ଓଡ଼ିଶାଲାଇଭ୍ ବ୍ୟୁରୋ

ଉଦଘାଟିତ ହେଲା ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷ ଓଡ଼ିଶା ୨୦୨୩’। ଫେବ୍ରୁଆରି ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଏହି ମେଳା ଚାଲିବ। ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳପଡ଼ିଆଠାରେ ଆୟୋଜିତ ତିନି ଦିନିଆ ରାଜ୍ୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା ୨୦୨୩’କୁ ଗୁରୁବାର ଦିନ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ଏକ ଗଛରେ ପାଣି ଦେଇ କୃଷି ଓଡ଼ିଶା ୨୦୨୩କୁ ଉଦଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଗଛ ପ୍ରଦାନ କରାଯାଇଥିଲା।

ଚଳିତ ବର୍ଷ କୃଷି ଓଡ଼ିଶାର ଥିମ୍‌ ରହିଛି ‘କୃଷି ବିକାଶରେ ନୂତନ ଜ୍ଞାନକୌଶଳ’। ଏଥିରେ ୩୦ଟି ଜିଲ୍ଲାର କୋଣ ଅନୁକୋଣରୁ ଚାଷୀ ଭାଇ ଭଉଣୀଙ୍କ ସହିତ କୃଷି ଉଦ୍ୟୋଗୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାମିଲ ହୋଇଛନ୍ତି। ।

ଚାଷୀ ଭାଇ ଭଉଣୀମାନଙ୍କୁ ନୂଆ ନୂଆ କୃଷି ପଦ୍ଧତି, ବୈଜ୍ଞନିକ ଉପାୟରେ ଚାଷ କାମ, ଆଧୁନିକ ଜ୍ଞାନକୌଶଳ ଏବଂ ଆଧୁନିକ କୃଷି ଯନ୍ତ୍ରପାତିର ପ୍ରୟୋଗ ସମ୍ପର୍କରେ ଧାରଣା ଦେବା ପାଇଁ ଏହି ମେଗା କୃଷି ପ୍ରଦର୍ଶନୀ ଆୟୋଜନ କରାଯାଇଛି।

ଫିକି ସହଯୋଗିତାରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ତିନିଦିନିଆ ବିଶାଳ ପ୍ରଦର୍ଶନୀରେ ପାରମ୍ପରିକ କୃଷି ବ୍ୟତୀତ ନୂତନ ଜ୍ଞାନ କୌଶଳ ବ୍ୟବହାର କରି କିପରି ଚାଷ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯିବ।

ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି କଲ୍ୟାଣ ଯୋଜନାର ସମୀକ୍ଷା ମଧ୍ୟ ଏହି କୃଷି ମହୋତ୍ସବରେ କରାଯିବ। କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, କୃଷି ଓ କୃଷକ ସଶକ୍ତିକରଣ ବିକାଶ ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢୀ ଏବଂ ନିର୍ଦ୍ଦେଶକ ପ୍ରେମଚନ୍ଦ ଚୌଧୁରୀ, ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଯୋଗ ଦେଇଥିଲେ।

Tags: #KrushiOdisha2023 #KrushiOdisha #CMOdisha #NaveenPatnaik #EmergingTechnologiesInAgriculture #MilletsOdisha #Inauguration

Comment