ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵରରେ ଅଗଷ୍ଟ ୯ ଓ ୧୦ ତାରିଖରେ ଆୟୋଜିତ ହେବାକୁ ଯାଉଛି ‘ଟାଇକନ ୨୦୨୫’। ପ୍ରଥମଥର ପାଇଁ ‘ଟାଇ ଭୁବନେଶ୍ୱର’ ପକ୍ଷରୁ ଓଡ଼ିଶା ସରକାରଙ୍କ ସହଭାଗିତାରେ ଏହି ଦୁଇ ଦିନିଆ ଜାତୀୟସ୍ତରୀୟ ଔଦ୍ୟୋଗିକ ସମ୍ମିଳନୀର ଆୟୋଜନ କରାଯାଉଛି। ଓଡ଼ିଶାକୁ ଉଦ୍ୟୋଗ ଓ ଉଦ୍ଭାବନ ପାଇଁ ଏକ ବିକଶିତ କେନ୍ଦ୍ରରେ ପରିଣତ କରିବା ଦିଗରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ।

ଏହି ସମ୍ମିଳନୀରେ ଭାରତ, ଶ୍ରୀଲଙ୍କା, ସିଙ୍ଗାପୁର, ୟୁଏଇ ଓ ଆମେରିକା ଭଳି ଦେଶରୁ ୧୦୦ରୁ ଅଧିକ ଉଦ୍ୟୋଗୀ ଓ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିବେ। ଏହାସହ ୫୦୦ରୁ ଅଧିକ ଟାଇ ପ୍ରତିନିଧି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାକୁ ବ୍ୟବସାୟ ଓ ଉଦ୍ଭାବନ ପାଇଁ ଏକ ଆକର୍ଷଣୀୟ ସ୍ଥାନ ଭାବେ ଉପସ୍ଥାପନ କରିବା ପାଇଁ ‘ଟାଇକନ ୨୦୨୫’ର ଲକ୍ଷ୍ୟ ରହିଛି।

“ଭୁବନେଶ୍ୱରରେ ‘ଟାଇକନ’ ଭଳି ବଡ଼ଧରଣର ଔଦ୍ୟୋଗିକ ସମ୍ମିଳନୀର ଆୟୋଜନ କରିବା ଆମ ପାଇଁ ଗର୍ବର ବିଷୟ। ଏଥିରେ ଦେଶ ବିଦେଶର ଅନେକ ଉଦ୍ୟୋଗୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବେ। ଏହି ସମ୍ମିଳନୀ ଓଡ଼ିଶାର ଉଦ୍ୟୋଗ ଜଗତକୁ ଉତ୍ସାହିତ କରିବ ଏବଂ ଆମର ରାଜ୍ୟକୁ ବିଶ୍ଵର ବ୍ୟବସାୟ ମାନଚିତ୍ରରେ ଅବସ୍ଥାପିତ କରିବା ପାଇଁ ବଡ଼ ପ୍ଲାଟଫର୍ମ ହେବ”, କହିଛନ୍ତି ଟାଇ ଭୁବନେଶ୍ୱରର ଅଧ୍ୟକ୍ଷ ଅୟସକାନ୍ତ ମହାନ୍ତି।

ଏହି ସମ୍ମିଳନୀରେ ଏକାଧିକ ଟେକ୍ନିକାଲ ସେସନ ଆୟୋଜିତ ହେବାସହ ଅନେକ ନେଟୱର୍କିଂ ସୁଯୋଗ ରହିବ। ‘ଟାଇ ଭୁବନେଶ୍ୱର’ ପକ୍ଷରୁ କାର୍ଯ୍ୟକ୍ରମରେ ୪ଟି ପ୍ରମୁଖ ପଦକ୍ଷେପର ଶୁଭାରମ୍ଭ କରାଯିବ, ଯାହା ରାଜ୍ୟରେ ଔଦ୍ୟୋଗିକତାକୁ ପ୍ରୋତ୍ସାହିତ କରିବା ବୋଲି ଲକ୍ଷ୍ୟ ରଖାଯାଇଛି। ସେଗୁଡ଼ିକ ହେଲା

  • ଔଦ୍ୟୋଗିକତାର ସ୍ୱର – ଓଡ଼ିଶାର ଉଦ୍ୟୋଗୀମାନଙ୍କୁ ସଂଯୋଗ କରିବା, ସେମାନଙ୍କ ସମସ୍ୟାଗୁଡ଼ିକ ଉପରେ ତଥ୍ୟ ସଂଗ୍ରହ କରିବା। ପ୍ରାସଙ୍ଗିକ ଅଧିକାରୀଙ୍କ ନିକଟରେ ସେଗୁଡ଼ିକର ମତାମତ ଦାଖଲ କରିବା ପାଇଁ ଏହା ଏକ ତୃଣମୂଳସ୍ତରର ପଦକ୍ଷେପ ହେବ।
  • ସମ୍ମିଳନୀରେ ଓଡ଼ିଶାର ଶୀର୍ଷ ୧୦୦ ମହିଳା ଉଦ୍ୟୋଗୀମାନଙ୍କୁ ଚିହ୍ନଟ ଓ ଉତ୍ସାହିତ କରିବା ପାଇଁ ଏକ ସ୍ଵତନ୍ତ୍ର କ୍ୟାମ୍ପେନ ଆରମ୍ଭ କରାଯିବ।   
  • ଔଦ୍ୟୋଗିକତାକୁ ବିଦ୍ୟାଳୟ ପାଠ୍ୟକ୍ରମରେ ଏକ ବିଷୟ ଭାବେ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ପ୍ରସ୍ତାବ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚାଯିବ। ଏହାଦ୍ୱାରା ଯୁବ ବୟସରୁ ପିଲାମାନଙ୍କଠାରେ ଏକ ଉଦ୍ୟୋଗୀ ମାନସିକତା ବିକଶିତ ହେବ ବୋଲି ଲକ୍ଷ୍ୟ ରଖାଯାଇଛି।
  • ଟାଇର ଉପସ୍ଥିତି ବଢ଼ାଇବା ପାଇଁ ଓଡ଼ିଶାର ପ୍ରତ୍ୟେକ ଜଣେ ପ୍ରତିନିଧି ରହିବେ, ଏହାଦ୍ୱାରା ଟାଇ ଭୁବନେଶ୍ଵରର ବିସ୍ତାର ହେବାସହ ଅନେକ ଆଶାୟୀ ଉଦ୍ୟୋଗୀଙ୍କୁ ଆବଶ୍ୟକୀୟ ସହାୟତା ମିଳିପାରିବ ବୋଲି ଲକ୍ଷ୍ୟ ରଖାଯାଇଛି।

ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ଦିନରେ ‘ଏଆଇ ଆଣ୍ଡ ଏଣ୍ଟରପ୍ରିନ୍ୟୋରସିପ’ ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ରାଜ୍ୟକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଓଡ଼ିଶାର ଏଆଇ ନୀତି ଓ ରଣନୀତିଗୁଡ଼ିକ ଉପରେ ଆଲୋଚନା କରିବେ।

ଓଡ଼ିଶାଲାଇଭ୍ ‘ଟାଇକନ ୨୦୨୫’ର କମ୍ୟୁନିକେସନ ପାର୍ଟନର ରହିଛି।

Tags: #TiECON2025 #TiEBhubaneswar #EntrepreneurshipSummit

Comment