୫ କୋଟି ଟଙ୍କା ଦାବି କରିଥିଲେ ବର୍ଷା।

Comment