ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିଷ୍ଠିତ ବିଜିନେସ୍ ପତ୍ରିକା ‘ଫୋର୍ବସ ଇଣ୍ଡିଆ’ର କଭର ପେଜରେ ସ୍ଥାନ ପାଇଛନ୍ତି ୟୁନିକର୍ନ କ୍ଲବରେ ଏଣ୍ଟ୍ରି କରିଥିବା ପ୍ରଥମ ଭାରତୀୟ ଉଦ୍ୟୋଗୀ ଦମ୍ପତି ଆଶିଷ ମହାପାତ୍ର ଏବଂ ରୁଚି କାଲ୍‌ରା। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଆଶିଷ ଓ ରୁଚିଙ୍କ ଷ୍ଟାର୍ଟଅପ୍ ୟୁନିକର୍ନ ତାଲିକାରେ ସାମିଲ ହୋଇପାରିଛି। ସବୁଠାରୁ ବଡ଼ କଥା ହେଲା ଓଡ଼ିଶାର କଟକ ଜିଲ୍ଲାରେ ଆଶିଷ ମହାପାତ୍ରଙ୍କ ଘର।

ସଫଳତାର ଶୀର୍ଷରେ ପହଞ୍ଚିବା କଥା ଭାବିଲେ ପକ୍ଷୀରାଜ ଘୋଡ଼ା ବା ୟୁନିକର୍ନର ଛବି ସାମ୍ନାକୁ ଆସିଯାଏ। କେହି କେହି ୟୁନିକର୍ନରେ ବସି ନିଜ ସ୍ଵପ୍ନର ସହର ଭ୍ରମଣ କରିଥାନ୍ତି ତ ଆଉ କେହି ୟୁନିକର୍ନର ଲଗାମ ନିଜ ହାତରେ ରଖିବାରେ ସଫଳ ହୋଇଛନ୍ତି। ୟୁନିକର୍ନ ଭଳି ଏକ ବଡ଼ ସଫଳତା ହାସଲ କରିବାରେ ଆଶିଷ ଏବଂ ରୁଚି ହେଉଛନ୍ତି ପ୍ରଥମ ଭାରତୀୟ ଉଦ୍ୟୋଗୀ ଦମ୍ପତି।

ଏହି ଉଦ୍ୟୋଗୀ ଦମ୍ପତି ଭାରତୀୟ ବ୍ୟବସାୟ ଜଗତରେ ନିଆରା ରେକର୍ଡ ସୃଷ୍ଟି କରିବାକୁ ଲାଗିଛନ୍ତି। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଉଭୟଙ୍କ ଷ୍ଟାର୍ଟଅପ୍ ‘ୟୁନିକର୍ନ’ ତାଲିକାରେ ସାମିଲ ହେବା ପରେ ଚାରିଆଡ଼େ ସେମାନଙ୍କ ସଫଳତାକୁ ନେଇ ଚର୍ଚ୍ଚା ଚାଲିଛି। ଷ୍ଟାର୍ଟଅପ୍ ଜଗତକୁ ଓହ୍ଲାଇବାକୁ ଚାହୁଁଥିବା ନୂଆ ପିଢ଼ିର ଉଦ୍ୟୋଗୀମାନଙ୍କ ପାଇଁ ଆଶିଷ ଏବଂ ରୁଚିଙ୍କ କାହାଣୀ ପ୍ରେରଣା ପାଲଟିଛି।

‘ୟୁନିକର୍ନ’ କ’ଣ?

ଉଦ୍ୟୋଗୀ ଦମ୍ପତି ଆଶିଷ ମହାପାତ୍ର ଏବଂ ରୁଚି କାଲ୍‌ରା ୟୁନିକର୍ନ କ୍ଲବରେ ସାମିଲ ହେବା ପରେ ‘ୟୁନିକର୍ନ’ ସମ୍ପର୍କରେ ଜାଣିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖାଦେଇଥିଲା। ଅନ୍ତର୍ଜାତୀୟ ବଜାର ଭାଷାରେ ‘ୟୁନିକର୍ନ’ ହେଉଛି ସେହି ସଂସ୍ଥା, ଯାହାର ମୂଲ୍ୟାୟନ ୧୦୦ କୋଟି ଆମେରିକୀୟ ଡଲାରରୁ ଅଧିକ। ଏଭଳି ସଫଳତା ପାଇବାରେ ରୁଚି ଏବଂ ଆଶିଷ ଦେଶର ପ୍ରଥମ ଦମ୍ପତି। ଏହି ସଫଳତା ପରେ ଭାରତର ପ୍ରତିଷ୍ଠିତ ବିଜିନେସ୍ ମାଗାଜିନ ‘ଫୋର୍ବସ ଇଣ୍ଡିଆ’ର କଭର ପେଜରେ ଉଭୟ ଦମ୍ପତିଙ୍କୁ ସ୍ଥାନ ମିଳିଛି।

ଆଶିଷ ମହାପାତ୍ର ଓ ରୁଚି କାଲ୍‌ରା କିଏ?

