ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି ଓଡ଼ିଶାର ଦ୍ଵିତୀୟ ବୃହତ୍ ସାପ୍ତାହିକ ବୁଣାକାର ବଜାର। ଏହି ବଜାର ବୌଦ୍ଧ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଥିବା ବୁଣାକାରଙ୍କୁ ରୋଜଗାର ଯୋଗାଉଛି।

ଓଡ଼ିଶାର ଦ୍ଵିତୀୟ ବୃହତ୍ ସାପ୍ତାହିକ ବୁଣାକାର ବଜାର ବୁଣାକାରଙ୍କୁ ରୋଜଗାର ଯୋଗାଇବା ସହ ହସ୍ତତନ୍ତ ବସ୍ତ୍ର ପ୍ରତି ଆଗ୍ରହ ଥିବା କ୍ରେତାଙ୍କୁ ସୁଲଭ ମୂଲ୍ୟରେ ମନ ପସନ୍ଦର ବସ୍ତ୍ର ମିଳିପାରୁଛି।

ରବିବାର ହେଲେ ଜମୁଛି ସାପ୍ତାହିକ ବୁଣାକାର ବଜାର। ରଙ୍ଗ ବେରଙ୍ଗର ସମ୍ୱଲପୁରୀ ପାଟ ଶାଢ଼ି ଓ ଗାମୁଛା ସାଙ୍ଗକୁ ଡ୍ରେସ କପଡ଼ା। ବିଭିନ୍ନ ରକମର ଶାଢ଼ି ବାଛି କିଣି ନେଉଛନ୍ତି ଗ୍ରାହକ। ବୌଦ୍ଧର ସାପ୍ତାହିକ ବୁଣାକାର ବଜାରରେ ଜମୁଛି ବୁଣାକାରଙ୍କ ବ୍ୟବସାୟ। ବଜାରରେ କେବଳ ଉପଲବ୍ଧ ହେଉଛି ବୁଣାକାରଙ୍କ ହାତ ତିଆରି ବସ୍ତ୍ର।

ପ୍ରସିଦ୍ଧ ସମ୍ବଲପୁରୀ ପାଟଶାଢ଼ିଠାରୁ ଆରମ୍ଭ କରି ଗାମୁଛା ଓ ରୁମାଲ ପର୍ଯ୍ୟନ୍ତ ସବୁ ସୁଲଭ ମୂଲ୍ୟରେ କିଣିବା ପାଇଁ ଲାଗୁଛି ଗ୍ରାହକମାନଙ୍କ ଭିଡ଼।

ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ପ୍ରାୟ ୫୦୦ରୁ ଅଧିକ ବ୍ୟବସାୟୀ ବଜାରରେ ବ୍ୟବସାୟ କରିବା ପାଇଁ ଆସୁଛନ୍ତି। କେବଳ ପଶ୍ଚିମ ଓଡ଼ିଶା ନୁହେଁ ପୂର୍ବ, ଦକ୍ଷିଣ, ଉତ୍ତର ଓଡ଼ିଶାର ବୁଣାକାରମାନେ ମଧ୍ୟ ଏଠାରେ ନିଜର ହାତ ତିଆରି ବସ୍ତ୍ର ଆଣି ବ୍ୟବସାୟ କରୁଛନ୍ତି।

କିଏ ଅନୁଗୁଳ ଜିଲ୍ଲାରୁ ଆସୁଛି ତ ପୁଣି କିଏ ଗଞ୍ଜାମ ଜିଲ୍ଲାରୁ। ବିଶେଷ କରି ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ସମ୍ୱଲପୁରୀ ପାଟ ଓ ଖଣ୍ଡୁଆ ପାଟ କିଣିବା ପାଇଁ ଲାଗୁଛି ଗ୍ରାହକଙ୍କ ଭିଡ଼। ବୁଣାକାରଙ୍କ ହାତ ତିଆରି ବସ୍ତ୍ର କିଣିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ୁଥିବାବେଳେ ମନମୁଣ୍ଡାର ପ୍ରସିଦ୍ଧ ବୋଉଦିଆ ଗାମୁଛା ମଧ୍ୟ ଏଠାରେ ବିକ୍ରି କରାଯାଇଛି। ପୂର୍ବରୁ ସମ୍ବଲପୁରୀ ଶାଢ଼ି କିଣିବାକୁ ହେଲେ ବାହାର ଜିଲ୍ଲାକୁ ପଡ଼ୁଥିଲା, ଏବେ ବୌଦ୍ଧରେ ବୁଣାକାର ବଜାର ବସିବା ପରେ ଏଠାରେ ସୁଲଭ ମୂଲ୍ୟରେ ମନପସନ୍ଦର ଶାଢ଼ି ମିଳିପାରୁଛି ବୋଲି ଗ୍ରାହକ କହିଛନ୍ତି।

