ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ ଆରମ୍ଭ ହୋଇଛି ଜାତୀୟ ସ୍ତରୀୟ ଔଦ୍ୟୋଗିକ ସମ୍ମିଳନୀ ‘ଟାଇକନ ୨୦୨୫’। ପ୍ରଥମଥର ପାଇଁ ‘ଟାଇ ଭୁବନେଶ୍ୱର’ ପକ୍ଷରୁ ଓଡ଼ିଶା ସରକାରଙ୍କ ସହଭାଗିତାରେ ଏହି ଦୁଇ ଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି। ଶନିବାର ରାଜ୍ୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ତଥା ସମବାୟ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହାର ଉଦଘାଟନ କରିଥିଲେ। ଓଡ଼ିଶାକୁ ବ୍ୟବସାୟ ଓ ଉଦ୍ଭାବନ ପାଇଁ ଏକ ଆକର୍ଷଣୀୟ ସ୍ଥାନ ଭାବେ ଉପସ୍ଥାପନ କରିବା ପାଇଁ ‘ଟାଇକନ ୨୦୨୫’ର ଲକ୍ଷ୍ୟ ରହିଛି।

“ଓଡ଼ିଶାରେ ଉଦ୍ୟୋଗ ଏବଂ ବ୍ୟବସାୟ କ୍ଷେତ୍ର ପାଇଁ ଅନେକ ସୁଯୋଗ ରହିଛି। ରାଜ୍ୟର ବିସ୍ତୀର୍ଣ୍ଣ ଉପକୂଳ ବ୍ଲୁ ଇକୋନୋମି ପାଇଁ ଏକ ସମ୍ବଳ। ଉଦ୍ୟୋଗୀ ଏବଂ ନିବେଶକାରୀଙ୍କୁ ରାଜ୍ୟରେ ନୂଆ କ୍ଷେତ୍ରଗୁଡ଼ିକରେ ବିକାଶ ଆଣିବା ପାଇଁ ଉଦ୍ଭାବନ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଓଡ଼ିଶା ସରକାର ଦକ୍ଷତା ବିକାଶ ଏବଂ ଷ୍ଟାର୍ଟଅପ୍ ପ୍ରୋତ୍ସାହନ ମାଧ୍ୟମରେ ଉଦ୍ୟୋଗୀଙ୍କୁ ସମର୍ଥନ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ”, କହିଛନ୍ତି ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ।

ଏହି ସମ୍ମିଳନୀରେ ଭାରତ, ଶ୍ରୀଲଙ୍କା, ସିଙ୍ଗାପୁର, ୟୁଏଇ ଓ ଆମେରିକା ଭଳି ଦେଶରୁ ୧୦୦ରୁ ଅଧିକ ଉଦ୍ୟୋଗୀ ଓ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିଛନ୍ତି। ଏହାସହ ‘ଟାଇ’ର ୫୦୦ରୁ ଅଧିକ ପ୍ରତିନିଧି ସମ୍ମିଳନୀରେ ସାମିଲ ହୋଇଛନ୍ତି।

“ଟାଇକନ ହେଉଛି ଔଦ୍ୟୋଗିକତାର ଏକ ଉତ୍ସବ। ଉଦ୍ୟୋଗୀମାନେ ହେଉଛନ୍ତି ପରିବର୍ତ୍ତନକାରୀ ଏବଂ ରାଷ୍ଟ୍ର ନିର୍ମାତା। ଆମେ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଟାଇ ସଦସ୍ୟ ଚାହୁଁଛୁ ଏବଂ ଓଡ଼ିଶାରେ ଔଦ୍ୟୋଗିକ ପରିବେଶକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖିଛୁ। ଓଡ଼ିଶାକୁ ଉଦ୍ୟୋଗ ଓ ଉଦ୍ଭାବନ ପାଇଁ ଏକ ବିକଶିତ କେନ୍ଦ୍ରରେ ପରିଣତ କରିବା ଦିଗରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ”, କହିଛନ୍ତି ଟାଇ ଭୁବନେଶ୍ୱରର ଅଧ୍ୟକ୍ଷ ଅୟସକାନ୍ତ ମହାନ୍ତି।

‘ଟାଇକନ ୨୦୨୫’ର ଶୁଭାରମ୍ଭ ଦିବସରେ ଓଡ଼ିଶାର ଔଦ୍ୟୋଗିକ ପରିବେଶକୁ ସଶକ୍ତ କରିବା ପାଇଁ ଚାରୋଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉନ୍ମୋଚନ କରାଯାଇଥିଲା। ସେଗୁଡ଼ିକ ହେଲା

