ଓଡ଼ିଶାଲାଇଭ୍ ବ୍ୟୁରୋ

ସରିଲା କଟକର ଐତିହାସିକ ବାଲିଯାତ୍ରା। ଗତ ନଭେମ୍ବର ୨୭ ତାରିଖରୁ ୯ ଦିନ ଧରି ଚାଲିଥିବା ଏହି ବାଲିଯାତ୍ରାରେ ରେକର୍ଡ ବ୍ୟବସାୟ ହୋଇଛି। ଏଥର ବାଲିଯାତ୍ରାରେ ୧୦୦ କୋଟି ଟଙ୍କରୁ ଊର୍ଦ୍ଧ୍ଵ ବ୍ୟବସାୟ ହୋଇଥିବା ଆକଳନ କରାଯାଉଛି।

ବାଲିଯାତ୍ରାରେ ପିଲାଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଆବଶ୍ୟକତାକୁ ଗୁରୁତ୍ଵ ଦିଆଯାଇଥିଲା। ଐତିହାସିକ ବାଲିଯାତ୍ରା ବୁଲିବାକୁ ଆସିଥିବା ଲୋକେ ବିଭିନ୍ନ ରକମ ଜିନିଷ କିଣାକିଣି କରିବାର ସୁଯୋଗ ପାଇବା ସହ ଖେଳକୁଦର ମଜା ଉଠାଇଥିଲେ। ଗତ ନଭେମ୍ବର ୨୭ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା କଟକ ବାଲିଯାତ୍ରା ଦେଖିବାକୁ ଦର୍ଶକଙ୍କ ଅସଂଖ୍ୟ ଭିଡ଼ ଜମିଥିଲା।

ଚଳିତ ଥର ୧,୪୦୦ରୁ ଅଧିକ ଷ୍ଟଲ ପଡ଼ିଥିବାବେଳେ ଓରମାସ ପକ୍ଷରୁ ୪୦୦ରୁ ଅଧିକ ଷ୍ଟଲ ଖୋଲାଯାଇଛି। ବିଭିନ୍ନ ଷ୍ଟଲରୁ ଛୋଟବଡ଼ ସାମଗ୍ରୀ କିଣି ନେଇଥିଲେ ବାଲିଯାତ୍ରା ବୁଲି ଆସିଥିବା ଗ୍ରାହକ। ଶେଷ ଦିନରେ ବ୍ୟବସାୟୀମାନଙ୍କ ଜିନିଷପତ୍ର ଦିନ ପ୍ରାୟ ୧୨ଟା ସୁଦ୍ଧା ବିକ୍ରି ସରିଥିବା ଦେଖିବାକୁ ମିଳିଥିଲା। ଏପରିକି ଅନେକ ବ୍ୟବସାୟୀ ସନ୍ଧ୍ୟା ପୂର୍ବରୁ ପଡ଼ିଆ ଖାଲି କରିଦେଇଥିବା ଦେଖିବାକୁ ମିଳିଥିଲା।

ଏହି ୯ ଦିନ ମଧ୍ୟରେ ୧୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଥିବା ଆକଳନ କରାଯାଉଥିବାବେଳେ ବାଲିଯାତ୍ରା ପଡ଼ିଆରେ ସରକାରୀ ସଂସ୍ଥା ଜରିଆରେ ଖୋଲି ବିଭିନ୍ନ ଷ୍ଟଲରୁ ପ୍ରାୟ ୪୦ କୋଟିର ବ୍ୟବସାୟ ହୋଇଥିବା କୁହାଯାଉଛି। ଏହାକୁ ନେଇ କ୍ଷୁଦ୍ର ବ୍ୟବସାୟୀ ଏବଂ ଉଦ୍ୟୋଗୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି ହୋଇଛି। ଚଳିତ ବର୍ଷ ଓରମାସ ଷ୍ଟଲରେ ସବୁଠାରୁ ଅଧିକ ବ୍ୟବସାୟ ହୋଇଥିବା ଜଣାପଡ଼ିଛି।

ଗତ ବର୍ଷ ଓରମାସ ଷ୍ଟଲରେ ୨୪ କୋଟି ୫୬ ଲକ୍ଷ ଟଙ୍କାର କାରବାର ହୋଇଥିବାବେଳେ ଏ ବର୍ଷ ମୋଟ ୩୫ କୋଟି ୫୮ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଛି, ଯାହା ଗତ ବର୍ଷ ତୁଳନାରେ ୫୫ ପ୍ରତିଶତରୁ ଅଧିକ ରହିଛି।

ବାଲିଯାତ୍ରା ତଳ ପଡ଼ିଆରେ ମିଶାନ ଶକ୍ତି ଏସି କମ୍ପ୍ଲେକ୍ସ ପରିସରରେ ୫୮ଟି ଷ୍ଟଲ ଖୋଲିଥିବାବେଳେ ଏଠାରେ ୨ କୋଟିରୁ ଅଧିକ ଟଙ୍କା ବ୍ୟବସାୟ ହୋଇଛି। ଭିନ୍ନକ୍ଷମ ଓ କିନ୍ନର ସଶକ୍ତୀକରଣ ପକ୍ଷରୁ ଖୋଲଯାଇଥିବା ଷ୍ଟଲରୁ ୨୩ ଲକ୍ଷ ୪୨ ହଜାର ଟଙ୍କା ବ୍ୟବସାୟ ହୋଇଛି। କଟକ ପୌର ନିଗମ ପକ୍ଷରୁ ପ୍ରସ୍ତୁତ ଦେତନ୍ତ୍ର ପାଭିଲିୟନରେ ୩ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି।

ଚଳିତ ବର୍ଷ ଦୋଳି, ଫିସ୍ ଟନେଲରେ ଭଲ ବ୍ୟବସାୟ ହୋଇଥିବାବେଳେ ଜିନିଷ ପତ୍ର କିଣାବିକା ରେକର୍ଡ ପରିମାଣର ହୋଇଛି। କିନ୍ତୁ ଚଳିତ ବର୍ଷ ଖାଦ୍ୟଷ୍ଟଲଗୁଡ଼ିକରେ ଭଲ ବ୍ୟବସାୟ ହୋଇନଥିବା ଦେଖିବାକୁ ମିଳିଛି।

ଗତ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ଐତିହାସିକ ବାଲିଯାତ୍ରା ଡିସେମ୍ବର ୪ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ଲୋକଙ୍କ ଆଗ୍ରହକୁ ଦେଖି ଆଉ ଗୋଟିଏ ଦିନ ବାଲିଯାତ୍ରାର ଅବଧି ବଢ଼ାଇଥିଲେ ରାଜ୍ୟ ସରକାର।

କଟକର ଐତିହାସିକ ବାଲିଯାତ୍ରାରେ ଦେଖିବାକୁ ମିଳୁଛି ଓଡ଼ିଶାର କଳା, ସଂସ୍କୃତି ଏବଂ ପରମ୍ପରାର ଝଲକ। ପ୍ରତିବର୍ଷ ବାଲିଯାତ୍ରାକୁ ଅପେକ୍ଷା କରିରହିଥାନ୍ତି ଲକ୍ଷାଧିକ ଦର୍ଶକ। ଲୋକ। ପୁଣି ଆଉ ଗୋଟିଏ ବର୍ଷ ବାଲିଯାତ୍ରା ପାଇଁ ଆଜିଠାରୁ ଅପେକ୍ଷା ରହିବ।

Tags: #Historicbaliyatra #cuttack #culture #odisha #Business

Comment