ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର କଳା, ସଂସ୍କୃତି ଏବଂ କାରୁକାର୍ଯ୍ୟର ସ୍ଵତନ୍ତ୍ର ପରିଚୟ ରହିଛି। ଓଡ଼ିଶାର ହସ୍ତତନ୍ତ ଏବଂ ହସ୍ତକଳା ହଲମାର୍କ ହିସାବରେ ସର୍ବଦା ଆମ ଐତିହ୍ୟ ଏବଂ ପରମ୍ପରାକୁ ସୋକେସିଂ କରିଆସୁଛି। ଓଡ଼ିଶାର ହସ୍ତତନ୍ତ ଉତ୍ପାଦରେ ବୁଣାକାରଙ୍କ କଠିନ ପରିଶ୍ରମ, ନିଖୁଣ କଳାକୃତି ଦେଶ ବିଦେଶରେ ପ୍ରଶଂସା ସାଉଣ୍ଟିଛି। ନିଜର ସ୍ଵତନ୍ତ୍ରତା ପାଇଁ ୯ଟି ଭିନ୍ନ ଭିନ୍ନ ହସ୍ତତନ୍ତ ଉତ୍ପାଦକୁ ଜିଆଇ ମାନ୍ୟତା ମିଳି ସାରିଛି।

ଓଡ଼ିଶାର କଳା, ଐତିହ୍ୟ ଆଉ ପରମ୍ପରାକୁ ପ୍ରୋତ୍ସାହନ ଦେବା ଲାଗି ସରକାରୀ କର୍ମଚାରୀଙ୍କୁ ସପ୍ତାହକୁ ଅନ୍ତତଃ ଗୋଟିଏ ଦିନ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ଆହ୍ଵାନ କରିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ। ଏ ନେଇ ଡକ୍ଟର ଅରବିନ୍ଦ ପାଢ଼ୀ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଧ୍ୟ ଚିଠି ଦେଲଖିଛନ୍ତି। ସାପ୍ତାହର ଗୋଟିଏ ଦିନ ହସ୍ତତନ୍ତ ପୋଷାକ ପିନ୍ଧିବାକୁ ଚୟନ କରିବା ସହ ଉତ୍ସବ ଅନୁସାରେ ମଧ୍ୟ କର୍ମଚାରୀମାନେ ହାତ ତିଆରି ଉତ୍ପାଦ ପିନ୍ଧିବା ପରାମର୍ଶ ଦିଆଯାଇଛି।

ଓଡ଼ିଶାର କଳା ଏବଂ ପରାମ୍ପରାକୁ ଜୀବିତ ରଖିବା ପାଇଁ ପ୍ରମୁଖ ଶାସନ ସଚିବ ଏହିଭଳି ଏକ ଅଭିନବ ପ୍ରୟାସ କରିଛନ୍ତି। ଏହା ଦ୍ୱାରା ଆମ ରାଜ୍ୟର ବୁଣାକାରମାନଙ୍କୁ ପ୍ରୋତ୍ସାହନ ମିଳିବା ସହ ଏହି କ୍ଷେତ୍ର ପ୍ରତି ଲୋକେ ଆକୃଷ୍ଟ ହେବେ ବୋଲି ସେ ଆଶା ରଖିଛନ୍ତି।

କିଛି ସରକାରୀ କାର୍ଯ୍ୟାଳୟରେ ଅଧିକାରୀ ଏବଂ କର୍ମଚାରୀ ହସ୍ତତନ୍ତ ପୋଷାକ ପିନ୍ଧିବା ଆରମ୍ଭ କରିଛନ୍ତି। ଏହାର ନେତୃତ୍ଵ ନେବାକୁ ଆଗେଇ ଆସିଥିବା ଅଧିକାରୀ ଏବଂ କର୍ମଚାରୀଙ୍କୁ ପ୍ରମୁଖ ଶାସନ ସଚିବ ପ୍ରଶଂସା କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତକଳା ବିଭାଗ ଅଧିକାରୀ ଏବଂ କର୍ମଚାରୀମାନେ ହସ୍ତତନ୍ତ୍ର ପୋଷାକ ପିନ୍ଧି କାର୍ଯ୍ୟାଳୟକୁ ଆସୁଛନ୍ତି, ଯାହା ସ୍ଵାଗତ ଯୋଗ୍ୟ ବୋଲି ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।

Tags: #Agriculture&FE #Handlooms #TextilesAndHandicraft #HandWovenClothing

Comment