  • ଔଦ୍ୟୋଗିକତାର ସ୍ୱର – ଓଡ଼ିଶାର ଉଦ୍ୟୋଗୀମାନଙ୍କୁ ସଂଯୋଗ କରିବା, ସେମାନଙ୍କ ସମସ୍ୟାଗୁଡ଼ିକ ଉପରେ ତଥ୍ୟ ସଂଗ୍ରହ କରିବା। ପ୍ରାସଙ୍ଗିକ ଅଧିକାରୀଙ୍କ ନିକଟରେ ସେଗୁଡ଼ିକର ମତାମତ ଦାଖଲ କରିବା ପାଇଁ ଏହା ଏକ ତୃଣମୂଳସ୍ତରର ପଦକ୍ଷେପ ହେବ।
  • ଓଡ଼ିଶାର ଶୀର୍ଷ ୧୦୦ ମହିଳା ଉଦ୍ୟୋଗୀମାନଙ୍କୁ ଚିହ୍ନଟ ଓ ଉତ୍ସାହିତ କରିବା ପାଇଁ ଏକ ସ୍ଵତନ୍ତ୍ର କ୍ୟାମ୍ପେନର ଶୁଭାରମ୍ଭ।
  • ଔଦ୍ୟୋଗିକତାକୁ ବିଦ୍ୟାଳୟ ପାଠ୍ୟକ୍ରମରେ ଏକ ବିଷୟ ଭାବେ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ପ୍ରସ୍ତାବ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚାଯିବ। ଏହାଦ୍ୱାରା ଯୁବ ବୟସରୁ ପିଲାମାନଙ୍କଠାରେ ଏକ ଉଦ୍ୟୋଗୀ ମାନସିକତା ବିକଶିତ ହେବ ବୋଲି ଲକ୍ଷ୍ୟ ରଖାଯାଇଛି।
  • ଟାଇର ଉପସ୍ଥିତି ବଢ଼ାଇବା ପାଇଁ ଓଡ଼ିଶାର ପ୍ରତ୍ୟେକ ଜଣେ ପ୍ରତିନିଧି ରହିବେ, ଏହାଦ୍ୱାରା ଟାଇ ଭୁବନେଶ୍ଵରର ବିସ୍ତାର ହେବାସହ ଅନେକ ଆଶାୟୀ ଉଦ୍ୟୋଗୀଙ୍କୁ ଆବଶ୍ୟକୀୟ ସହାୟତା ମିଳିପାରିବ ବୋଲି ଲକ୍ଷ୍ୟ ରଖାଯାଇଛି।

ସମ୍ମିଳନୀରେ ରାଜ୍ୟ ଶିଳ୍ପ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଓଡ଼ିଶାର ଚାହିଦା-ଆଧାରିତ ବିକାଶ ଏବଂ ପ୍ରଯୁକ୍ତି-ଆଧାରିତ ବିକାଶ ଉପରେ ଧ୍ୟାନ ଦେଇ ପ୍ରତ୍ୟେକ ଜିଲ୍ଲାରୁ ଟାଇ ଭୁବନେଶ୍ୱର ଦ୍ୱାରା ସମର୍ଥିତ ୨ ଜଣ ଉଦ୍ୟୋଗୀଙ୍କୁ ଚିହ୍ନଟ କରିବାକୁ ପ୍ରସ୍ତାବ ଦେଇଥିଲେ।

ସେହିପରି ରାଜ୍ୟ ରାଜ୍ୟ ଶକ୍ତି ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ଓଡ଼ିଶାର ଆର୍ଥିକ ବିଜ୍ଞତା, ଶିଳ୍ପ ବିକାଶ, ବିପର୍ଯ୍ୟୟ ପରିଚାଳନା ଏବଂ ସ୍ୱାସ୍ଥ୍ୟସେବାରେ ରାଜ୍ୟର ସଫଳତା ଉପରେ ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମରେ ଟାଇ ଗ୍ଲୋବାଲ୍ ବୋର୍ଡ ଅଫ ଟ୍ରଷ୍ଟିଜର ସଭାପତି ମୁରଲୀ ବୁକାପାଟ୍ଟନମ୍ ଉଦ୍ୟୋଗୀମାନଙ୍କୁ ଓଡ଼ିଶା ତଥା ଭୁବନେଶ୍ଵରକୁ ଉଦ୍ୟୋଗ ଓ ଉଦ୍ଭାବନର କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଥିଲେ। ଟାଇ ଭୁବନେଶ୍ୱରର ଉପସଭାପତି ସତ୍ୟବ୍ରତ ରଥ ସମ୍ମିଳନୀର ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।  

ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ଦିନରେ ‘ଏଆଇ ଆଣ୍ଡ ଏଣ୍ଟରପ୍ରିନ୍ୟୋରସିପ’ ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ରାଜ୍ୟକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଓଡ଼ିଶାର ଏଆଇ ନୀତି ଓ ରଣନୀତିଗୁଡ଼ିକ ଉପରେ ଆଲୋଚନା କରିବେ।

ଓଡ଼ିଶାଲାଇଭ୍ ‘ଟାଇକନ ୨୦୨୫’ର କମ୍ୟୁନିକେସନ ପାର୍ଟନର ରହିଛି।

Tags: #TiECON2025 #TiEBhubaneswar #EntrepreneurshipSummit

Comment