ଓଡ଼ିଶାଲାଇଭ୍ ବ୍ୟୁରୋ

“କୃଷି, ମତ୍ସ୍ୟ ଚାଷ ଏବଂ ପ୍ରାଣୀ ପାଳନ ଏବେ ରାଜ୍ୟ ଅର୍ଥନୀତିର ପ୍ରମୁଖ ମାଧ୍ୟମ ପାଲଟିଛି। ରାଜ୍ୟ ସରକାର କୃଷିର ବିକାଶ ଏବଂ କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ପ୍ରାଥମିକତା ଦେଇଆସୁଛନ୍ତି। ବିଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶା ଚାଉଳ ଉତ୍ପାଦନରେ ନିଅଣ୍ଟିଆ ସ୍ଥିତିରୁ ଆଜି ବଳକା ରାଜ୍ୟରେ ପରିଗଣିତ ହୋଇଛି। ଚାଷୀକୂଳ ହେଉଛନ୍ତି ଆମର ପ୍ରକୃତ ଅନ୍ନଦାତା”, ରାଜ୍ୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା ୨୦୨୩’ ଉଦଘାଟନ ଅବସରରେ କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।

ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆଠାରେ ଆୟୋଜିତ ତିନି ଦିନିଆ ରାଜ୍ୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା ୨୦୨୩’କୁ ଗୁରୁବାର ଦିନ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ରାଜ୍ୟସ୍ତରୀୟ ‘କୃଷ ଓଡ଼ିଶା ୨୦୨୩’ ଫେବ୍ରୁଆରି ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଚାଲିବ।

ଉଦଘାଟନ ଅବସରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଥିଲେ, “କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଅନେକ ଯୁଗାନ୍ତକାରୀ ଯୋଜନା ପ୍ରଣୟନ କରାଯାଉଛି। ଯାହା ଦ୍ଵାରା ଓଡ଼ିଶା କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ଚାଉଳ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସ୍ଵାବଲମ୍ବୀ ହୋଇପାରିଛି। ରାଜ୍ୟ ନିଜର ଚାଉଳ ଆବଶ୍ୟକତା ପୂରଣ କରିବା ସହ ବଳକା ଚାଉଳ ଅନ୍ୟ ରାଜ୍ୟକୁ ଏବେ ରପ୍ତାନୀ କରିପାରୁଛି।”

କୃଷକମାନଙ୍କ ଆୟ ବୃଦ୍ଧିରେ ବର୍ତ୍ତମାନ ପ୍ରାଣୀ ପାଳନ ଏବଂ ମତ୍ସ୍ୟ ଚାଷର ମହତ୍ଵପୂର୍ଣ୍ଣ ଯୋଗଦାନ ରହିଛି। ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ମାଛ, ମାଂସ, ଅଣ୍ଡା ଓ ଦୁଗ୍ଧ ଉତ୍ପାଦନରେ ସ୍ଵାବଲମ୍ବୀ ହୋଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୃଷକମାନଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଓଡ଼ିଶା ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ସହ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବଳକା ଚାଉଳ ଯୋଗାଇ ଅନ୍ୟ ରାଜ୍ୟଗୁଡ଼ିକର ଖାଦ୍ୟ ନିରାପତ୍ତାକୁ ମଧ୍ୟ ସୁଦୃଢ଼ କରିପରିଛି। ରାଜ୍ୟରେ ଅଧିକ ଆୟକାରୀ ଫସଲ ଉତ୍ପାନ କରାଯାଇ କୃଷକଙ୍କ ଆୟ ବୃଦ୍ଧି ନିମନ୍ତେ ଲକ୍ଷ୍ୟ ରହିଥିବା ମନ୍ତ୍ରୀ କହିଛନ୍ତି।

ପ୍ରଥମ ଥର ପାଇଁ ରାଜ୍ୟରେ ଆୟୋଜିତ ହୋଇଥିବା ‘କୃଷି ଓଡ଼ିଶା ୨୦୨୩’ରେ ୩୦ଟି ଜିଲ୍ଲାର କୋଣ ଅନୁକୋଣରୁ ଚାଷୀ ଭାଇ ଭଉଣୀଙ୍କ ସହ କୃଷି ଉଦ୍ୟୋଗୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାମିଲ ହୋଇଛନ୍ତି। ଚାଷୀ ଭାଇ ଭଉଣୀମାନଙ୍କୁ ନୂଆ ନୂଆ କୃଷି ପଦ୍ଧତି, ବୈଜ୍ଞନିକ ଉପାୟରେ ଚାଷ କାମ, ଆଧୁନିକ ଜ୍ଞାନକୌଶଳ ଏବଂ ଆଧୁନିକ କୃଷି ଯନ୍ତ୍ରପାତିର ପ୍ରୟୋଗ ସମ୍ପର୍କରେ ଧାରଣା ଦେବା ଲାଗି ଏହି ମେଗା କୃଷି ପ୍ରଦର୍ଶନୀ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା କହିଛନ୍ତି କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।