ବୌଦ୍ଧ ଜିଲ୍ଲାରେ ୩୧ଟି ବୁଣାକାର ସୋସାଇଟି ରହିଥିବାବେଳେ ଏଥିରେ ୮,୭୭୩ ଜଣ ବୁଣାକାର ପଞ୍ଜିକୃତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନା’ରେ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ଜିଲ୍ଲା ବୁଣାକାରମାନଙ୍କୁ ବଜାର ସୁବିଧା ଲକ୍ଷ୍ୟ ନେଇ ବୌଦ୍ଧ ସହର ସ୍ଥିତ ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାର ପରିସରରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବୁଣାକାର ସାପ୍ତାହିକ ବଜାର ଆରମ୍ଭ ହୋଇଛି। ଏହି ବଜାର ପ୍ରତି ସପ୍ତାହର ରବିବାର ଦିନ ସକାଳ ୬ଟାରୁ ଆରମ୍ଭ ହୋଇ ଅପରାହ୍ଣ ୨ଟାରୁ ୩ଟା ପର୍ଯ୍ୟନ୍ତ ଚାଲୁଛି।

ଗତବର୍ଷ ନଭେମ୍ବର ମାସରୁ ବୁଣାକାର ବଜାର ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା। ନଭେମ୍ବର ମାସରୁ ବୁଣାକାର ବଜାରରେ ଆଜି ପର୍ଯ୍ୟନ୍ତ ବିଭାଗୀୟ ତଥ୍ୟ ଅନୁଯାୟୀ ପ୍ରାୟ ୧,୭୩୭ ଜଣ ବୁଣାକାର ୩୫୬.୪୨ ଲକ୍ଷ  ଟଙ୍କାର ବ୍ୟବସାୟ କରିଥିବାବେଳେ ୧୯, ୫୫୦ ବସ୍ତ୍ର ବିକ୍ରି ହୋଇଛି।

ନୟାଗଡ଼, ଯାଜପୁର, କଟକ, ସୋନପୁର, ବୌଦ୍ଧ, ବରଗଡ଼, ଗଞ୍ଜାମ, ଅନୁଗୁଳ, ସମ୍ବଲପୁର ଆଦି ଜିଲ୍ଲାର ବ୍ୟବସାୟୀ ଏଠାରେ ନିଜର ବ୍ୟବସାୟ କରି  ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ଏହି ବଜାର ଦ୍ଵାରା ବୁଣାକାର ଓ ଗ୍ରାହକଙ୍କ ମଧ୍ୟରେ ପ୍ରତ୍ୟେକ୍ଷ ଭାବେ ବ୍ୟବସାୟ ହୋଇପାରୁଛି। ଯାହା ଦ୍ଵାରା ଲୋକେ ଠକାମୀର ଶିକାର ହେବାର ସମ୍ଭାବନା କମ୍ ରହୁଛି। ବୁଣାକାର ସାପ୍ତାହିକ ବଜାର ବୁଣାକାରମାନଙ୍କ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି।

ବରଗଡ଼ର ବାଲଜୁରୀଠାରେ ଏଭଳି ଏକ ବୁଣାକାର ହାଟ ରହିଛି। ପାଖାପାଖି ୨୫ ବର୍ଷ ଧରି ଚାଲୁଥିବା ବୁଣାକାର ବଜାରରେ କୋଟି କୋଟି ଟଙ୍କାର ବ୍ୟବସାୟ ମଧ୍ୟ ହେଉଛି। ଏବେ ବୌଦ୍ଧର ବୁଣାକାର ହାଟରେ ଭଲ ବ୍ୟବସାୟ ଓ ରୋଜଗାର ହେବାର ଆଶା ରଖିଛନ୍ତି ବ୍ୟବସାୟୀ।

Tags: #BoudhBunakarBazaar #Handlooms #Saree #DressMaterials #Business #WeaversMarket #Livelihood

LEAVE A REPLY

Please enter your comment!
Please enter your name here