ଉଦ୍ୟୋଗ ଜଗତରେ ଚର୍ଚ୍ଚାରେ ରହିଥିବା ଯୁବ ଉଦ୍ୟୋଗୀ ଆଶିଷ ମହାପାତ୍ର ହେଉଛନ୍ତି ଜଣେ ଓଡ଼ିଆ। ତାଙ୍କ ଘର କଟକ ଜିଲ୍ଲାରେ। ସେ ‘ଅଫ୍‌-ବିଜିନେସ୍‌’ ନାମକ ଷ୍ଟାର୍ଟଅପ୍‌ କମ୍ପାନିର ସହ ପ୍ରତିଷ୍ଠାତା ଏବଂ ସିଇଓ। ସେହିପରି ତାଙ୍କ ପତ୍ନୀ ରୁଚି କାଲ୍‌ରା ହେଉଛନ୍ତି ‘ଅକ୍ସିଜୋ ଫାଇନାନ୍ସିଆଲ୍ ସର୍ଭିସେସ୍‌’ ନାମକ ଏକ ଷ୍ଟାର୍ଟଅପ୍‌ ସଂସ୍ଥାର ସହ ପ୍ରତିଷ୍ଠାତା ତଥା ଚିଫ୍ ଫାଇନାନ୍ସ ଅଫିସର।

ଅଫ୍-ବିଜିନେସ୍ ୨୦୨୧ ମସିହାରେ ୟୁନିକର୍ନ ତାଲିକାରେ ସାମିଲ ହୋଇଥିବାବେଳେ ଚଳିତ ବର୍ଷ ଅକ୍ସିଜୋ ଫାଇନାନ୍ସିଆଲ୍ ସର୍ଭିସେସ୍‌ ବିଶ୍ଵର ଏକ ୟୁନିକର୍ନ ହୋଇପାରିଛି।

୨୦୧୫ରେ ଅଫ-ବିଜିନେସର ଜନ୍ମ

କ୍ଷୁଦ୍ର ଏବଂ ମଧ୍ୟମ ବର୍ଗର ଷ୍ଟାର୍ଟଅପ୍‌ଗୁଡ଼ିକୁ ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ାଇବା ଲାଗି ୨୦୧୫ ମସିହାରେ ଆରମ୍ଭ ହୋଇଥିଲା ଅଫ୍‌-ବିଜିନେସ୍। ଏହି ସଂସ୍ଥା ଛୋଟ ଛୋଟ ଷ୍ଟାର୍ଟଅପ୍‌ଗୁଡ଼ିକୁ ସୁଲଭ ମୂଲ୍ୟରେ କଞ୍ଚାମାଲ, ପୁଞ୍ଜି ଏବଂ ବିଭିନ୍ନ ବ୍ୟବସାୟ ଭିତ୍ତିକ ସୂଚନା ଯୋଗାଇଥାଏ। ସେହିପରି ୨୦୧୭ ମସିହାରେ ଆରମ୍ଭ ହୋଇଥିଲା ‘ଅକ୍ସିଜୋ ଫାଇନାନ୍ସିଆଲ୍ ସର୍ଭିସେସ୍‌’। ଏହା ହେଉଛି ଏକ ଡିଜିଟାଲ୍‌ ଋଣ ପ୍ରଦାନକାରୀ ସଂସ୍ଥା।

କେମିତି ଜୀବନ ସାଥୀ ହେଲେ ରୁଚି-ଆଶିଷ?

ଆଶିଷ ମହାପାତ୍ର ଏବଂ ରୁଚିଙ୍କ ବ୍ୟବସାୟିକ ସଫଳତାକୁ ନେଇ ଯେତିକି ଚର୍ଚ୍ଚା, ତାଙ୍କ ପ୍ରେମକାହାଣୀ ମଧ୍ୟ ସେତିକି ରୋମାଞ୍ଚକର। ୨୦୦୭ ମସିହାରେ ଆଇଏସବିରେ ପାଠ ପଢ଼ିବା ବେଳେ ରୁଚିଙ୍କ ସହ ଆଶିଷଙ୍କର ଦେଖା ହୋଇଥିଲା।

ଏହାପରେ ଆଷିଶ ଏବଂ ରୁଚି ମେକିନଞ୍ଜେ କମ୍ପାନିରେ ଚାକିରି କରିଥିଲେ। ଫଳରେ ଏଠାରେ ଉଭୟେ ପରସ୍ପରକୁ ଭଲଭାବେ ଜାଣିବାର ସୁଯୋଗ ପାଇଥିଲେ। ପ୍ରଥମେ ବନ୍ଧୁତା ଏବଂ ପରେ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୨୦୧୬ରେ ଆଶିଷ ମହାପାତ୍ର ନିଜର ଷ୍ଟାର୍ଟଅପ ଆରମ୍ଭ କରିଥିଲେ।

Tags: #Business #StartupIndia #ForbesIndiaMagazine #Oxyzo #ofBusiness #RuchiKalra #AsishMohapatra #Unicorn

Comment