“ବର୍ତ୍ତମାନ ଜଳବାୟୁରେ ପରିବର୍ତ୍ତନ ଏବଂ ବୃଷ୍ଟିପାତର ଅନିୟମିତତାକୁ ଦୃଷ୍ଟିରେ ରଖି ମିଲେଟସ ଜାତୀୟ ଫସଲ ଡାଲି, ତୈଳବୀନ ଏବଂ ଅନ୍ୟ ଅର୍ଥକାରୀ ଫସଲ ନିମନ୍ତେ ସ୍ଵତନ୍ତ୍ର ଯୋଜନା ପ୍ରଣୟନ କରାଯାଇ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଏହା ସହିତ ସମନ୍ଵିତ କୃଷି ଯୋଜନାରେ ଉଦ୍ୟାନ କୃଷି, ପ୍ରାଣୀ ପାଳନ ଓ ମତ୍ସ୍ୟ ଚାଷକୁ ପ୍ରାଧାନ୍ୟ ଦିଆଯାଉଛି। ଯାହା ଦ୍ଵାରା ଚାଷୀମାନଙ୍କର ଆୟ ବୃଦ୍ଧି ହେବା ସହ ରାଜ୍ୟ ଆନୁଷଙ୍ଗିକ କୃଷି ଉତ୍ପାଦନ କ୍ଷେତ୍ରରେ ସ୍ଵାବଲମ୍ବୀ ହୋଇପାରିବ”, ମନ୍ତ୍ରୀ କହିଛନ୍ତି।

ଫିକି ସହଯୋଗିତାରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ତିନିଦିନିଆ ବିଶାଳ ପ୍ରଦର୍ଶନୀରେ ପାରମ୍ପରିକ କୃଷି ବ୍ୟତୀତ ନୂତନ ଜ୍ଞାନ କୌଶଳ ବ୍ୟବହାର କରି କିପରି ଚାଷ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯିବ। ଏଠାରେ ଯୋଗ ଦେଇଥିବା ଚାଷୀ ଭାଇ ଭଉଣୀମାନଙ୍କୁ କୃଷି ଯନ୍ତ୍ରପାତି ଏବଂ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଏହାର ସଦୁପଯୋଗ କରିବାକୁ ପରାମର୍ଶ ଦିଆଯିବ।

କୃଷି ଓ ଆନୁଷଙ୍ଗୀକ କ୍ଷେତ୍ରରେ ମହିଳାଙ୍କ ଅଂଶ ଗ୍ରହଣକୁ ପ୍ରୋତ୍ସାହନ ପ୍ରଦାନ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କୃଷି କ୍ଷେତ୍ରରେ ମହିଳା ସଶକ୍ତିକରଣ ପାଇଁ ୧୦୦ କୋଟି ଟଙ୍କାର ଏକ  ସ୍ଵତନ୍ତ୍ର ପ୍ରାବଧାନ ଚଳିତ ବର୍ଷଠାରୁ ଆରମ୍ଭ କରିଛନ୍ତି ରାଜ୍ୟ ସରକାର।

ମା’ମାନଙ୍କୁ ଆର୍ଥିକ ସ୍ଵଚ୍ଛଳ କରିବା ନିମନ୍ତେ ପଞ୍ଚାୟତ ପୋଖରିରେ ମାଛ ଚାଷ ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠଙ୍କ ଦ୍ଵାରା କୁକୁଡ଼ା, ମାଛ, ଛେଳି ଆଦି ଚାଷକୁ ପ୍ରାଧାନ୍ୟ ଦିଆଯାଇ ସେମାନଙ୍କ ଆର୍ଥିକ ବିକାଶ ପାଇଁ ବ୍ୟବସ୍ଥା କରାଯାଇଛି। ଚାଷୀ ଭାଇ ଓ ଭଉଣୀଙ୍କ ଆୟ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ସଙ୍କଳ୍ପ ବଦ୍ଧ ବୋଲି ମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ପ୍ରଥମ ଥର ଲାଗି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ୪ଟି ଆଞ୍ଚଳିକ କୃଷି ମେଳା ସହ ଜିଲ୍ଲା ସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳାର ଆୟୋଜନ କରାଯାଇଛି। ସରକାରଙ୍କ କୃଷି ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଚାଷୀଙ୍କ ରୋଜଗାର ବୃଦ୍ଧି କରିବା ଆଦି ହେଉଛି କୃଷି ମେଳାର ମୁଖ୍ୟ ଲକ୍ଷ୍ୟ। ଆଗାମୀ ଦିନରେ ଏହି କୃଷି ପ୍ରଦର୍ଶନୀ ବ୍ଲକସ୍ତରରେ ଆୟୋଜନ କରିବାକୁ ଯୋଜନା ରହିଥିବା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସୂଚନା ଦେଇଛନ୍ତି।

Tags: #KrushiOdisha #KrushiOdisha2023 #EmergingTechnologiesInAgriculture #MilletsOdisha #RanedraPratapSwain

Comment