ଓଡ଼ିଶାଲାଇଭ୍ ବ୍ୟୁରୋ

“ଯେତେବେଳେ ମୁଁ ବଡ଼ ହେବାର ସ୍ୱପ୍ନ ଦେଖିଥିଲି ସେତେବେଳେ ମୋ ପାଖରେ କିଛି ନଥିଲା। ମୋର କେହି ଗଡଫାଦର ବି ନଥିଲେ। ମାତ୍ର ୪ ବର୍ଷ ବୟସରୁ ବାପାଙ୍କୁ ହରେଇଥିଲି। ପରିବାରର ସ୍ଥିତି ଯାହା ଥିଲା ନକହିବା ଭଲ। ତଥାପି ବହୁତ କଷ୍ଟ କରି ମୁଁ ପାଠ ପଢ଼ିଲି। ତା’ପରେ ଏକ ନିପଟ ମଫସଲରୁ ଆସି ଭୁବନେଶ୍ୱରରେ ଭଡ଼ା ଘରୁ ଆରମ୍ଭ କରିଥିଲି ଦୁଇଟି ସଂସ୍ଥା, ଯାହା ଆଜି କିଟ୍ ଓ କିସ୍ ଭାବେ ପରିଚିତ। ଏ ଲମ୍ବା ଯାତ୍ରା ଭିତରେ ଅନେକ ପ୍ରତିକୂଳ ପରିସ୍ଥିତି ଆସିଛି। କିନ୍ତୁ ଧୈର୍ଯ୍ୟ ହିଁ ମୋର ବଳ ହୋଇଛି”, ଟାଇ ଭୁବନେଶ୍ଵର ଚାପ୍ଟର ପକ୍ଷରୁ ଆୟୋଜିତ ‘ହଲ୍ ଅଫ୍ ଫେମ୍ ୨.୦’ ଅବସରରେ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏଭଳି ତାଙ୍କ କାହାଣୀ କହିଛନ୍ତି।

ଖେଳୁ ଖେଳୁ ଆରମ୍ଭ କଲି ଦୁଇଟି ଅନୁଷ୍ଠାନ କିଟ୍ ଓ କିସ୍

“ମହର୍ଷି କଲେଜରେ ରସାୟନ ବିଜ୍ଞାନ ଅଧ୍ୟାପକ ଭାବେ କାମ କଲାବେଳେ କିଛି ନୂଆ କରିବା ପାଇଁ ମନକୁ ଆସିଲା। ପାଖରେ ଟଙ୍କା ନଥିଲା। ଧାର କରଜ କରି ଭୁବନେଶ୍ଵରରେ ଦୁଇଟି ଭଡ଼ା ଘରୁ ଆରମ୍ଭ କରିଥିଲି ଦୁଇଟି ସଂସ୍ଥା। ୧୨ ଜଣ ଛାତ୍ରଛାତ୍ରୀ ଓ ଦୁଇ ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ କରିଥିହବା ସେହି ସଂସ୍ଥା ଆଜି କିଟ୍ ଓ କିସ୍ ନାଁରେ ବିଶ୍ଵ ପରିଚିତ”, କହିଛନ୍ତି କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ।

ସେ ଆହୁରି ମଧ୍ୟ କହିଛନ୍ତି, “ଭୁବନେଶ୍ଵରକୁ ଆସିବାବେଳେ ମୋର କେହି ଗଡଫାଦର ନଥିଲେ। ୪ ବର୍ଷରେ ବାପାଙ୍କୁ ହରାଇଥିଲି, ଦି’ ବେଳା ଖାଇବାକୁ ରୁଟି ମିଳୁନଥିଲା। ବହୁ କଷ୍ଟରେ ଏଠି ସେଠି କାମ କରି ପାଠ ପଢ଼ିଥିଲି। ଆଜି ଯେଉଁ ସ୍ଥାନରେ ପହଞ୍ଚିଛି ସେଠି ପହଞ୍ଚିବା ପାଇଁ କେବଳ ଧୈର୍ଯ୍ୟ ହିଁ ଆବଶ୍ୟକ।”

ଓଡ଼ିଶାରେ ପ୍ରାଇଭେଟ୍ ସେକ୍ଟରରେ ସବୁଠୁ ଅଧିକ ରୋଜଗାର ଦେଇଛି କିଟ୍ ଓ କିସ୍

କିଟ୍ ଓ କିସ୍ ସହ ୧୫ ହଜାର ସ୍ଥାୟୀ କର୍ମଚାରୀ ଯୋଡ଼ି ହୋଇରହିଛନ୍ତି। ଅହରହ ସେମାନେ କାମ କରୁଛନ୍ତି। ଶହ ଶହ ବିଦେଶୀ ପର୍ଯ୍ୟଟକ ପ୍ରତିଦିନ କିଟ୍ ଏବଂ କିସ୍ ବୁଲିବା ପାଇଁ ଆସନ୍ତି ଏବଂ ସେମାନେ ଏଠିକାର ଭିତ୍ତିଭୂମି ଏବଂ ପରିଚାଳନା ବ୍ୟବସ୍ଥା ଦେଖି ଆଚମ୍ବିତ ହୁଅନ୍ତି। ଓଡ଼ିଶାରେ କିଟ୍ ଏବଂ କିସ୍ ଏକ ବିଲିଅନ ଡଲାର ବ୍ରାଣ୍ଡିଂ ତିଆରି କରିଛି ବୋଲି କହିଛନ୍ତି ଅଚ୍ୟୁତ ସାମନ୍ତ।

ଏମିତି କୌଣସି ଗ୍ଲୋବାଲ ପୁରସ୍କାର ନାହିଁ ଯାହା କିଟ୍ ଓ କିସ୍‌କୁ ମିଳିନାହିଁ  

ଭାରତରେ ଖେଳକୁ ପ୍ରୋତ୍ସାହନ ଯୋଗାଇବାରେ କିଟ୍ ଏବଂ କିସ୍ ଆଗରେ। ଏହି ଅନୁଷ୍ଠାନରୁ ୯ ଜଣ ଖେଳାଳି ଅଲିମ୍ପିକ୍ସ ଖେଳିଛନ୍ତି, ସେଥିମଧ୍ୟରୁ କିଛି ଜଣ ଭାରତ ପାଇଁ ମେଡାଲ ମଧ୍ୟ ଆଣିଛନ୍ତି। ନିକଟରେ ଭାରତ ସରକାରଙ୍କ ପକ୍ଷରୁ କିଟ୍ ଏବଂ କିସ୍‌କୁ ରାଷ୍ଟ୍ରିୟ ଖେଳ ପ୍ରୋତ୍ସାହନ ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି।

ସବୁ କ୍ଷେତ୍ରରେ ରହିଛି ପାରଦର୍ଶିତା

କଳା, ସାହିତ୍ୟ, ସଂସ୍କୃତି, ସ୍ଵାସ୍ଥ୍ୟ, ଶିକ୍ଷା, ଚଳଚ୍ଚିତ୍ର, ଗଣମାଧ୍ୟମ, ରାଜନୀତି ଏ ସମସ୍ତ କ୍ଷେତ୍ରରେ ଅଚ୍ୟୁତ ସାମନ୍ତ ନିଜ ପାରଦର୍ଶିତା ଦେଖାଇଛନ୍ତି। ନିଜ ଧୈର୍ଯ୍ୟ ଏବଂ ନିଷ୍ଠା ବଳରେ ସେ ଆଜି ଏ ସ୍ଥାନରେ ପହଞ୍ଚିଛନ୍ତି ବୋଲି ସେ କହିଛନ୍ତି।

 

Tags: #AchyutaSamanta #Founder #KIIT&KISS #Business #Entrepreneur #TieBhubaneswar #StartUpOdisha #HallOfFame

LEAVE A REPLY

Please enter your comment!
Please enter your name here